ସ୍ୱଚ୍ଛ ସର୍ବେକ୍ଷଣରେ ବିଏମ୍ସି ପୁରସ୍କୃତ
ଭୁବନେଶ୍ୱର, ୧ା୧୦ (ବୁ୍ୟରୋ): ବିଏମ୍ସିକୁ ମିଳିଛି ବଡ଼ ସଫଳତା । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ରେ ଭୁବନେଶ୍ୱର ମହାନଗର ନିଗମକୁ ବଡ଼ ଉପଲବ୍ଧି ମିଳିଛି । ଜାତୀୟ ସ୍ତରରେ ବିଏମସି ପୁରସ୍କୃତ ହୋଇଛି । ମହାନଗର ନିଗମ ସିଟିଜେନ ଫିଡ଼ବେକ ବର୍ଗରେ ବିଏମ୍ସି ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଯାହା ସମଗ୍ର ଓଡ଼ିଶା ପାଇଁ ଗର୍ବର ମୂହୂର୍ତ୍ତ ଆଣିଦେଇଛି । ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ବିଏମ୍ସି କମିଶନର ବିଜୟ ଅମୃତ୍ କୁଲାଙ୍ଗେ, ମେୟର ସୁଲୋଚନା ଦାସ ଏବଂ ଡ଼େପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଦେଶର ରାଜଧାନୀରେ ପୁରସ୍କାର ପାଇବା ପରେ ଭୁବନେଶ୍ୱରବାସୀଙ୍କୁ ଏହି ପୁରସ୍କାରକୁ ମେୟର ଓ କମିଶନର ଉଭୟ ଉତ୍ସର୍ଗ କରିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ନିମନ୍ତେ ବିଗତ ଦିନରେ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ସହରକୁ ସବୁଜ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ମଧ୍ୟ ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି । ଆବର୍ଜନା ମୁକ୍ତଠାରୁ ଗମନା ଗମନ ନିମନ୍ତେ ମୋ ବସ୍ ସେବା ପର୍ଯ୍ୟନ୍ତ । ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯାହା ଆଜି ବିଏମ୍ସିକୁ ସଫଳତା ପ୍ରଦାନ କରିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଲୋକଙ୍କ ଠାରୁ ମିଳିଥିବା ତଥ୍ୟ, ସକ୍ରିୟତା ଓ ସହଭାଗିତା ପାଇଁ ବିଏମସିକୁ ଏହି ଉପଲବ୍ଧି ମିଳିଛି ।
ସୂଚନାଯୋଗ୍ୟ ବିଭିନ୍ନ କ୍ଷେତ୍ରରେ ବିଏମସି ଅଗ୍ରଗାମୀ କାର୍ଯ୍ୟ ଗ୍ରହଣ କରିଛି ଏବଂ ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ଉନ୍ନତ ମାନର ଜୀବନ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିମଳ, ବସ୍ତି ବିକାଶ, ବିପର୍ଯ୍ୟୟ ପରି·ଳନା, ସହର ସୌନ୍ଦର୍ଯ୍ୟ କରଣ, ନାଗରିକ ସେବା, ଦକ୍ଷ କଠିନ ବର୍ଜ୍ୟବସ୍ତୁ ପରି·ଳନା, ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା, ଦକ୍ଷ ସହରୀ ଯୋଜନା ଏବଂ ବିକାଶ, ଜଳ ଯୋଗାଣ ସେବା, ସିଟି ବସ୍ ସେବା, ଅନଲାଇନ୍ ସେବା, ଭେଣ୍ଡିଂ ଜୋନ୍ ଓ ପାର୍କିଂର ସୁବ୍ୟବସ୍ଥା କରିଛି । ସର୍ବଦା ଲୋକଙ୍କ ପାଇଁ ବିଏମସି କାର୍ଯ୍ୟ କରିଆସୁଛି ।
ଏଥି ସହିତ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ମଧ୍ୟ ଜନଶୁଣାଣି କରୁଛି । ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଅଭିଯୋଗ ଶୁଣାଣୀ ସମୟରେ ବିଏମ୍ସିର ସମସ୍ତ ଅଧିକାରୀ ଉପସ୍ଥିତ ରହିବା ସହ ଜନତାଙ୍କ ଠାରୁ ଯେଉଁ ଅଭିଯୋଗ ଗ୍ରହଣ କରାଯାଉଛି ତାହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଅତିବେଶିରେ ୪ ଦିନ ସମୟ ନେଉଛନ୍ତି ।