ଭାରତର ବିଜୟ ଅଭିଯାନ

ମହିଳା ଏସିଆ କପ୍
ସିଲହେଟ, ୧ା୧୦ (ଏଜେନ୍ସି): ମହିଳା ଏସିଆ କପ୍ ୨୦୨୨ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଜେମିମା ରୋଡ୍ରିଗ୍ସଙ୍କ ଟି-୨୦ରେ କ୍ୟାରିଅର-ଶ୍ରେଷ୍ଠ ୭୬ ରନ୍ ଏବଂ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ ବଳରେ ଭାରତୀୟ ଟିମ୍ ଶନିବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୪୧ ରନ୍ରେ ସହଜରେ ମାତ୍ ଦେଇଛି । ସବୁ ବିଭାଗରେ ଭାରତୀୟ ଖେଳାଳିମାନେ ଶ୍ରୀଲଙ୍କା ଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ । ଜେମିମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଭାରତ ଆସନ୍ତା ୩ରେ ନିଜ ପରବର୍ତ୍ତୀ ମ୍ୟାଚ୍ରେ ମାଲେସିଆକୁ ଭେଟିବ ।
ଜେମିମା ୫୩ ବଲ୍ର ସାମ୍ନା କରି ୧୧ ଚୌକା ଓ ଗୋଟିଏ ଛକା ଲଗାଇଥିଲେ । ଏହା ଫଳରେ ଭାରତୀୟ ଟିମ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ବିନିମୟରେ ୧୫୦ ରନ୍ ସଂଗ୍ରହ କରିପାରିଥିଲା । ତେବେ ଅନ୍ୟ ବ୍ୟାଟର୍ମାନେ ଲୋ ବାଉନ୍ସ ଯୋଗୁଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା ।
ଜବାବରେ ଶ୍ରୀଲଙ୍କା ଟିମ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୮.୨ ଓଭର୍ରେ ମାତ୍ର ୧୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ କେବଳ ଦୁଇ ଜଣ ବ୍ୟାଟର୍ ହାସିନୀ ପରେରା (୩୦), ହର୍ଷିତା ସମରବିକ୍ରମା (୨୬) ଓ ଓଶାଦୀ ରଣସିଙ୍ଘେ (୧୧)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଅଧିନାୟିକା ଚମାରୀ ଅଟାପଟ୍ଟୁ ମାତ୍ର ୫ ରନ୍ କରିଥିଲେ ।
ଭାରତ ପକ୍ଷରୁ ଦୟାଲନ ହେମଲତା ୧୫ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ପୂଜା ବସ୍ତ୍ରାକାର ଓ ଦୀପ୍ତି ଶର୍ମା ୨ ଲେଖାଏଁ ଏବଂ ରାଧା ଯାଦବ ଗୋଟିଏ ୱିକେଟ୍ ପାଇଥିଲେ ।
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଟିମ୍ର ଆରମ୍ଭ ଭଲ ନ ଥିଲା । ମାତ୍ର ୧୩ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ସ୍ମୃତି ମାନ୍ଧାନା ୬ ରନ୍ କରି ସୁଗନ୍ଧିକା କୁମାରୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର୍ ଶେଫାଲୀ ବର୍ମାଙ୍କ ନୈରାଶ୍ୟଜନକ ଫର୍ମ ବଜାୟ ରହିଥିଲା । ସେ ୧୦ ରନ୍ କରି ଓଶାଦୀ ରଣସିଙ୍ଘେଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
୨୩ ରନ୍ରେ ଦୁଇ ଓପନର୍ ୱିକେଟ୍ ପଡ଼ିବା ପରେ ମଣିବନ୍ଧ ଯନ୍ତ୍ରଣାରୁ ସୁସ୍ଥ ହୋଇଥିବା ଜେମିମା ଅଧିନାୟିକା ହରମନପ୍ରୀତ କୌରଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ । ଉଭୟ ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେ । ଇତ୍ୟବସରେ ଜେମିମା ୩୮ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୧ ବଲ୍ରୁ ୯୨ ରନ୍ର ଭାଗୀଦାରୀ କରିଥିଲେ ।
୧୫ତମ ଓଭର୍ରେ ଅଧିନାୟିକା ହରମନପ୍ରୀତଙ୍କୁ ଏକ ଜୀବନଦାନ ମିଳିଥିଲା । ସୁଗନ୍ଧିକା ତାଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ; କିନ୍ତୁ ସେ ଏହାର ଫାଇଦା ଉଠାଇ ପାରି ନ ଥିଲେ ଏବଂ ପରବର୍ତ୍ତୀ ଓଭର୍ରେ ଓଶାଦୀଙ୍କ ବଲ୍ରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ହରମନପ୍ରୀତ ୩୦ ବଲ୍ରୁ ୨ ଚୌକା ଓ ୧ ଛକା ସହାୟତାରେ ୩୩ ରନ୍ର ଇନିଂସ୍ ଖେଳିଥିଲେ ।
ଏହାପରେ ଜେମିମା ଇନିଂସ୍କୁ ଆଉ କିଛି ବାଟ ଆଗେଇ ନେଇଥିଲେ । ଡେଥ୍ ଓଭର୍ଗୁଡ଼ିକରେ ଶ୍ରୀଲଙ୍କା ବୋଲର୍ଙ୍କୁ ସଫଳତା ମିଳିଥିଲା । ଜେମିମା ତାଙ୍କ ପୂର୍ବ କ୍ୟାରିଅର-ଶ୍ରେଷ୍ଠ ୭୨ ରନ୍ର ଇନିଂସ୍କୁ ପଛରେ ପକାଇ ୭୬ ରନ୍ ସଂଗ୍ରହ କରିଥିଲେ । ୧୮ତମ ଓଭର୍ରେ ଚମାରୀ ଅଟାପଟ୍ଟୁ ତାଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ।
ରିଚା ଘୋଷ ୯ ରନ୍ କରି ଓଶାଦୀଙ୍କ ତୃତୀୟ ଶିକାର ହୋଇଥିବାବେଳେ ପୂଜା ବସ୍ତ୍ରାକାର ୧ ରନ୍ କରି ରନ୍ଆଉଟ୍ ହୋଇଥିଲେ । ଦୟାଲନ ହେମଲତା ୧୩ ଓ ଦୀପ୍ତି ଶର୍ମା ୧ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *