ବିକଳ୍ପ ବ୍ୟବସ୍ଥା କର: ହାଇକୋର୍ଟ

ହାଇ ସିକ୍ୟୋରିଟି ନମ୍ବର ପ୍ଲେଟ୍
କଟକ, ୨୮ ।୯ (ବୁ୍ୟରୋ): ହାଇସିକ୍ୟୋରିଟି ନମ୍ବର ପ୍ଲେଟ ସମ୍ପର୍କିତ ରୁଜୁ ମାମଲାରେ ନମ୍ବର ପ୍ଲେଟ ଲଗାଇବାକୁ ସୁ-ବ୍ୟବସ୍ଥିତ ନ କରି ନିର୍ଦ୍ଧାରିତ ସମୟସୀମାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍ଲାଇନ ବ୍ୟବସ୍ଥା ନ ଥିବାବେଳେ ଏଚଏସ୍ଆରପି (ହାଇସିକ୍ୟୋରିଟି ରେଜିଷ୍ଟ୍ରେସନ ପ୍ଲେଟ)ରେ ବୁକିଂ କରିବା ସମ୍ଭବ ମଧ୍ୟ ହେଉନାହିଁ । ତେଣୁ ଏ କ୍ଷେତ୍ରରେ କ’ଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଇବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହାସହ ଆବଶ୍ୟକୀୟ ଭିତ୍ତିଭୂମି ବିନା ଏହାକୁ ଲାଗୁ କରିବା କେତେ ଦୂର ଠିକ୍, ସମୟସୀମା ଆଉ ବଢ଼ାଯାଇ ପାରିବ କି ନାହିଁ, ଏହାର ଅନ୍ୟ କ’ଣ ବିକଳ୍ପ ରହିଛି ସେ ନେଇ ସରକାରଙ୍କ ଠାରୁ ଜବାବ ଲୋଡ଼ିଛନ୍ତି ହାଇକୋର୍ଟ । ସରକାରୀ ଓକିଲଙ୍କୁ ଏ ବାବଦରେ ସତ୍ୟପାଠ ମାଧ୍ୟମରେ ତଥ୍ୟଦେବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ପବିତ୍ର ମୋହନ ଖଟୁଆଙ୍କ ଆବେଦନର ଶୁଣାଣି କରି ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ଲୋକ, ଅଶିକ୍ଷିତ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ଫିଟମେଣ୍ଟ ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ରେ ଦିନ ଧାର୍ଯ୍ୟ ହୋଇଛି ।
ସୂଚନାଯୋଗ୍ୟ, ଅକ୍ଟୋବର୧ରୁ ହାଇସିକ୍ୟୋରିଟି ନମ୍ବର ପ୍ଲେଟର ଚେକିଂ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତା’ ପୂର୍ବରୁ ଦୁଇଦିନ ମଧ୍ୟରେ ପରିବହନ ବିଭାଗରୁ ମତାମତ ଆଣି କୋର୍ଟରେ ଉପସ୍ଥାପନ କରିବାକୁ ସରକାରୀ ଓକିଲଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ହାଇକୋର୍ଟ । ଦଶରେ ୨୦୧୯ ଏପ୍ରିଲ ୧ରୁ ବିଭିନ୍ନ ଯାନବାହନରେ ହାଇସିକ୍ୟୋରିଟ ନମ୍ବର ପ୍ଲେଟ ବା ଏଚ୍ଏସ୍ଆର୍ପି ଲାଗୁ କରାଯାଇଛି । ତା ପୂର୍ବରୁ ଥିବା ଯାନଗୁଡିକରେ ମଧ୍ୟ ହାଇସିକ୍ୟୋରିଟି ନମ୍ବର ପ୍ଲେଟ ବା ଏଚ୍ଏସ୍ଆର୍ପି ଫିଟ୍ମେଣ୍ଟ କରାଇବାକୁ କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ନିଦେ୍ର୍ଦଶ ଦେଇଛନ୍ତି । ଓଡିଶାରେ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ପରିବହନ ନିଗମ ମେ’ ଶେଷ ସପ୍ତାହରେ ବିଜ୍ଞପ୍ତି ଜାରି କରିଥିଲେ । ନିଜ ଗାଡି ନମ୍ବରର ଶେଷରେ ୧ ଓ ୨ ଥିଲେ ଅଗଷ୍ଟ ୩୧ ଏଚଏସଆରପି ଫିଟମେଣ୍ଟ ପାଇଁ ଶେଷ ତାରିଖ ଥିଲା । କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ତାହାକୁ ଆଉ ଏକମାସ ବୃଦ୍ଧି କରାଯାଇଥିଲା । ୧,୨,୩,୪ ନମ୍ବର ପାଇଁ ସେପ୍ଟେମ୍ବର ୩୦, ଗାଡି ନମ୍ବର ଶେଷରେ ୫ ଓ ୬ ଥିଲେ ଅକ୍ଟୋବର ୩୧, ୭ ଓ ୮ ଥିଲେ ନଭେମ୍ବର ୩୦, ଗାଡି ନମ୍ବର ଶେଷରେ ୯ ଓ ୦ ଥିଲେ ଡିସେମ୍ବର ୩୧ ଶେଷ ତାରିଖ ଭାବେ ଏଚ୍ଏସ୍ଆର୍ପି ଫିଟ୍ମେଣ୍ଟ ପାଇଁ ଧାର୍ଯ୍ୟ କରିଛି ବିଭାଗ । କିନ୍ତୁ ବୁକିଂ କରିବା ଓ ସ୍ଲଟ୍ ପାଇବାରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଜନସାଧାରଣ । ଗତ ୨୬ ତାରିଖରେ ରାଜ୍ୟ ପରିବହନ ନିଗମ ଅନ୍ୟ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲା ଯେ, ଯଦି ଏଚଏସଆରପି ଫିଟମେଣ୍ଟ ପାଇଁ ବୁକିଂ କରିଥିବେ ସେହି ସ୍ଲିପ ଦେଖାଇଲେ ଧାର୍ଯ୍ୟ ଜରିମାନାରୁ ମୁକ୍ତି ପାଇ ପାରିବେ । କିନ୍ତୁ କଟକ ଭୁବନେଶ୍ୱରରେ ଟ୍ରାଫିକ ପୋଷ୍ଟରେ ସିସିଟିଭି କ୍ୟାମେରାର ଫଟୋ ଉଠାଇ ଭିସିଆର ମେସେଜ ମୋବାଇଲକୁ ଛଡାଯାଉଛି । ଏଭଳି ସ୍ଥଳେ କାହାକୁ ଗାଡି ମାଲିକ ଫିଟମେଣ୍ଟ ବୁକିଂ କରିଥିବା ରସିଦ ଦେଖାଇବେ ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଥିଲେ । ଏଚ୍ଏସ୍ଆର୍ପି ଫିଟମେଣ୍ଟ ପାଇଁ ଅଧିକ ଦୁଇ ମାସ ସମୟ ଦେଇ ହେବ କି ନାହିଁ ବୋଲି ସେ ସମ୍ପର୍କରେ ବିଭାଗରୁ ବୁଝି ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିଦେ୍ର୍ଦଶ ଦେଇଛନ୍ତି ଖଣ୍ଡପୀଠ । ତେଣୁ ହାଇକୋର୍ଟ ଗତ ମେ’ ୨୬ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ରଦ୍ଦ କରନ୍ତୁ ନଚେତ୍ ସାଧାରଣ ନାଗରିକଟିଏ ଯେପରି ସୁବିଧାରେ ଏହି ପ୍ଲେଟ୍ ଲଗାଇ ପାରିବ ସେଥିପାଇଁ ଏକ ଗାଇଡ୍ଲାଇନ୍ ଆଣିବାକୁ ନିଦେ୍ର୍ଦଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ । ଏଥିରେ ପରିବହନ ବିଭାଗ ସଚିବ, ଏସ୍ଟିଏ କମିସନର, ପୁଲିସ୍ ଆଇଜି, କଟକ-ଭୁବନେଶ୍ୱର ପୁଲିସ୍ କମିସନର ଏବଂ କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ କାଜଲ ସାହୁ ମାମଲା ପରିଚାଳନା କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *