୧୫ ପରେ ବାତ୍ୟା!
ଭୁବନେଶ୍ୱର (ବୁ୍ୟରୋ): ଉତ୍ତର-ପଶ୍ଚିମ ଏବଂ ଏହାର ଆଖପାଖ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବସ୍ଥିତ ରହିଛି । ସମୁଦ୍ର ପତନଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ଏହା ବିସ୍ତାରିତ ହୋଇଥିବାବେଳେ ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ପ୍ରକାଶ ପାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରଦତ୍ତ ତଥ୍ୟ ମୂତାବକ, ୨୯ ତାରିଖ ଅର୍ଥାତ୍ ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ସେହିପରି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସ୍ଥିତି ପହିଲା ଯାଏଁ ଲାଗି ରହିବ ।
ସେହିପରି ପହିଲାରୁ ଉତ୍ତର-ପୂର୍ବ ଏବଂ ଏହାର ଆଖପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୩ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନାଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଗଜପତି, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଜାରି ସୂଚନାରୁ ପ୍ରକାଶ ପାଇଛି । ସେହିପରି ୩୦ ତାରିଖ ଦିନ ବର୍ଷାର ପରିମାଣ ସାମାନ୍ୟ କମ୍ ରହିବ । କିନ୍ତୁ ୧୨ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ୧ରୁ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସହ ବର୍ଷାର ବିସ୍ତୃତି ବଢ଼ିବ ।
ସେପଟେ ଅକ୍ଟୋବର ମାସରେ ସାଧାରଣତଃ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୁଏ । ଚଳିତ ଅକ୍ଟୋବରରେ ମଧ୍ୟ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ହେବ । ଏହି ସମୟରେ ପ୍ରଶଶନ୍ତ ମହାସାଗରରେ ଲା-ନିନାର ପ୍ରଭାବ ଥିବାରୁ ଅକ୍ଟୋବରରେ ସିରିଜ୍ ଘୁର୍ଣ୍ଣିବଳୟ ସହ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି । ବହୁ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଥିବାବେଳେ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି, ଅକ୍ଟୋବରରେ ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଭଲ ବର୍ଷା ପାଇବେ । ଅକ୍ଟୋବର ପହିଲାରୁ ୧୦ ତାରିଖ ମଧ୍ୟରେ ଏକାଧିକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ୧ରେ ଗୋଟିଏ ଘୁଣ୍ଣିର୍ବବଳୟ ସୃଷ୍ଟି ହୋଇ ୩ ଯାଏଁ ଓଡ଼ିଶା-ଆନ୍ଧ୍ର ଉପକୂଳରେ ବର୍ଷା ଦେବ । ସେହିପରି ୪ରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ସେହିପରି ୭ରେ ଓ ୧୦ରେ ଆଉ ୨ଟି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା ରହିଛି ।
ଅକ୍ଟୋବର ମଧ୍ୟ ଭାଗ ବେଳକୁ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବା ଆଶଙ୍କା ଥିବାବେଳେ ୧୫ରୁ ୨୩ ମଧ୍ୟରେ ଏକ ବଳଶାଳୀ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା ରହିଛି । ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ବାତ୍ୟା ପାଇଁ ପାଗ ଅନୁକୂଳ ଥାଏ । ସମୁଦ୍ର ଉପରେ ତାପାମତ୍ରା ଅଧିକ ରହୁଥିବାରୁ ସୃଷ୍ଟ ଘୁର୍ଣ୍ଣିବଳୟ ଅଧିକ ଘନିଭୂତ ହୋଇ ବାତ୍ୟା ରୂପ ନିଏ । ତେଣୁ ୧୫ରୁ ୨୩ ମଧ୍ୟରେ ରାଜ୍ୟକୁ ବଡ଼ ଲଘୁଚାପ ନଚେତ୍ ବାତ୍ୟା ଆସିପାରେ । ଏହାର ପ୍ରଭାବ ମୁଖ୍ୟତଃ ଓଡ଼ିଶା-ଆନ୍ଧ୍ର ସହ ତେଲେଙ୍ଗାନା ଉପରେ ପଡ଼ିବା ସମ୍ଭାବନା ରହିଥିବା ପ୍ରଫେସର ଶ୍ରୀ ପଟ୍ଟନାୟକ କହିଛନ୍ତି ।