ଦିଗ୍ବିଜୟ-ଶଶିଙ୍କ ମଧ୍ୟରେ ହେବ ଲଢ଼େଇ
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
ନୂଆଦିଲ୍ଲୀ, ୨୯ା୯: କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ଗୁରୁବାର ଦଳର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବେ । ଶଶି ଥରୁରଙ୍କ ଭଳି ସେ ମଧ୍ୟ ଶୁକ୍ରବାର ନାମାଙ୍କନ ଦାଖଲ କରିବେ । ଅକ୍ଟୋବରରେ ୧୭ରେ ହେବାକୁ ଥିବା ନିର୍ବାଚନ ଦୌଡରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ବାଦ୍ ପଡିଛନ୍ତି । ଗୁରୁବାର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ପ୍ରାୟ ୨ ଘଣ୍ଟା ଆଲୋଚନା କରିବା ପରେ ନିଜେ ଗହଲୋତ ଏକଥା କହିଛନ୍ତି । ତେବେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ସ୍ପଷ୍ଟ ଜଣାପଡିନାହିଁ । ଦିନେ କି ଦୁଇଦିନ ଭିତରେ ସୋନିଆ ଗାନ୍ଧୀ ନିଷ୍ପତ୍ତି ନେବେ ।
ଗହଲୋତ ସୋନିଆ ଗାନ୍ଧୀଙ୍କୁ ରବିବାରର ଘଟଣାକ୍ରମକୁ ନେଇ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିଥିବା ଜଣାଯାଇଛି । କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଗୁରୁବାର ସନ୍ଧ୍ୟାରେ ମିଡିଆ ପ୍ରତିନିଧିମାନଙ୍କୁ କହିଛନ୍ତି, ପୁଣି ଥରେ ଦଳର ପର୍ଯ୍ୟବେକ୍ଷକଙ୍କୁ ଜୟପୁର ପଠାଯିବ । ବିଧାୟକ ଦଳ ବୈଠକ ଡକାଇ ପ୍ରତ୍ୟେକଙ୍କ ମତ ସଂଗ୍ରହ ପରେ ଗହଲୋତ ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ନିଷ୍ପତ୍ତି ନିଆଯିବ ।
ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା ଲାଗି ଗହଲୋତ ଗୋଷ୍ଠୀର ପ୍ରୟାସ ଜାରି ରହିଛି । ବିଧାୟକ ଗୋବିନ୍ଦ ରାମ ମେଘୱାଲ କହିଛନ୍ତି, ଏକଦା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଥାଇ ଅନ୍ୟ ଏକ ଦଳ ସହ ମିଶି ସରକାର ଗଠନ ଉଦ୍ୟମ କରିଥିବା ପାଇଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ସବୁ ବିଧାୟକ ଇସ୍ତଫା ଦେବେ । ଏହି ପରିପ୍ରେକ୍ଷୀରେ ବେଣୁଗୋପାଳ ଆଡ୍ଭାଇଜରୀ ଜାରି କରିଛନ୍ତି େ ଯ ରାଜସ୍ଥାନରେ କଂଗ୍ରେସ ନେତାମାନେ ପରସ୍ପର ବିରୋଧରେ କିମ୍ବା ଦଳର ଆଭ୍ୟନ୍ତରୀଣ ମାମଲା ଉପରେ କୌଣସି ଟିପ୍ପଣୀ ଦେବେନାହିଁ । ଅନ୍ୟଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବା ଲାଗି ସୋନିଆଙ୍କଠାରୁ ସବୁଜ ସଂକେତ ପାଇବା ପରେ ଦିଗ୍ବିଜୟ ଗୁରୁବାର କଂଗ୍ରେସ ମୁଖ୍ୟାଳୟକୁ ଯାଇ ଫର୍ମ ସଂଗ୍ରହ କରିଥିଲେ । ପରେ ସେ ଶଶି ଥରୁରଙ୍କୁ ଯାଇ ଭେଟିଥିଲେ ବୋଲି ଥରୁର ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ଥରୁର ଲେଖିଛନ୍ତି, ଆଜି ଅପରାହ୍ଣରେ ଦିଗ୍ବିଜୟ ସିଂହ ଭେଟିବାକୁ ଆସିଥିଲେ । ମୁଁ ତାଙ୍କ ପ୍ରାର୍ଥôତ୍ୱକୁ ସ୍ୱାଗତ କରୁଛି । ଆମେ ଏହି କଥାରେ ସହମତ ଯେ ଆମ ଦୁହିଁଙ୍କ ଭିତରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗୀତା ହେବ । ଯିଏ ବି ଜିତନ୍ତୁ, ବିଜୟ କଂଗ୍ରେସର ହିଁ ହେବ ।