୩ ହଜାର ହବିଷ୍ୟାଳୀଙ୍କ ପାଇଁ ୫ ଶିବିର
ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ପୁରୀ (ବୁ୍ୟରୋ): କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ରହଣି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତମାସ ୧୦ରୁ ନଭେମ୍ବର ୮ ପର୍ଯ୍ୟନ୍ତ ୫ଟି ରହଣି ସ୍ଥାନରେ ୩ହଜାର ହବିଷ୍ୟାଳୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଚଳିତଥର ୫ଟି ଶିବିରର ଆୟୋଜନ କରାଯାଇଛି । ମୋଚିସାହି ପୌରସଂସ୍ଥା କଲ୍ୟାଣ ମଣ୍ଡପ, ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା ଓ ସିଂହଦ୍ୱାର ସମ୍ମୁଖ ବାଗେଡିଆ ଧର୍ମଶାଳାରେ ହବିଷ୍ୟାଳୀଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଶନିବାର ସୁଦ୍ଧା ୨୯୨୦ ହବିଷ୍ୟାଳୀ ନାମ ପଞ୍ଜୀକୃତ କରିଛନ୍ତି ।
ହବିଷ୍ୟାଳୀଙ୍କ ସୁରକ୍ଷା ସହ ସେମାନଙ୍କ ଦାୟିତ୍ୱ ବୁଝିବା ଲାଗି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବିଶେଷ ଭାବେ ହବିଷ୍ୟାଳୀଙ୍କ ପୂଜାର୍ଚ୍ଚନା, ରହିବା, ମହାପ୍ରସାଦ ସେବନ, ପାନୀୟଜଳ, ଗରମ ପାଣି, ପୂଜାପିଣ୍ଡି, ଆକାଶଦୀପ, ସିସିଟିଭି, ଆଶୁଚିକିତ୍ସା କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ହବିଷ୍ୟାଳୀଙ୍କ ସ୍ନାନ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସ୍ୱତନ୍ତ୍ର ତୁଠ ବ୍ୟବସ୍ଥା କରାଯିବ । ସେଠାରେ ଅଗ୍ନିଶମ ଓ ସୁରକ୍ଷା କର୍ମଚାରୀ ନିୟୋଜିତ ହେବେ । ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱେଚ୍ଛାସେବୀମାନେ ସହଯୋଗ କରିବେ । ୫ଟି ହବିଷ୍ୟାଳୀ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମୁତୟନ କରାଯିବ । ମହାପ୍ରସାଦ ସେବନ ସମୟରେ କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗ କରିବେ ।
ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପ୍ରକଳ୍ପ ନଦେ୍ର୍ଦଶକ ଜ୍ୟୋତିଶଙ୍କର ମହାପାତ୍ର, ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ସହକାରୀ ଜିଲ୍ଲାପାଳ ରାକେଶ ପଣ୍ଡାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।