ଗେଟ୍ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ
ଶିକ୍ଷକ ବଦଳିକୁ ନେଇ ସ୍କୁଲରେ ଅଚଳାବସ୍ଥା
ଡ଼େରାବିଶ (ଆପ୍ର): ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣୁଥିବା ସରକାର କହୁଥିବା ବେଳେ, ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଡେରାବିଶ ବ୍ଲକ୍ରେ । କେଉଁଠି ଅଳ୍ପ ଛାତ୍ରଛାତ୍ରୀଙ୍କୁ ଅଧିକ ଶିକ୍ଷକ ତ, କେଉଁଠି ବହୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ଶିକ୍ଷକଙ୍କ ଅଭାବ ପରିଲକ୍ଷିତ ହେଉଛି । ଏହି ପଞ୍ଚାୟତ ଅନ୍ତର୍ଗତ ପଶ୍ଚିମ ଶ୍ୟାମସୁନ୍ଦରପୁର ୟୁଜିୟୁପି ସ୍କୁଲରେ ଶିକ୍ଷକ ବଦଳୀକୁ ନେଇ ଶନିବାର ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ନିରଞ୍ଜନ ମଳିକଙ୍କ ବଦଳୀକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ପୃକ୍ତ ଶିକ୍ଷକ ନିରଞ୍ଜନ ମଳିକଙ୍କ ନିକଟସ୍ଥ ଡେରାଡିହ ବିଦ୍ୟାଳୟକୁ ବଦଳୀ ହୋଇଥିବା ଜାଣି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟର ଫାଟକରେ ତାଲା ପକାଇ ଧାରଣାରେ ବସି ଥିଲେ । ଫଳରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବ୍ୟାହାତ ହୋଇଥିଲା ।
ଶିକ୍ଷକଙ୍କ ବଦଳୀ ବାତିଲ ନ ହେବା ଯାଏଁ ଏହି ଆନେ୍ଦାଳନ ଜାରି ରହିବ ବୋଲି ଅଭିଭାବକମାନେ ଜିଦ୍ କରି ଖବର ପାଇ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଏହି ସମସ୍ୟାର ସମାଧାନ ପାଇଁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅଶୋକ ମହାପାତ୍ରଙ୍କୁ ପଠାଇଥିଲେ । ତେବେ ବହୁ ଆଲୋଚନା ପରେ କିଛି ନିର୍ଯ୍ୟାସ ନ ବାହାରିଥିବା ଜଣାଯାଇଛି । ଦଶହରା ଛୁଟି ଅବସରରେ ଶନିବାର ଠାରୁ ବିଦ୍ୟାଳୟ ବନ୍ଦ ରହିଛି । ଏ ସମ୍ପର୍କରେ ସହକାରୀ ଶିକ୍ଷାଧିକାରୀ ନରହରି ସୂତାରଙ୍କୁ ପଚାରିବାରୁ ପଶ୍ଚିମ ଶ୍ୟାମସୁନ୍ଦରପୁର ବିଦ୍ୟାଳୟରେ ୧୬୯ ଛାତଛାତ୍ରୀଙ୍କ ପାଇଁ ୮ ଜଣ ଶିକ୍ଷକ ଅଛନ୍ତି । ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ଥିବାରୁ ନିକଟସ୍ଥ ଡେରାଡିହ ବିଦ୍ୟାଳୟକୁ ଶିକ୍ଷକ ନିରଞ୍ଜନ ମଳିକଙ୍କୁ ବଦଳୀ କରାଯାଇଛି । ଡେରାଡିହ ବିଦ୍ୟାଳୟରେ ୫ ଟି ଶ୍ରେଣୀକୁ ଜଣେ ମାତ୍ର ଶିକ୍ଷକ ଥିବାରୁ ସେହି ବିଦ୍ୟାଳୟକୁ ବଦଳୀ କରାଯାଇଥିବା ବେଳେ କାହା ପ୍ରତି ଅନ୍ୟାୟ କରାଯାଇନାହିଁ ବୋଲି କହିଛନ୍ତି ।