ଆଶା ପାରେଖ ପାଇବେ ଫାଲ୍କେ ପୁରସ୍କାର

ନୂଆଦିଲ୍ଲୀ, ୨୭ା୯: ବଲିଉଡର ବିଗତ ଦିନର ଦିଗ୍ଜ ଅଭିନେତ୍ରୀ ଆଶା ପାରେଖଙ୍କୁ ଚଳିତ ବର୍ଷ ଦାଦା ସାହେବ ଫାଲ୍କେ ସମ୍ମାନ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ଆସନ୍ତା ୩୦ ତାରିଖ ଦିନ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ହେବାକୁ ଥିବା ୬୮ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶାଙ୍କୁ ଫାଲ୍କେ ପୁରସ୍କାର ପ୍ରଦାନ କରିବେ । ପୁରସ୍କାର ସ୍ୱରୂପ ଆଶା ପାଇବେ ଏକ ସ୍ୱର୍ଣ୍ଣ କମଳ ମେଡାଲ୍ ଏବଂ ପ୍ରାୟ ୧୦ ଲକ୍ଷ ଟଙ୍କା ।
୧୯୫୦ରୁ ୧୯୭୩ ମସିହା ମଧ୍ୟରେ ତାଙ୍କ ଅଭିନୀତ ଅନେକ ଫିଲ୍ମ ଯଥା- କଟିପତଙ୍ଗ୍, ଦୋ ବଦନ, ଆନ୍ ମିଲୋ ସଜନା, ମେରା ଗାଁଓ ମେରା ଦେଶ, ସମାଧି, ଉପକାର, କାରୱାଁ, ଚିରାଗ ପ୍ରଭୃତି ହିଟ୍ ହୋଇଥିଲା । ଜୁବୁଲି ଗର୍ଲ ନାମରେ ଖ୍ୟାତି ଅର୍ଜିଥିବା ଆଶା ପାରେଖ ୧୦ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ କରି ମୋଟ୍ ୫୫ଟି ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ସମୟରେ ସେ ସବୁଠାରୁ ଫିସ୍ ନେଉଥିବା ଅଭିନେତ୍ରୀ ଥିଲେ । ଆଶା ଅଭିନୀତ ପ୍ରଥମ ଫିଲ୍ମ ଥିଲା ଆସମାନ୍ । ଶେଷଥର ପାଇଁ ସେ ୧୯୯୯ରେ ‘ସର ଅାଁଖୋଁ ପର’ରେ ନଜରକୁ ଆସିଥିଲେ । ପରବର୍ତ୍ତୀ କାଳରେ ସେ ଫିଲ୍ମ ପ୍ରଯୋଜନା ଓ ନିଦେ୍ର୍ଦଶନା କ୍ଷେତ୍ରରେ କାମ କଲେ ।
ଆଶା ପାରେଖଙ୍କୁ ୧୯୯୨ରେ ମିଳିଥିଲା ପଦ୍ମଶ୍ରୀ ସମ୍ମାନ । ୨୦୦୨ ଓ ୨୦୦୪ରେ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡରେ ଏବଂ ୨୦୦୭ରେ ଅନ୍ତର୍ରାଷ୍ଟୀୟ ଫିଲ୍ମ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ଏ ପର୍ଯ୍ୟନ୍ତ ହିନ୍ଦୀ, ବଙ୍ଗଳା ଓ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ମୋଟ୍ ୫୩ଜଣ ଦିଗଜଙ୍କୁ ମିଳିଛି ଫାଲ୍କେ ପୁରସ୍କାର । ସର୍ବ ପ୍ରଥମେ ୧୯୬୯ରେ ଭାରତୀୟ ସିନେମାର ଫାଷ୍ଟ ଲେଡି ନାମରେ ଜଣାଶୁଣା ଦେବୀକା ରାଣୀଙ୍କୁ ଏବଂ ୧୯୭୧ରେ ପୃଥ୍ୱୀରାଜ କପୁରଙ୍କୁ ମିଳିଥିଲା ଫାଲ୍କେ ସମ୍ମାନ । ପ୍ରତିବର୍ଷ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ ପ୍ରଦାନ ଅବସରରେ ଫାଲ୍କେ ପୁରସ୍କାର ଦିଆଯାଇଥାଏ । କିନ୍ତୁ କରୋନା ମହାମାରୀ କାରଣରୁ ଦୁଇବର୍ଷ ହେଲା ଏହା ବନ୍ଦ ଥିଲା । ୨୦୧୮ରେ ଅମିତାଭ୍ ବଚ୍ଚନ ଓ ୨୦୧୯ରେ ରଜନୀକାନ୍ତ ଏହି ସମ୍ମାନ ପାଇଥିଲେ ।
ଦାଦା ସାହେବ ଫାଲ୍କେଙ୍କୁ ଭାରତୀୟ ସିନେମାର ଜନକ ବୋଲି କୁହାଯାଏ । ଯେତେବେଳେ ଭାରତରେ କ୍ୟାମେରା, ସ୍କ୍ରିପ୍ଟ, ଡାଏଲଗ୍ ଓ ପ୍ରଡକ୍ସନ୍ ବ୍ୟବସ୍ଥା ନ ଥିଲା । ସେ ସମୟରେ (୧୯୧୩ରେ) ଫାଲ୍କେ ୧୫ ହଜାର ଟଙ୍କା ଖର୍ଚ୍ଚ କରି ତାଙ୍କ ପ୍ରଥମ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ନିର୍ମାଣ କରିଥିଲେ । ଏହି ଫିଲ୍ମ ପାଇଁ ସେତେବେଳେ ହିରୋଇନ୍ ମଧ୍ୟ ମଳିଲେ ନାହିଁ । ଫିଲ୍ମ ପାଇଁ ତାଙ୍କୁୂ ପତ୍ନୀଙ୍କ ଗହଣା ମଧ୍ୟ ବିକିବାକୁ ପଡିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *