ତୀର୍ଥଯାତ୍ରୀ ବସ୍କୁ ପିଟିଲା ଟ୍ରକ୍, ୪ ଓଡିÿଆ ମୃତ
ଅନୁଗୁଳ, ୨ା୧୦(ଆପ୍ର): ଉତ୍ତର ଭାରତ ଭ୍ରମଣ କରି ଅନୁଗୁଳ ଫେରୁଥିବା ତୀର୍ଥଯାତ୍ରୀ ବସ୍କୁ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲା କଟକମସାଣ୍ଡିଠାରେ ଏକ ଟ୍ରକ ଧକ୍କା ଦେବାରୁ ୪ ଜଣଙ୍କ ମୃତୁ୍ୟ ଘଟିଛି ଓ ୨୯ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା ଅନ୍ତର୍ଭୁକ୍ତ । ଦୁଇ ଜଣଙ୍କ ପରିଚୟ ମିଳିଛି ଓ ସେମାନେ ହେଉଛନ୍ତି କଣିହାଁ ଥାନା କଂସମୁଣ୍ଡା ଗାଁର ମନୁ ବେହେରା ଓ ମସୁଣିହତା ଗାଁର ମେନକା ପ୍ରଧାନ ।
ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୫୫ ଜଣ ତୀର୍ଥ ଯାତ୍ରୀ ସାଇରାମ ବସ୍ରେ ୧୫ ଦିନ ପୂର୍ବେ ଉତ୍ତର ଭାରତ ଭ୍୍ରମଣରେ ଯାଇଥିଲେ । ସେମାନେ ଗୟା, ବାରାଣସୀ ଏବଂ ଉତ୍ତରାଖଣ୍ଡର ବିଭିନ୍ନ ତୀର୍ଥସ୍ଥାନ ବୁଲିବା ପରେ ଘରକୁ ଫେରୁଥିଲେ । ଶନିବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହଜାରିବାଗ-କଟକମସାଣ୍ଡି ମୁଖ୍ୟ ରାସ୍ତା କନେଦା ଘାଟି ବୁଲାଣିରେ ଏକ ଫଳ ବୋଝେଇ ଟ୍ରକ ବସ୍କୁ ଧକ୍କା ଦେଇଥିଲା ।
ଫଳରେ ଉଭୟ ଗାଡ଼ି ଓଲଟି ପଡ଼ିବା ସହିତ ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଥିଲେ । ଆହତମାନଙ୍କୁ ପୁଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ହଜାରିବାଗ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପରିବାର ଲୋକେ ମୃତଦେହ ଆଣିବା ପାଇଁ ଝାଡ଼ଖଣ୍ଡ ଯାଇଛନ୍ତି । ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଉଭୟ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
ଅନ୍ୟପକ୍ଷରେ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ସମସ୍ତ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାଡ଼ଖଣ୍ଡ ସରକାରଙ୍କ ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ନିମିତ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ।