ଇଣ୍ଡିଆ କ୍ୟାପିଟାଲ୍ସକୁ ୧୬୨ ବିଜୟଲକ୍ଷ୍ୟ

ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍
କଟକ, ୨୯ା୯ (ବୁ୍ୟରୋ): ଜେସି ରାଇଡ଼ର ଓ ମହମ୍ମଦ କୈଫ୍ଙ୍କ ବ୍ୟକ୍ତିଗତ ଅର୍ଦ୍ଧଶତକ ଓ ୧୨୬ ରନ୍ର ଭାଗୀଦାରୀ ବଳରେ ମଣିପୁର ଟାଇଗର୍ସ ଗୁରୁବାର ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି) କଟକ ଲେଗ୍ର ତୃତୀୟ ମ୍ୟାଚ୍ରେ ଇଣ୍ଡିଆ କ୍ୟାପିଟାଲ୍ସକୁ ୧୬୨ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଇଣ୍ଡିଆ କ୍ୟାପିଟାଲ୍ସ ୧୧ ଓଭର୍ରେ ୨ ୱିକେଟ୍ ହରାଇ ୧୦୦ ରନ୍ ସଂଗ୍ରହ କରିଥିଲା । ହାମିଲଟନ୍ ମାସାକାଜା ୪୨ ଓ ରସ୍ ଟେଲର୍ ୧୪ ରନ୍ କରି ଅପରାଜିତ ଥିଲେ । ଅଧିନାୟକ ଗୌତମ ଗମ୍ଭୀର ୧୫ ରନ୍ କରି କ୍ରିସ୍ ମୋଫୁଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଅନ୍ୟତମ ଓପନର୍ ସଲମନ ମିରେ ୨୮ ରନ୍ କରି ଦିଲ୍ହାରା ଫର୍ଣ୍ଣାଣ୍ଡୋଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହା ପୂର୍ବରୁ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଇଣ୍ଡିଆ କ୍ୟାପିଟାଲ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମଣିପାଲ୍ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା । ପୂର୍ବ ମ୍ୟାଚ୍ରେ ଅର୍ଦ୍ଧଶତକ ଲଗାଇଥିବା ତାତେନ୍ଦୁ ତାଇବୁ ମାତ୍ର ୫ ରନ୍ କରି ମିଚେଲ୍ ଜନ୍ସନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ଏବଂ ୩୦ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଏହାପରେ ଅନ୍ୟତମ ଓପନର୍ ରାଇଡ଼ର ନୂଆ ବ୍ୟାଟର୍ କୈଫ୍ଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ଦମ୍ଦାର ବ୍ୟାଟିଂ କରି ଇନିଂସ୍କୁ ୧୦୦ ଓ ଏହାପରେ ୧୫୦ ଅତିକ୍ରମ କରାଇଥିଲେ । ୧୯ତମ ଓଭର୍ରେ ଲିଆମ୍ ପ୍ଲଙ୍କେଟ୍ ଏହି ଦୁଇ ବ୍ୟାଟର୍ଙ୍କୁ ଆଉଟ୍ କରିଥିଲେ । ବାମହାତି କିୱି ବ୍ୟାଟର୍ ରାଇଡ଼ର ବାରବାଟୀରେ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ଉଜ୍ଜ୍ୱଳ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୫୬ ବଲ୍ରୁ ୫ ଲେଖାଏଁ ଚୌକା ଓ ଛକା ସହାୟତାରେ ୭୯ ରନ୍ର ଇନିଂସ୍ ଖେଳିଥିଲେ । ଏହାପରେ କୈଫ୍ ୪୮ ବଲ୍ରୁ ୬୭ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୯ ଚୌକା ଓ ୧ ଛକା ରହିଥିଲା । ଶେଷ ଓଭର୍ରେ କୋରୀ ଆଣ୍ଡରସନ୍ (୪) ଓ ପ୍ରଦୀପ ସାହୁ (୦)ଙ୍କୁ ରଜତ ଭାଟିଆ ଆଉଟ୍ କରିଥିଲେ । ଅଧିନାୟକ ହରଭଜନ ସିଂହ ୧ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *