ପୁଲିସ୍ ହେପାଜତରୁ ମୁସେୱାଲା ହତ୍ୟାକାରୀ ଫେରାର
ଚଣ୍ଡିଗଡ(ଏଜେନ୍ସି): ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପୀ ଝଡ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଘଟଣାକୁ ପଞ୍ଜାବ ପୁଲିସ କେତେ ଗୁରୁତର ସହ ନେଇଛି ତା’ର ଏକ ଜ୍ୱଳନ୍ତ ପ୍ରମାଣ ସାମ୍ନାକୁ ଆସିଛି । ମୁସେୱଲାଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଦୀପକ ଓରଫ୍ ଟିନୁ ଜେଲ୍ରୁ ଫେରାର ହୋଇଯାଇଛି । ପଞ୍ଜାବ ପୁଲିସ୍ର କଡା ସୁରକ୍ଷା ବଳୟ ମଧ୍ୟରୁ ଟିନୁ କିପରି ଚମ୍ପଟ ମାରିଲା ତାହାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ମୁସେୱାଲାଙ୍କ ମା’ ପଞ୍ଜାବ ପୁଲିସ୍ ଜାଣିଶୁଣି ଟିନୁକୁ ଛାଡିଦେଇଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଏତଦ୍ବ୍ୟତୀତ ତାଙ୍କ ଦିବଂଗତ ପୁଅ ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳିବାର ଆଶା ମଧ୍ୟ ଛାଡିଦେଇଛନ୍ତି ବୋଲି କହିଛନ୍ତି । ତେବେ ଟିନୁ ଫେରାର ହେବାକୁ ନେଇ ପୁଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ସିବଆଇ ଅଧିକାରୀଙ୍କ ଏକ ଟିମ୍ ପୁଲିସ୍ କଷ୍ଟଡିରୁ ଟିନୁକୁ ନେବା ସମୟରେ ସେ ବାଟରୁ ଫେରାର ହୋଇଯାଇଥିବା କୁହାଯାଉଛି । ତେବେ କିଏ ସତ କହୁଛି ସେସମ୍ପର୍କରେ ଜଣାପଡିନି ।