ଭାରତର କ୍ରମାଗତ ଦ୍ୱିତୀୟ ବିଜୟ
ସିଲହଟ (ଏଜେନ୍ସି): ମହିଳା ଏସିଆ କପ୍ରେ ଭାରତୀୟ ଟିମ୍ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ନିଜ ପ୍ର୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇଥିବା ଟିମ୍ ଇଣ୍ଡିଆ ସୋମବାର ମାଲେସିଆକୁ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ମ୍ୟାଚ୍ରେ ଡକ୍ୱର୍ଥ/ଲୁଇସ୍ ନିୟମାନୁଯାୟୀ ୩୦ ରନ୍ରେ ମାତ୍ ଦେଇଛି । ବ୍ୟାଟର୍ ସବ୍ୱିନେନୀ ମେଘନା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍ରେ ୪ରେ ୟୁଏଇକୁ ଭେଟିବ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା । ଜବାବରେ ମାଲେସିଆ ୫.୨ ଓଭର୍ରେ ୨ ୱିକେଟ୍ ହରାଇ ୧୬ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା । ଏହାପରେ ଆଉ ଖେଳ ସମ୍ଭବ ହୋଇ ନ ଥିଲା ଏବଂ ଡି/ଏଲ୍ ନିୟମାନୁଯାୟୀ ଭାରତକୁ ବିଜେତା ଘୋଷଣା କରାଯାଇଥିଲା । ମାଲେସିଆ ପାଇଁ ଉକ୍ତ ଓଭର୍ ସୁଦ୍ଧା ୪୭ ରନ୍ ଟାର୍ଗେଟ୍ ଥିଲା ।
ଭାରତ ପକ୍ଷରୁ ସବ୍ୱିନେନୀ ମେଘନା ଓ ଶେଫାଲୀ ବର୍ମା ଦମ୍ଦାର ଢଙ୍ଗରେ ଇନିଂସ୍ ଆରମ୍ଭ କରିଥିଲେ । ଶେଫାଲୀଙ୍କ ଫର୍ମକୁ ପ୍ରତ୍ୟାବର୍ତ୍ତନ ଟିମ୍ ପାଇଁ ବଡ଼ କଥା ଥିଲା । ଉଭୟ ପ୍ରଥମ ୱିକେଟ୍ ପାଇଁ ୮୩ ବଲ୍ରୁ ୧୧୬ ରନ୍ର ଭାଗୀଦାରୀ କରିଥିଲେ । ମେଘନା ୩୮ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୫୩ ବଲ୍ରୁ ୬୯ ରନ୍ର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୧ ଚୌକା ଓ ୧ ଛକା ରହିଥିଲା ।
ମେଘନା ୩୯ ବଲ୍ରୁ ୪୬ ରନ୍ କରିଥିଲେ । ରିଚା ଘୋଷ ୧୯ ବଲ୍ରୁ ୩୩ ଓ ଦୟାଲନ ହେମଲତା ୪ ବଲ୍ରୁ ୧୦ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କିରଣ ପ୍ରଭୁ ନଭଗିରେ ଖାତା ଖୋଲି ପାରି ନ ଥିବା ବେଳେ ରାଧା ଯାଦବ ୮ ରନ୍ର ଇନିଂସ୍ ଖେଳିଥିଲେ ।
୧୮୨ ରନ୍ର ବଡ଼ ଟାର୍ଗେଟ୍ ନେଇ ଖେଳିଥିବା ମାଲେସିଆର ଆରମ୍ଭ ଭଲ ନ ଥିଲା । ଟିମ୍ ପ୍ରଥମ ଓଭର୍ରେହିଁ ପ୍ରଥମ ୱିକେଟ୍ ହରାଇଥିଲା । ଓପନର୍ ଅଧିନାୟକ ୱିନ୍ଫ୍ରେଡ୍ ଦୁରାଇସିଙ୍ଗମ୍ ଖାତା ଖୋଲି ନ ପାରି ଦୀପ୍ତି ଶର୍ମାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ୬ ରନ୍ରେ ଟିମ୍ର ଦ୍ୱିତୀୟ ୱିକେଟ୍ ପଡ଼ିଥିଲା । ୱାନ୍ ଜୁଲିଆ ୧ ରନ୍ କରି ରାଜେଶ୍ୱରୀ ଗାଏକୱାଡ଼ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେବା ବେଳକୁ ମାସ୍ ଇଲିସା ୧୪ ଓ ଇଲସା ହଣ୍ଟର ୧ ରନ୍ କରି ଅପରାଜିତ ଥିଲେ ।