ଲୋକଙ୍କ ସାଥିରେ ବିଜେଡି
ଭୁବନେଶ୍ୱର, ୨୯ା୯ (ବୁ୍ୟରୋ): ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । ବାଙ୍ଗାଲୋରରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ, ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀଙ୍କ ଗୁରୁତ୍ୱ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେହି ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସ୍ମରଣ କରାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଗୁରୁବାରଠାରୁ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ସାରା ଓଡ଼ିଶାରୁ ଦଳର ଯୁବ, ଛାତ୍ର ଓ ମହିଳା ସଙ୍ଗଠନର କର୍ମକର୍ତ୍ତା, ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ରାଜ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ସମାବେଶରେ ଅଧ୍ୟକ୍ଷତା କରି ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ଦେହାନ୍ତ ପରେ କିଏ ଓଡ଼ିଶାର ନେତୃତ୍ୱ ନେବ, ଏହାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଘୋର ନିରାଶାର ଅନ୍ଧକାର ସୃଷ୍ଟି ହୋଇଥିଲା । ଏହି ଅନ୍ଧକାର ଭିତରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାକାରୀଙ୍କ ଉକ୍ରଣ୍ଠା ଓ ଆକାଂକ୍ଷାର ଅନ୍ତ ଘଟାଇ ଆଶାର ଆଲୋକ ହୋଇ ଉଭା ହୋଇଥିଲେ ।
ବିଜୁବାବୁଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେଦିନ ସେ ସଂକଳ୍ପ ନେଇଥିଲେ । ସେବେଠୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରି ଏବେ ନୂଆ ଓଡ଼ିଶାର ବିଶ୍ୱକର୍ମା ଏବଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଓ ଉପସାର ପ୍ରତୀକ ସାଜିଛନ୍ତି । ଆଉ ୨୫ ବର୍ଷ ତଳେ ନବୀନ ବାବୁ ବିଜୁ ଜନତା ଦଳର ଯେଉଁ ଚାରାଟିଏ ପୋତିଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି । ଓଡ଼ିଶାରେ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନେ୍ଦାଳନର ରୂପ ନେଇଛି । ଏତେ ବର୍ଷ ପରେ ବି ଦଳ ଏହାର ପ୍ରତିବଦ୍ଧତାରୁ ବିଚୁ୍ୟତ ହୋଇନାହିଁ । ତେଣୁ ଏହି ପ୍ରତିବଦ୍ଧତାକୁ ଆଗକୁ ନେବାଲାଗି ଆମର ଉତ୍ତରଦାୟିତ୍ୱ ରହିଛି ବୋଲି କହି ପଦଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।
ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ବିଜୁବାବୁଙ୍କ ଅବର୍ତ୍ତମାନରେ ଗଭୀର ଆର୍ଥିକ ସଂକଟ ଓ ଅନେକ ଅଭାବ ଅସୁବିଧା ଭିତରେ ନବୀନ ବାବୁ ପ୍ରତିବଦ୍ଧତାର ସହ ଦଳର ନେତୃତ୍ୱ ଏପରି ଭାବରେ ନେଇଥିଲେ ଯେ ସଂଶୟ ଭିତରୁ ପ୍ରତ୍ୟୟ ଜନ୍ମ ନେଲା ବୋଲି କହିଥିଲେ । ସବୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଋଣଗ୍ରସ୍ତ ଓଡ଼ିଶାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ସମ୍ପୂର୍ଣ୍ଣ ମୋଡ଼ ବଦଳାଇ ଦେଇଥିଲେ । ଏବେ ତାଙ୍କ ନେତୃତ୍ୱରେ ସବୁ କ୍ଷେତ୍ରରେ ଓଡ଼ିଶାର ପ୍ରଗତିର ଧାରା କ୍ଷିପ୍ର ହୋଇଛି । ମୁଖ୍ୟଢ଼ନ୍ତ୍ରୀ କଥାରେ କମ୍ କାମରେ ଅଧିକ ଭରଷା ରଖନ୍ତି । ତେଣୁ ଆସନ୍ତା ପଦଯାତ୍ରାରେ ଆମକୁ ସଫଳତାର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ ବୋଲି ସେ କହିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ, ବିଜେଡି ଏକ ରାଜନୈତିକ ଦଳରୁ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି । ଦଶନ୍ଧି ଆରମ୍ଭରେ ଏକ ଖାଦ୍ୟ ଅଭାବୀ ରାଜ୍ୟ ଥିବା ଓଡ଼ିଶା ଏବେ ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି । ଖାଦ୍ୟ ସୁରକ୍ଷା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଦେଶର ୧ନମ୍ବର ରାଜ୍ୟର ମାନ୍ୟତା ପାଇଛି । ଚଳିତ ବର୍ଷ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା କିଛି ରାଷ୍ଟ୍ର ପାଇଁ ମଡ଼େଲ ବୋଲି ଘୋଷଣା କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା ଆଦି ସବୁ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି । ଏହି ସଫଳତାର ବାର୍ତ୍ତା ଆମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ବୋଲି ସେ କହିଛନ୍ତି ।
ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଲେ, ସରକାରଙ୍କ ୫ଟି ରୂପାନ୍ତରୀକରଣ ଦଳ ଭିତରକୁ ମଧ୍ୟ ସଞ୍ଚରିତ ହେଉଛି । ଯୁବ, ଛାତ୍ର, ମହିଳା ଶାଖା ଆହୁରି ସଶକ୍ତ ହୋଇଛି । ଏବେ ଏହି ରୂପାନ୍ତରୀକରଣ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଆମର ଦାୟିତ୍ୱ । ନମ୍ରତା, ସେବା ମନୋବୃତ୍ତି, ଜନତାଙ୍କୁ ସମ୍ମାନ, ସ୍ୱଚ୍ଛତା, ସାଧୁତାକୁ ପ୍ରାଥମିକତା ଦେବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ବିଜେପି ଓଡ଼ିଶାରେ ନବୀନ ବାବୁଙ୍କୁ କ୍ଷମତାରୁ ଦୂରେଇ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ନବୀନ ବାବୁ ଓଡ଼ିଶାରୁ ଦାରିଦ୍ର୍ୟକୁ ଦୂରେଇ ଦେବା ପାଇଁ ବାଙ୍ଗାଲୋରରେ ବସି ରଣନୀତି ତିଆରି କରୁଛନ୍ତି । ନବୀନ ବାବୁଙ୍କ ସ୍ଥିର ଓ ଦୃଢ ନେତୃତ୍ୱ ଯୋଗୁଁ ଆଜି ଓଡ଼ିଶାର ଅର୍ଥନୈତିକ ବିକାଶ ସମ୍ଭବ ହୋଇଛି ।
ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ଆମ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସ୍ୱୀକୃତି ଓ ସମ୍ମାନ ଦେଇଛନ୍ତି । ନିଜ ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ଭାଗ ମହିଳାଙ୍କୁ ସୁଯୋଗ ଦେଇଛନ୍ତି ଏବଂ ସାମାଜିକ ମୁଖ୍ୟସ୍ରୋତରେ ସାମିଲ୍ କରିଛନ୍ତି । ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଉପରେ ଆଲୋକପାତ କରି ସାଂସଦ ସସ୍ମିତ ପାତ୍ର କହିଲେ, ନବୀନ ବାବୁ ଓଡ଼ିଶାର ହକ୍ ପାଇଁ ଲଢ଼େଇ କରୁଛନ୍ତି । ଦିଲ୍ଲୀରେ ଆମର କେହି ମାଲିକ ନାହାନ୍ତି, ସାଢ଼େ ଚାରି କୋଟି ଓଡ଼ିଶାବାସୀ ହିଁ ଆମର ମାଲିକ । ପୂର୍ବତନ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓଡ଼ିଶାରେ କ୍ରୀଡାର ଅଭୁ୍ୟଦୟ ଓ ବିଶ୍ୱରେ ପାଇଥିବା ଅନନ୍ୟ ପରିଚୟ ଉପରେ ଆଲୋକପାତ କରିଥିଲେ ।
ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଆମ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନିବା ସହ ଏହାକୁ କାମରେ ଲଗାଇବାର ଅଙ୍ଗୀକାରବଦ୍ଧତାକୁ କାମରେ ଲଗାଇଛନ୍ତି । ବ୍ୟୋମକେଶ ରାୟ ତାଙ୍କ ଅଭିଭାଷଣରେ ଆଗାମୀ ୩୦ ବର୍ଷ ପାଇଁ ଦଳକୁ କାନ୍ଧରେ ଟେକି ଆଗକୁ ନେବା ଲାଗି ଯୁବକଙ୍କୁ ଆହ୍ୱାନ ଦେଇଥିଲେ । ଏହା ବ୍ୟତୀତ ଦଳର ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖି ପଦଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।
ସମାବେଶର ଦ୍ୱିତୀୟ ଅଧିବେଶନରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ନବୀନ ବାବୁଙ୍କୁ ଦେଶର ତିନି ଜଣ ଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଜଣେ ବୋଲି ଅଭିହିତ କରିଥିଲେ । ସେ ଆହୁରି କହିଥିଲେ, ଦେଶର ଅଧେ ନେତା ନବୀନ ବାବୁଙ୍କଠାରୁ ବିନମ୍ରତା ଓ ସରଳତା ଶିଖିବା ଉଚିତ । ଏହି ଅବସରରେ ସେ ଉପସ୍ଥିତ ମହିଳା, ଯୁବ ଓ ଛାତ୍ର ନେତାଙ୍କୁ ନେତୃତ୍ୱ ବିକାଶର ବିଭିନ୍ନ କୌଶଳ ସମ୍ପର୍କରେ ଶିକ୍ଷା ଦେଉଥିଲେ । ପ୍ରାରମ୍ଭରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରଦୀପ ପଜ୍ଜ୍ୱଳନ କରି ସମାବେଶକୁ ଉଦଘାଟନ କରିଥିଲେ । ବନେ୍ଦ ଉକ୍ରଳ ଜନନୀ ଗାନ ହେଲା ପରେ ବୈଠକ ଆରମ୍ଭ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟଣାଣୀ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶ୍ୱିନୀ ପାତ୍ର, ରଘୁନନ୍ଦନ ଦାସ, ରୋହିତ ପୂଜାରୀ, ତୁଷାରକାନ୍ତି ବେହେରା, ବାସନ୍ତୀ ହେମ୍ରମ, ଓଡ଼ିଶା ମୋ ପରିବାର ଅରୂପ ପଟ୍ଟନାୟକ, ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, କଟକ ମେୟର ସୁବାସ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଦଳର ସବୁ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ ।