ପରଲୋକରେ ଜୟନ୍ତୀ ପଟ୍ଟନାୟକ
୯ଠ ବର୍ଷ ବୟସରେ ଦେହାନ୍ତ
ଭୁବନେଶ୍ୱର, ୨୮ ।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପନôୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ବୁଧବାର ୯୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ଦୁଇ କନ୍ୟା ସୁଦତ୍ତା ଓ ସୁଜାତା ଏବଂ ଏକମାତ୍ର ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଅଛନ୍ତି ।
୧୯୩୨ ଏପ୍ରିଲ ୭ରେ ଜୟନ୍ତୀ ଗଞ୍ଜାମ ଜିଲ୍ଲାର ଆସିକାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ନିରଞ୍ଜନ ପଟ୍ଟନାୟକ ଥିଲେ ଜଣେ ବିଶିଷ୍ଟ ସମାଜସେବୀ । ଆସିକା ହରିହର ହାଇସ୍କୁଲ୍ରେ ଜୟନ୍ତୀ ସ୍କୁଲ୍ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ଶୈଳବାଳା ମହିଳା କଲେଜରୁ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ସେ ମୁମ୍ବାଇସ୍ଥିତ ଟାଟା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସାଲ୍ ସାଇନ୍ସେସ୍ରେ ଉଚ୍ଚତର ଶିକ୍ଷାଲାଭ କରିଥିଲେ ।
୧୯୫୩ରେ ବିଶିଷ୍ଟ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା ।
ଜୟନ୍ତୀ ପଟ୍ଟନାୟକ ଥିଲେ ରାଜ୍ୟର ପ୍ରଥମ ମହିଳା ସାଂସଦ ତଥା ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ପ୍ରଥମ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା । ସେ ୪ଥର ସାଂସଦ ହୋଇଥିଲେ । ଜୟନ୍ତୀ ୧୯୮୧ରେ କଂଗ୍ରେସ ଟିକେଟ୍ରେ ଲୋକସଭା ସାଂସଦ ରୂପେ କଟକରୁ ନିର୍ବାଚିତ ହୋଇଥିଲେ । ପୁନର୍ବାର ୧୯୮୪ରେ କଟକରୁ ଓ ୧୯୯୮ରେ ବ୍ରହ୍ମପୁର ଲୋକସଭା ଆସନରୁ ଜିତିଥିଲେ । ୧୯୯୬ରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ୧୯୮୭ରେ ପ୍ରଥମ ଓଡିଆ ମହିଳାଭାବେ ଅଖିଳ ଭାରତ ମହିଳା କଂଗ୍ରେସ ଅଧ୍ୟକ୍ଷା ହୋଇଥିଲେ ।
ଜୟନ୍ତୀ ଦେବୀ ଜଣେ ଲେଖିକା, ଅନୁବାଦିକା ତଥା ସମ୍ପାଦିକାଭାବେ ସୁପରିଚିତା ଥିଲେ । ପୌରୁଷ ପତ୍ରିକାର ସେ ବହୁବର୍ଷ ଧରି ସମ୍ପାଦନା କରିଆସିଥିଲେ । କେ ଏମ୍ ମୁନ୍ସୀଙ୍କ ଇଂରାଜୀ ଗ୍ରନ୍ଥ କୃଷ୍ଣାବତାର ଓ ମହାଭାରତକୁ ସେ ଓଡିଆରେ ଅନୁବାଦ କରିଛନ୍ତି । ସର୍ବଭାରତୀୟ ସ୍ତରରେ ୧୯୯୨ରେ ତାଙ୍କୁ ସର୍ବଶ୍ରେଷ୍ଠ ନାରୀ ପ୍ରତିଭାଭାବେ ମହିଳା ଶିରୋମଣୀ ଉପାଧି ଓ ୧୯୯୬ରେ ମହିଳା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା ।
ତାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଶୋକବ୍ୟକ୍ତ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶୋକବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ ଜୟନ୍ତୀ ପଟ୍ଟନାୟକ ଜଣେ ବିଶିଷ୍ଟ ରାଜନେତ୍ରୀ ଓ ସୁସାହିତି୍ୟକା ଥିଲେ । ସେ ଦୀର୍ଘବର୍ଷ ଧରି ସାରସ୍ୱତଜଗତ ଓ ଜନଜୀବନକୁ ପ୍ରଭାବିତ କରିଥିଲେ । ତାଙ୍କ ପରଲୋକ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହିତ ।
କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ, ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।