ପିଏଫ୍ଆଇ ସମେତ ୯ ସଙ୍ଗଠନ ବ୍ୟାନ୍

ଜବତ ହେବ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତି
ନୂଆଦିଲ୍ଲୀ, ୨୮ ।୯: କେନ୍ଦ୍ର ଗୃହ ମନ୍ତ୍ରାଳୟ କଟ୍ଟରପନ୍ତୀ ଇସ୍ଲାମିକ୍ ସଂଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଓ ତା’ସହିତ ସଂଶ୍ଳିଷ୍ଟ ଅନ୍ୟ ୮ଟି ସଂଗଠନ ଉପରେ ୫ ବର୍ଷ ପାଇଁ ନିଷେଧାଦେଶ ଜାରି କରିଛି । ଏ ସମ୍ବନ୍ଧୀୟ ଗେଜେଟ୍ ବିଜ୍ଞପ୍ତି ବୁଧବାର ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ୟୁପି, ଆସାମ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି ।
ପିଏଫ୍ଆଇ ବାଦ୍ ଅନ୍ୟ ପ୍ରତିବନ୍ଧିତ ୮ଟି ସଂଗଠନ ହେଲା କ୍ୟାମ୍ପସ୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ସିଏଫ୍ଆଇ), ଅଲ୍ ଇଣ୍ଡିଆ ଇମାମ୍ କାଉନ୍ସିଲ୍ (ଏଆଇସିସି), ରିହାବ୍ ଇଣ୍ଡିଆ ଫାଉଣ୍ଡେସନ୍ (ଆର୍ଆଇଏଫ୍), ନ୍ୟାସନାଲ୍ କନ୍ଫେଡେରେସନ୍ ଅଫ୍ ହୁ୍ୟମାନ୍ ରାଇଟ୍ସ ଅର୍ଗାନାଇଜେସନ୍ (ଏନ୍ସିଏଚ୍ଆର୍ଓ), ଜୁନିୟର୍ ଫ୍ରଣ୍ଟ, ଏମ୍ପାୱାର୍ ଇଣ୍ଡିଆ ଫାଉଣ୍ଡେସନ୍ ଓ ନ୍ୟାସନାଲ୍ ୱିମେନ୍ସ ଫ୍ରଣ୍ଟ୍ ।
ବ୍ୟାନ୍ ପରେ ପିଏଫ୍ଆଇ ଓ ତତ୍ସଂପୃକ୍ତ ସଂଗଠନଗୁଡ଼ିକର କାର୍ଯ୍ୟାଳୟରୁ ହୋର୍ଡ଼ିଂ, ପୋଷ୍ଟର ଇତ୍ୟାଦି କାଢ଼ିନେବା ଆରମ୍ଭ ହୋଇଛି । ନବୀ ମୁମ୍ବାଇ (ମହାରାଷ୍ଟ୍ର)ରେ ବ୍ୟାପକ ପୁଲିସ ବନେ୍ଦାବସ୍ତ ପୂର୍ବକ ପିଏଫ୍ଆଇ ହୋର୍ଡ଼ିିଂ ହଟାଇ ଦିଆଯାଇଛି ।
ୟୁଏପିଏର ଧାରା ୩୫ ଅନୁଯାୟୀ, ଏହି ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ଘୋଷିତ କରାଯାଇଛି । ଏଣିକି କେନ୍ଦ୍ରୀୟ ଏଜେନ୍ସି ଓ ରାଜ୍ୟ ପୁଲିସ ବାହିନୀ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଏହି ସଂଗଠନଗୁଡ଼ିକର ସଦସ୍ୟଙ୍କୁ ଗିରଫ କରିପାରିବେ, ବ୍ୟାଙ୍କ ଆକାଉଣ୍ଟ ଜବତ କରିପାରିବେ, ଏପରିକି ସେମାନଙ୍କ ସମ୍ପତ୍ତି ଆଟାଚ୍ କରିପାରିବେ । ୨୦୧୬ରେ କେନ୍ଦ୍ର ସରକାର ଜାକିର ନାଇକଙ୍କ ସଂଗଠନ ଇସ୍ଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆର୍ଏଫ୍)କୁ ବ୍ୟାନ୍ କରିବା ପରେ ନାଇକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ସ୍ଥାବର ସମ୍ପତ୍ତିକୁ ଆଟାଚ୍ କରିଥିଲେ ।
ୟୁଏପିଏର ଧାରା ୧୦ ଅନୁଯାୟୀ, ପ୍ରତିବନ୍ଧିତ ସଂଗଠନର ସଦସ୍ୟ ହେବା ଅପରାଧ । ଏପରି ସଦସ୍ୟଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଦିଆଯାଇପାରେ । ମାମଲା ଗୁରୁତର ହୋଇଥିଲେ ଆଜୀବନ କାରାବାସ ଏବଂ ବିଶେଷ ପରିସ୍ଥିତିରେ ମୃତୁ୍ୟଦଣ୍ଡ ମଧ୍ୟ ମିଳିପାରେ । ପିଏଫ୍ଆଇ ଆଇଏସ୍ଆଇଏସ୍ ସମେତ ଅନେକ ଆତଙ୍କବାଦୀ ସଂଗଠନ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିଆସିଥିବାର ପ୍ରମାଣ ମିଳିଛି । ଏହାର ସଦସ୍ୟ ଶଠିକ ପାଥେୟକୁ ଏନ୍ଆଇଏ ଜେରା କରିବା ସମୟରେ ଜଣାପଡ଼ିଥିଲା ଯେ ଗତ ଜୁଲାଇ ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଟନା ରାଲିରେ ପିଏଫ୍ଆଇ ପକ୍ଷରୁ ବଡ଼ଧରଣର ଆକ୍ରମଣ ଯୋଜନା ହୋଇଥିଲା ।
ବେଆଇନ ଗତିବିଧିରେ ଲିପ୍ତ ଅନ୍ୟ ୧୩ଟି ସଂଗଠନ ଉପରେ ପୂର୍ବରୁ ନିଷେଧାଦେଶ ଜାରି କରାଯାଇଥିଲା ଯାହା ଏପର୍ଯ୍ୟନ୍ତ ବଳବତ୍ତର ରହିଛି । ସେଗୁଡ଼ିକ ମଧ୍ୟରେ ସିମି, ଉଲ୍ଫା, ପିଏଲ୍ଏ, ଏସ୍ଏଫ୍ଜେ ପ୍ରଭୃତି ଅନ୍ୟତମ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *