ମରଣଯନ୍ତ୍ରା ପାଲଟିଛି ଜଗଦଳା-ଫୁଲଝର ରାସ୍ତା

ଖାଲଖମା ଯୋଗୁ ଯାତାୟାତରେ ସମସ୍ୟା
କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରଙ୍ଗଡିହିଠାରୁ ଫୁଲଝର ଦେଇ ଜଗଦଳା ଯାଇଥିବା ରାସ୍ତା ଦୀର୍ଘ ବର୍ଷ ହେଲା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଫଳରେ ଏହି ରାସ୍ତାରେ ଚଳପ୍ରଚଳ କରିବାରେ ସମସ୍ୟା ଦେଖାଦେଉଛି । ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ରାସ୍ତା ଅବସ୍ଥା ଏପରି କଦର୍ଯ୍ୟ ହୋଇଛି ଯେ ଯାତାୟାତ କରିବା ଅସମ୍ଭବ ହୋଇପଡ଼ିଛି । ରାସ୍ତା ମଝିରେ ବଡ ବଡ ଖାଲ ହୋଇ ପାଣି ଜମି ରହିଛି । କେତେକ ସ୍ଥାନରେ ପିଚୁ ଉଠି ଆଁ କଲାଣି ତ ଆଉ କେତେକ ସ୍ଥାନରେ ମେଟାଲଗୁଡିକ ବାହାରି ଗାଡିମୋଟର ଯିବାରେ ସମସ୍ୟା ସୃଷ୍ଟି କରୁଛି ।
ପୂର୍ତ୍ତ ବିଭାଗର ଏହି ୨୮ କିଲୋମିଟର ରାସ୍ତା ଉପରେ ପାଖାପାଖି ୧୦ ଟି ପଂଚାୟତର ଲୋକେ ନିର୍ଭର କରନ୍ତି । ପ୍ରତ୍ୟହ ଶହ ଶହ ଗାଡିମୋଟର, ସାଇକଲ ଏବଂ ଅନ୍ୟାନ୍ୟ ଯାନବାହନ ଚଳପ୍ରଚଳ କରୁଛି । ହଜାର ହଜାର ଲୋକ ରାସ୍ତା ଉପରେ ନିର୍ଭରଶୀଳ । ବିଜୁ ଗାଁ ଗାଡି ମଧ୍ୟ ରାସ୍ତାରେ ଚଳପ୍ରଚଳ କରୁଛି । ଏହି ରାସ୍ତା ଉପରେ ଫୁଲଝର, ଅଁରା ରେ ଥିବା ୨ଟି କାରଖାନାର ଭାରୀଯାନ ଚଳାଚଳ କରୁଛି । ନିମ୍ନମାନର କାମ ଓ ଭାରୀଯାନ ଚଳାଚଳ ଯୋଗୁ ରାସ୍ତା ବିପଦପୂର୍ଣ୍ଣ ହୋଇପଡିଛି ।
ଡିଏମ୍ଏଫ ଅର୍ଥରେ ଉକ୍ତ ରାସ୍ତା ନିର୍ମାଣ କରାଯାଇଥିଲା । ପ୍ରାୟ ୧୨ କିଲୋମିଟର ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି । ଏହି ରାସ୍ତାରେ ଯାତ୍ରୀବାହୀ ଗାଡି ଯିବାକୁ ଅମଙ୍ଗ ହେଉଥିବାରୁ ସ୍ଥାନୀୟ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗ କରୁଛନ୍ତି । ଫୁଲଝର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ଅନେକ ସମୟରେ ଆମ୍ବୁଲାନ୍ସ, ଦମକଳ ଯାଇପାରୁନି । ସ୍କୁଲ କଲେଜ ପିଲା ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି । ବର୍ଷା ଦିନେ ସମସ୍ୟା ଆହୁରି ଉକ୍ରଟ ହେଉଛି । ବହୁ ସମୟରେ ଯାନବାହନର ଯନ୍ତ୍ରାଂଶ ଭାଙ୍ଗି ବ୍ରେକଡାଉନ ହେଉଛି । ସ୍ଥାନୀୟ ଲୋକଙ୍କ ପ୍ରତିବାଦ କଲେ ଯେଉଁ ମରାମତି କରାଯାଉଛି ତାହା ମଧ୍ୟ ଅଳ୍ପଦିନରେ ଭାଙ୍ଗି ପୂର୍ବପରି ହୋଇଯାଉଛି । ଖରାଦିନରେ ଧୂଳିଧୂଆଁ ଉଡି ଗାଁ ଗଣ୍ଡାରେ ପ୍ରଦୂଷଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । କାଳିଆପାଳ ନାଳ ପାଖରେ ୧ ମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ହାତୀକୂଆଁ ପାଖରେ ରାସ୍ତା ଶୋଚନୀୟ ହୋଇ ଗାଡିଚଳାଚଳ ଅନୁପଯୋଗୀ ହୋଇପଡିଛି । ବାଇକ ଓ ସାଇକେଲ ଆରୋହୀ ଅଧିକାଂଠଶ ସମୟ ଦୂର୍ଘଟଣାର ଶିକାର ହେଉଛନ୍ତି ।
ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ଅନେକ ସମୟରେ ଜନ ଅସନ୍ତୋଷ ବଢୁଥିବାରୁ ଏହାର ଆକ୍ରୋଶର ଶିକାର ସ୍ଥାନୀୟ ଶିଳ୍ପସଂସ୍ଥା ହେଉଛନ୍ତି । ବହୁ ସଂଖ୍ୟାରେ ଭାରୀଯାନ ଚଳାଚଳ ହେଉଥିବାରୁ ଉକ୍ତ ରାସ୍ତା ଅବସ୍ଥା ସଙ୍ଗିନ୍ ହୋଇପଡିଛି ବୋଲି ଫୁଲଝର ଗ୍ରାମର କ୍ଷେତ୍ରମୋହନ ମହାନ୍ତି ଏବଂ କାଳିଆପାଳ ଗ୍ରାମର ବେଣୁଧର ନାୟକ ଅଭିଯୋଗ କରିଛନ୍ତି । ତେଣୁ ଉନ୍ନତ ମାନର ସୃଦୃଢ ରାସ୍ତା ନିର୍ମାଣ କରିବାକୁ ସମିତି ସଭ୍ୟ ସୁରେଶ ବାରିକ, ୱାର୍ଡ ମେମ୍ବର ଶୁକଦେବ ନାୟକ, ରାମ ନାୟକ, ବାବନ ନାୟକ, ଇନ୍ଦ୍ରମଣୀ ନାୟକ, ନବ ନାୟକ, ଶୈଳ ନାୟକ, ନିଳାମ୍ବର ନାୟକ, ମଦନ ମୁଣ୍ଡା, ଆଇରା ମୁଣ୍ଡା, ଶ୍ରାବଣୀ ନାୟକ ପ୍ରମୁଖ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *