ରାଜନୀତିର ଗ୍ରାଣ୍ଡ୍ମାଷ୍ଟର୍

ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶାବାସୀଙ୍କୁ ଦୀର୍ଘ ୨୫ ବର୍ଷର ସୁଶାସନ ଯୋଗାଇଦେଇଥିବା ବର୍ଷିଆନ୍ ରାଜନେତା ତଥା ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ପୁଣିଥରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶର ଅନ୍ୟତମ ଅଗ୍ରଣୀ ଇଂରାଜୀ ସମ୍ବାଦଭିତ୍ତିକ ପତ୍ରିକା ‘ଦ ୱିକ୍’ ଅକ୍ଟୋବର ୯, ୨ଠ୨୨ ସଂଖ୍ୟା ପ୍ରଚ୍ଛଦ ପୃଷ୍ଠା ରିପୋର୍ଟରେ ନବୀନଙ୍କୁ ‘ଗ୍ରାଣ୍ଡ୍ ମାଷ୍ଟର ଅଫ୍ ପଲିଟିକ୍ସ’ ଦର୍ଶାଇଛି । ଏହି ସଦ୍ୟତମ ସଂଖ୍ୟାରେ କୁହାଯାଇଛି ଯେ, ୭୫ବର୍ଷୀୟ ନବୀନ ପଟ୍ଟନାୟକଙ୍କୁ ବାହାର ଦୁନିଆ ଜଣେ ରହସ୍ୟମୟ ବ୍ୟକ୍ତି ଭାବେ ଜାଣେ । କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ସେ ଜଣେ ସମ୍ବେଦନଶୀଳ ତଥା ଦାୟିତ୍ୱସମ୍ପନ୍ନ ରାଜନେତା । ଉଲ୍ଲେଖଯୋଗ୍ୟ ଏପ୍ରିଲ ୨୮, ୨ଠ୧୯ ସଂଖ୍ୟାର ପ୍ରଚ୍ଛଦ ପୃଷ୍ଠାରେ ନବୀନଙ୍କୁ ‘କିଙ୍ଗ୍ ମେକର’ ଦର୍ଶାଯାଇଥିଲା ।
ରିପୋର୍ଟରେ ନିଜ ପ୍ରଦେଶବାସୀଙ୍କ ହିତ ସାଧନ ଉଦେ୍ଦଶ୍ୟରେ ନବୀନ ଏବଂ ତାଙ୍କ ସରକାର ପ୍ରଣୟନ କରୁଥିବା ଯୋଜନାଗୁଡ଼ିକୁ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ବେଶ୍ ଗ୍ରହଣୀୟ ହେଉଥିବା ବେଳେ ଏବଂ ଏସବୁ ଯୋଜନା ଦ୍ୱାରା ସେମାନେ ଉପକୃତ ହେଉଥିବା ଦର୍ଶାଯାଇଛି । ନବୀନଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବା ବେଳେ ତାଙ୍କ ବିରୋଧୀମାନେ ସମାନୁପାତରେ ସଂକୁଚିତ ହେବାରେ ଲାଗିଛନ୍ତି ।
ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ନବୀନଙ୍କୁ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ରାଜନୈତିକ ବିରୋଧୀମାନେ ବିରୋଧ କରୁଥାଇପାରନ୍ତି, କିନ୍ତୁ ବ୍ୟକ୍ତିଗତ ଭାବେ ନବୀନଙ୍କ କେହି ଶତ୍ରୁ ନାହାନ୍ତି ଯାହାକି ନବୀନଙ୍କୁ ସମଗ୍ର ଦେଶ ତଥା ବିଦେଶରେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ପରିଚୟ ଦେଇଛି ।
ଏକଦା ଦେଶର ଅନ୍ୟତମ ଗରିବ ରାଜ୍ୟ ଭାବେ ବିବେଚିତ ହେଉଥିବା ଓଡ଼ିଶାକୁ ଆଜିର ଦିନରେ ଦେଶର ସର୍ବାଧିକ ଦ୍ରୁତ ବିକାଶଶୀଳ ପ୍ରଦେଶରେ ପରିଣତ କରିଥିବା ନବୀନଙ୍କୁ ନେଇ ଓଡ଼ିଶାବାସୀଙ୍କ ମହାତ୍ୱାକାଂକ୍ଷା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ରାଜ୍ୟବାସୀଙ୍କୁ ଦୁର୍ନୀତି ତଥା ଭ୍ରଷ୍ଟାଚାରମୁକ୍ତ ପ୍ରଶାସନ ଯୋଗାଇଦେବା କ୍ଷେତ୍ରରେ ହେଉ କିମ୍ବା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକ ଯୋଜନା ପ୍ରଣୟନ କରିବା ହେଉ ସବୁକ୍ଷେତ୍ରରେ ନବୀନ ଏବଂ ତାଙ୍କ ସରକାରଙ୍କ ଆଭିମୁଖ୍ୟ ବେଶ୍ ସ୍ପଷ୍ଟ ରହିଆସିଛି । ଗର୍ଭସ୍ଥ ଶିଶୁଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ନାଗରିକ ଅର୍ଥାତ୍ ସବୁକ୍ଷେତ୍ରର ତଥା ସବୁ ବର୍ଗର ରାଜ୍ୟବାସୀଙ୍କୁ ପ୍ରାଥମିକତା ନବୀନ ସରକାରଙ୍କ ମୋଟୋ ରହିଆସିଛି । ହୁଏତ ଏଥିପାଇଁ ପ୍ରାଦେଶିକ ତଥା ଜାତୀୟ ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ଛବି ପ୍ରସ୍ତୁତ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *