ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲ୍

ଭୁବନେଶ୍ୱର/କଟକ ୨୯ ।୯ (ବୁ୍ୟରୋ): ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡ଼ିସି) ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିଚାରପତି ସତ୍ୟନାରାୟଣ ଷଡ଼ଙ୍ଗୀ ଓଆରଏଚଡିସିର ତକ୍ରାଳୀନ ଅଧ୍ୟକ୍ଷ ଆଇଏଏସ୍‌ ଅଧିକାରୀ ବିନୋଦ କୁମାର ଓ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିଦେ୍ର୍ଦଶକ ତଥା ବିଧାୟକ ମହମ୍ମଦ ମୋକିମ ଓ ଓଆରଏଚଡ଼ିସି କମ୍ପାନି ସେକ୍ରେଟାରି ସ୍ୱସ୍ତି ରଂଜନ ମହାପାତ୍ର ଓ ମେଟ୍ରୋ ବିଲଡର୍ସର ନିଦେ୍ର୍ଦଶକ ପୀୟୁଷଧାରୀ ମହାନ୍ତିଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ୧୫୦ ଲକ୍ଷ ଟଙ୍କା ଋଣ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ଏହାସହ ସମସ୍ତ ୪ ଦୋଷୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବା ପାଇଁ ଭିଜିଲାନ୍ସ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ । ମେଟ୍ରୋ ବିଲର୍ଡସ ନାଁରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଭିଜିଲାନ୍ସ ବିଭାଗ ତରଫରୁ ଘଟଣାର ତଦନ୍ତ କରାଯାଇଥିଲା । ତଦନ୍ତ ପରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା । କୋର୍ଟ ଉପରୋକ୍ତ ୪ ଜଣଙ୍କୁ ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଓ ସରକାରୀ ପଦବୀର ଅପବ୍ୟବହାର କରି ଅନୁଗ୍ରହ ପ୍ରଦର୍ଶନ କରିବା ଅଭିଯୋଗରେ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ମେଟ୍ରୋ ବିଲଡର୍ସ ପୂର୍ବରୁ ନେଇଥିବା ଋଣ ଫେରସ୍ତରେ ଅବହେଳା କରିଥିଲା । ଏହା ସତ୍ତ୍ୱେ ଦ୍ୱତୀୟ ଥର ଆବେଦନ ହୋଇଥିବା ୧୫୦ ଲକ୍ଷଟଙ୍କାର ଋଣ ମଞ୍ଜୁର ହୋଇଥିଲା । ସେ ସମୟରେ ଓଆରଏଚଡିସି ଅଧ୍ୟକ୍ଷ ଥିବା ବିନୋଦ କୁମାର ତାଙ୍କ ପାଖରେ ଅର୍ଥନୈତିକ କ୍ଷମତା ନଥାଇ ଋଣ ପ୍ରଦାନ କରିଥିଲେ । କାରଣ ଓଆରଏଚଡିସିର ବୋର୍ଡ ଅଫ ଡାଇରେକ୍ଟର ବିନୋଦ କୁମାରଙ୍କୁ ଋଣ ପ୍ରଦାନ କରିବା ପାଇଁ ଆର୍ଥିକ କ୍ଷମତା ପ୍ରଦାନ କରି ନ ଥିଲେ । ଋଣ ଚେକରେ ଦସ୍ତଖତ କରିବା ପାଇଁ ତାଙ୍କ ପାଖରେ କ୍ଷମତା ନ ଥିଲା । ଏହି କାରଣରୁ ସେ ବେଆଇନ ଭାବେ ଋଣ ମଞ୍ଜୁର କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଣେ ଋଣ ଆବେଦନକାରୀ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିଦେ୍ର୍ଦଶକ ମହମ୍ମଦ ମୋକିମ୍‌ ଓ ନିଦେ୍ର୍ଦଶକ ପିୟୂଷଧାରୀ ମହାନ୍ତି ଚଞ୍ଚଚକତା କରି ଋଣ ନେଇଥିବା ଯୋଗୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଇଏଏସ୍‌ ବିନୋଦ କୁମାର ୨୦୦୦ ଜାନୁଆରୀ ୪ ତାରିଖ ଠାରୁ ୨୦୨୧ ମସିହା ମେ’ ମାସ ୧୫ ତାରିଖ ଯାଏଁ ଓଆରଏଚଡ଼ିସି ଅଧ୍ୟକ୍ଷ ଥିଲେ । ଏହି ସମୟରେ ସ୍ୱସ୍ତି ରଂଜନ ମହାପାତ୍ର ଓଆରଏଚଡ଼ିସିର କମ୍ପାନି ସେକ୍ରେଟାରି ଥିଲେ । ୨୦୨୦ ଜୁନ୍‌ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ମେଟ୍ରୋ ସିଟି-୨ ପ୍ରକଳ୍ପର ୫୦ଟି ଫ୍ଲାଟ୍‌ ପାଇଁ ୧୫୦ କୋଟି ଟଙ୍କାର ଋଣ ପାଇଁ ଆବେଦନ କରିଥିଲା । ଆଇଏଏସ୍‌ ଅଧିକାରୀ ବିନୋଦ କୁମାର ଓଆରଏଚଡ଼ିସି ରୁ ମେଟ୍ରୋ ବିଲଡର୍ସ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେକୁ ୨୦୦୦ ମସିହା ଜୁଲାଇ ୬ରୁ ଅଗଷ୍ଟ ୨୮ ତାରିଖ ମଧ୍ୟରେ ତିନିଟି କିସ୍ତି ମାଧ୍ୟମରେ ୧୫୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ଏହି ଘଟଣାରେ ବିଧାୟକ ମୋକିମ କହିଛନ୍ତି, ରାଜନୀତି ଓ ବ୍ୟବସାୟ କଲେ ଏମିତି ଘଟଣା ଘଟେ । ତେଣୁ ନୂଆ କଥା କିଛି ନୁହେଁ । ମେଟ୍ରୋ ବିଲ୍ଡର ପକ୍ଷରୁ ଓଡ଼ିଶା ରୁରାଲ ହାଉସିଂ ଏବଂ ବିକାଶ ବୋର୍ଡ଼ରୁ ଦେଢ଼ କୋଟି ୧୯୯୯ ମସିହାରେ ଋଣ ନେଇଥିଲୁ । ୨୩ ବର୍ଷ ପରେ କେସ ହେଲା । ମୁଁ ୧କୋଟି ୨୬ ଲକ୍ଷ ସୁଝି ସାରିଛି । ଏବେ ମୁଁ ବେଲ୍ ନେଇଛି । ଆସନ୍ତାକାଲି ହାଇକୋର୍ଟରେ ଉକ୍ତ ରାୟ ବିରୋଧରେ ଏକ ପିଟିସନ ଅପିଲ କରିବ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *