ସହଜ ବିଜୟରୁ ଅଭିଯାନ
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦
ତିରୁଭନନ୍ତପୁରମ୍, ୨୮ା୯ (ଏଜେନ୍ସି): ଅର୍ଶଦୀପ ସିଂହଙ୍କ ନେତୃତ୍ୱରେ ବୋଲର୍ଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଏବଂ ବ୍ୟାଟର୍ ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦୃଢ଼ ପ୍ରଦର୍ଶନ ବଳରେ ଭାରତ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ର ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳାରେ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ଟି-୨୦ରେ ଆୟୋଜକ ଟିମ୍ ୨୦ ବଲ୍ ବାକି ଥାଇ ୮ ୱିକେଟ୍ରେ ମ୍ୟାଚ୍ ଜିତି ୧-୦ରେ ଅଗ୍ରଣୀ ହୋଇଛି । ଅର୍ଶଦୀପ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଦୀପକ, ଅର୍ଶଦୀପ, ପନ୍ତ ଓ ଅଶ୍ୱିନ ସାମିଲ୍
ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପୂର୍ବ ମ୍ୟାଚ୍ରେ ଖେଳିଥିବା ଭାରତର ଚୂଡ଼ାନ୍ତ ଏକାଦଶରେ ଚାରି ପରିବର୍ତ୍ତନ ହୋଇଛି । ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ଅର୍ଶଦୀପ ସିଂହ ଓ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଥିଲା । ଅନ୍ଫିଟ୍ ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ଦୀପକ ଚାହର ଏବଂ ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ସାମିଲ୍ କରାଯାଇଥିଲା ।
ମଙ୍ଗଳବାର ଭାରତୀୟ ଟିମ୍ର ଅଭ୍ୟାସ ସତ୍ର ସମୟରେ ପିଠି ଯନ୍ତ୍ରଣା ଭୋଗିଥିଲେ । ଏହାପରେ ମେଡିକାଲ୍ ଟିମ୍ର ପରାମର୍ଶକ୍ରମେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରୁ ବାଦ୍ ଦିଆଯାଇଥିଲା । ବିଶ୍ୱକପ୍କୁ ଆଖି ଆଗରେ ରଖି ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ କୌଣସି ବଡ଼ ରିସ୍କ ନେବାକୁ ଚାହେଁ ନାହିଁ ।
୯ ରନ୍ ମଧ୍ୟରେ ଅଧା ଆଫ୍ରିକୀୟ ଟିମ୍ ଆଉଟ୍
ଦକ୍ଷିଣ ଆଫ୍ରିକୀୟ ଟିମ୍ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୯ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଶୀର୍ଷ ଓ ମଧ୍ୟକ୍ରମ ତାସ୍ଘର ଭଳି ଭୁଶୁଡ଼ି ଯାଇଥିଲା ।
ପ୍ରଥମ ଓଭର୍ରେହିଁ ପ୍ରଥମ ୱିକେଟ୍ ପଡ଼ିଥିଲା । ଦୀପକ ଚାହର ଆଫ୍ରିକୀୟ ଅଧିନାୟକ ଟେମ୍ବା ବାଭୁମାଙ୍କୁ କ୍ଲିନ୍ ବୋଲ୍ଡ କରିଥିଲା । ଦ୍ୱିତୀୟ ଓଭର୍ ସବୁଠାରୁ ଘାତକ ସାବ୍ୟସ୍ତ ହୋଇଥିଲା । ବାମହାତି ପେସର୍ ଅର୍ଶଦୀପ ସିଂହ ତିନି ୱିକେଟ୍ ନେଇଥିଲେ । ଦ୍ୱିତୀୟ ଓଭର୍ରେ ସେ କୁଇଣ୍ଟନ୍ ଡି’ କକ୍ଙ୍କୁ ବୋଲ୍ଡ କରିଥିଲେ । ଏହାପରେ ଓଭର୍ର ପଞ୍ଚମ ବଲ୍ରେ ରିଲେ ରୋସୋଙ୍କୁ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ କରାଇଥିଲେ । ଶେଷ ବଲ୍ରେ ଡେଭିଡ୍ ମିଲର୍ ବୋଲ୍ଡ ହୋଇଥିଲେ ।
ପଞ୍ଚମ ୱିକେଟ୍ ଦୀପକ ଚାହରଙ୍କ ଖାତାକୁ ଯାଇଥିଲା । ସେ ଟ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ଅର୍ଶଦୀପଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଟିମ୍ର ଚାରି ବ୍ୟାଟର୍ ବାଭୁମା, ରୋସୋ, ମିଲର ଓ ଷ୍ଟବ୍ସ ଖାତା ଖୋଲିପାରି ନ ଥିଲେ । ଡି’ କକ୍ ୧ ରନ୍ କରିଥିଲେ ।
୧୦୬ରେ ଅଟକିଲା ଇନିଂସ୍
ଏହାପରେ ଏଡେନ୍ ମାର୍କରମ ଓ ୱେନ୍ ପର୍ଣ୍ଣେଲ ମିଶି ସ୍ଥିତି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ଷଷ୍ଠ ୱିକେଟ୍ ପାଇଁ ୩୩ ରନ୍ର ଭାଗୀଦାରୀ ହୋଇଥିଲା । ମାର୍କରମ (୨୫)ଙ୍କୁ ଏଲ୍ବିଡବ୍ଲୁ୍ୟ କରିଥିଲେ ହର୍ଷଲ ପଟେଲ୍ ।
ପର୍ଣ୍ଣେଲ୍, କେଶବ ମହାରାଜଙ୍କ ସହ ମିଶି ୨୬ ରନ୍ ଯୋଗ କରିଥିଲେ । ପର୍ଣ୍ଣେଲ୍ (୨୪) ଅକ୍ଷର ପଟେଲ୍ଙ୍କ ଶିକାର ହୋଇଥିଲେ । ଏହାପରେ କେଶବ ମହାରାଜ ସଂଘର୍ଷ ଜାରି ରଖିଥିଲେ । ତାଙ୍କ ପ୍ରୟାସ ଯୋଗୁଁ ଇନିଂସ୍ ୧୦୦ ଅତିକ୍ରମ କରିପାରିଥିଲା । କେଶବ ୩୫ ବଲ୍ରୁ ୪୧ ରନ୍ କରି ହର୍ଷଲଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ସେ କାଗିସୋ ରାବାଡ଼ାଙ୍କ ସହ ୩୩ ରନ୍ ଯୋଗ କରିଥିଲେ ।
ଦକ୍ଷିଣ ଆଫ୍ରିକୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା । ରାବାଡ଼ା ୭ ଓ ଏନରିକ୍ ନୋର୍ତଜେ ୨ ରନ୍ କରି ଅପରାଜିତ ଥିଲେ ।
ଭାରତ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ଚାହର ଓ ହର୍ଷଲ ୨ ଲେଖାଏଁ ଏବଂ ଅକ୍ଷର ଗୋଟିଏ ୱିକେଟ୍ ନେଇଥିଲେ । ଅଶ୍ୱିନ (୨.୦୦) ସବୁଠାରୁ ଇକୋନୋମୀ ବୋଲିଂ କରିଥିଲେ, ହେଲେ ତାଙ୍କୁ ୱିକେଟ୍ ମିଳି ନ ଥିଲା ।
ରୋହିତ ଓ କୋହଲି ବିଫଳ
୧୦୭ ରନ୍ର ସହଜ ବିଜୟଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ର ଆରମ୍ଭ ଭଲ ନ ଥିଲା । ଧୀମା ଆରମ୍ଭ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ନ ପାରି ରାବାଡ଼ାଙ୍କ ଶିକାର ହୋଇଥିଲେ । ଏହାପରେ ଲୋକେଶ ରାହୁଲଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ବିରାଟ କୋହଲି ।
ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୧୬/୧ । କୋହଲି (୩) ମଧ୍ୟ ନିରାଶ କରିଥିଲେ । ତାଙ୍କ ୱିକେଟ୍ ନୋର୍ତଜେଙ୍କ ଖାତାକୁ ଯାଇଥିଲା । ୧୭ ରନ୍ରେ ଦୁଇ ୱିକେଟ୍ ନେଇଥିଲେ ।
ଲକ୍ଷ୍ୟସ୍ଥଳରେ ପହଞ୍ଚାଇଲେ ରାହୁଲ-ସୂର୍ଯ୍ୟ
ଏହାପରେ ରାହୁଲ ନୂଆ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ । ସେମାନେ ଆଉ ୱିକେଟ୍ ପଡ଼ିବାକୁ ଦେଇ ନ ଥିଲେ । ଉଭୟଙ୍କ ଦମ୍ଦାର ପ୍ରୟାସରେ ଇନିଂସ୍ ୧୦୦ ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା ।
ଭାରତୀୟ ଟିମ୍ ୧୬.୪ ଓଭର୍ରେ ୨ ୱିକେଟ୍ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା । ରାହୁଲ ଏକ ଛକା ଲଗାଇ ମ୍ୟାଚ୍ ଫିନିଶ୍ କରିଥିଲେ । ରାହୁଲ ୩୬ ବଲ୍ରୁ ୫୧ (୨ ଚୌକା ଓ ୪ ଛକା ସହାୟତାରେ) ଓ ସୂର୍ଯ୍ୟକୁମାର ୩୩ ବଲ୍ରୁ ୫୦ (୫ ଚୌକା ଓ ୩ ଛକା ସହାୟତାରେ) ରନ୍ କରି ଅପରାଜିତ ଥିଲେ ।