ବାଦ୍ ପଡ଼ିଲେ ଆହତ ବୁମ୍ରା
ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଉ ଏକ ଝଟ୍କା
ନାଗପୁର, ୨୯ା୯ (ଏଜେନ୍ସି): ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା ଲାଗିଛି । ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରା ପିଠି ଯନ୍ତ୍ରଣା ଯୋଗୁଁ ବିଶ୍ୱକପ୍ରେ ଖେଳିପାରିବେ ନାହିଁ । ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ତାଙ୍କୁ ସୁସ୍ଥ ହେବା ପାଇଁ ଚାରିରୁ ଛଅ ସପ୍ତାହ ଲାଗିପାରେ ।
ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ସେ ଟିମ୍ର ଅଂଶବିଶେଷ ନ ଥିଲେ । ସେ ଅଭ୍ୟାସ ସତ୍ର ସମୟରେ ପିଠି ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ମେଡିକାଲ୍ ଟିମ୍ର ପରାମର୍ଶ କ୍ରମେ ତାଙ୍କୁ ଟି-୨୦ ବିଶ୍ୱକପ୍ ଟିମ୍ରୁ ବାଦ୍ ଦିଆଯାଇଛି । ଏହି ଯନ୍ତ୍ରଣା ଯୋଗୁଁ ସେ ଏସିଆ କପ୍ରେ ମଧ୍ୟ ଖେଳି ନ ଥିଲେ । ତାଙ୍କ ଅନୁପସ୍ଥିତିରେ ଶାମୀଙ୍କୁ ମୁଖ୍ୟ ଟିମ୍ରେ ନିଆଯାଇପାରେ ।
ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିଥିଲେ
ବୁମ୍ରା ପୂରା ଏସିଆ କପ୍ରୁ ବାଦ୍ ପଡ଼ିଥିଲେ, ଯେଉଁଠି ତାଙ୍କର ଅଭାବ ଅନୁଭୂତ ହୋଇଥିଲା ଏବଂ ଭାରତୀୟ ଟିମ୍ ନିରାଶ ହୋଇ ଫେରିଥିଲା । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ର ଟି-୨୦ ଶୃଙ୍ଖଳାରେ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇଥିଲା । ସେଥିରେ ବି ସମ୍ପୂର୍ଣ୍ଣ ଫିଟ୍ ନ ଥିବାରୁ ସେ ପ୍ରଥମ ମ୍ୟାଚ୍ ଖେଳିପାରି ନ ଥିଲେ । ଦ୍ୱିତୀୟ ମ୍ୟାଚ୍ରେ ତାଙ୍କୁ ସୁଯୋଗ ମିଳିଥିଲା ଏବଂ ସେ ଉତ୍ତମ ବୋଲିଂ ପ୍ରଦର୍ଶନ କରିଥିଲେ । ସେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ୍ ଫିଞ୍ଚ୍ଙ୍କୁ ୟର୍କର ବଲ୍ରେ ବୋଲ୍ଡ କରିଥିଲେ । ଏହାପରେ ଖୋଦ୍ ଫିଞ୍ଚ୍ ତାଙ୍କର ପ୍ରଶଂସା କରିଥିଲେ । ତେବେ ପରବର୍ତ୍ତୀ ମ୍ୟାଚ୍ରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭର୍ରେ ୫୦ ରନ୍ ଦେଇଥିଲେ ଓ ଗୋଟିଏ ୱିକେଟ୍ ବି ପାଇ ନ ଥିଲେ ।
ବିଶ୍ୱକପ୍ରେ କେତେ ବଡ଼ କ୍ଷତି
ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ହେବା ପର ଠାରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିବାରେ ଲାଗିଛି । ପ୍ରଥମେ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଆଘାତ ଜନିତ କାରଣରୁ ବିଶ୍ୱକପ୍ରୁ ବାଦ୍ ପଡ଼ିଥିଲେ । ଏହାପରେ ବ୍ୟାଟର୍ ଦୀପକ ହୁଡ଼ା ଆହତ ହୋଇଥିଲେ, ଯାହା ଫଳରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ ।
ଟି-୨୦ ବିଶ୍ୱକପ୍ରେ ବୁମ୍ରାଙ୍କ ଅନୁପସ୍ଥିତି ଟିମ୍ର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ଟିମ୍ ଇଣ୍ଡିଆ ଏସିଆ କପ୍ରୁହିଁ ଡେଥ୍ ଓଭର୍ରେ ବହୁତ ଦୁର୍ବଳ ପ୍ରଦର୍ଶନ କରିଥିଲା । ଟିମ୍ର ଅଭିଜ୍ଞ ବୋଲର୍ ଭୁବନେଶ୍ୱର କୁମାର ୧୮ତମ ଓ ୧୯ତମ ଓଭର୍ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏପରିସ୍ଥଳେ ଆଶା କରାଯାଉଥିଲା ଯେ ବୁମ୍ରା ଆସିବା ଦ୍ୱାରା ଟିମ୍ର ସମସ୍ୟା ଦୂର ହେବ; ହେଲେ ଆଘାତ ଯୋଗୁଁ ଏହି ତାରକା ଖେଳାଳି ବିଶ୍ୱକପ୍ରୁ ବି ବାଦ୍ ପଡ଼ିଛନ୍ତି ।