ଦଶହରା ଯାଏ ଅବିଶ୍ରାନ୍ତ ବର୍ଷା
୧୫ ପର୍ଯ୍ୟନ୍ତ ବାତ୍ୟା ଆଶଙ୍କା ନାହିଁ: ଡିଜି
ଭୁବନେଶ୍ୱର, ୧ା୧୦ (ବୁ୍ୟରୋ): ପାର୍ବଣକୁ ଫିକା ପକାଇବ ଲଘୁଚାପ ଜନିତ ବର୍ଷା । ଭିଜିବ ଦଶହରା, ଶନିବାର ମା’ଙ୍କ ଷଷ୍ଠୀ ପୂଜା ଥିବାବେଳେ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଜାରି ରହିଛି । ଆସନ୍ତା ୨ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।
ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପଶ୍ଚିମ-କେନ୍ଦ୍ରୀୟ ତଥା ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଏହା ପ୍ରଭାବରେ ବିଶେଷ ଭାବେ ଉପକୃତ ଓଡିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ଓ ସୋମବାର ଦିନ ବର୍ଷାର ପରିମାଣ ବଢିବ । ରବିବାର ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି ।
୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ୭ ମିମିରୁ ୨୦ ମିଲିମିଟର ବର୍ଷା ହୋଇପାରେ । ବର୍ତ୍ତମାନ ସୁଧା ମୌସୁମୀ ଜନିତ ବର୍ଷାରେ ୪% କମ୍ ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ୨୧% ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଆସନ୍ତା ୧୫ ତାରିଖ ଯାଏ ବାତ୍ୟା ନେଇ କୌଣସି ଆଶଙ୍କା ନଥିବା ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି । ଅକ୍ଟୋବର ଆସିଲେ ରାଜ୍ୟବାସୀଙ୍କ ମଧ୍ୟରେ ବାତ୍ୟାକୁ ନେଇ ଛନକା ପଶେ । ହେଲେ ଚଳିତ ଅକ୍ଟୋବର ୧୫ ତାରିଖ ଯାଏ ବାତ୍ୟାର କୌଣସି ସମ୍ଭାବନା ନଥିବା କହିଛନ୍ତି ଡିଜି ଶ୍ରୀ ମହାପାତ୍ର । ଅକ୍ଟୋବର ଓ ନଭେମ୍ବର ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।