ପାଇକରାପୁର ଗାଁ ମୁଣ୍ଡରେ ହାତୀପଲ

ଚୌଦ୍ୱାର (ଆପ୍ର): ଚୌଦ୍ୱାର ପୌରପାଳିକା ୧୩ ନମ୍ବର ୱାର୍ଡ଼ ପାଇକରାପୁର ଗ୍ରାମ ନିକଟରେ ଥିବା ବନ୍ଦ ବଲ୍ଲାରପୁର କାଗଜ କଳ ପରିସରରେ ଏକ ୩ ଘରିଆ ହାତୀପଲ ରହିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସଂନ୍ଧ୍ୟା ପ୍ରାୟ ୬ଟା୩୦ ସମୟରେ ଚୌଦ୍ୱାର ଥାନା ଟିପିଏମ ଫାଣ୍ଡୀ ଅଧିନରେ ଥିବା ବନ୍ଦ କାଗଜ କଳ ପରିସରରେ ଏହି ହାତୀପଲ ରହିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ସ୍ଥାନୀୟ କିଛି ବାସିନ୍ଦା ବନବିଭାଗକୁ ଖବର ଦେବାରେ ବିଭାଗ ତରଫରୁ କାଗଜ କଳ ଚତୁର୍ପାଶ୍ୱରେ କଡା ପହରା ଦିଆଯିବା ସହିତ ହାତୀମାନଙ୍କ ଗତିବିଧି ଉପରେ ନଜର ରଖା ଯାଇଛି । ଏହି କାଗଜ କଳଟି ଦୀର୍ଘଦିନ ହେବ ବନ୍ଦ ରହିବା ଫଳରେ ଏହା ପରିସରରେ ଅନାବନା ଗଛବୃଚ୍ଛ ଉଠି ଜଙ୍ଗଲ ହୋଇ ଗଲାଣି ।
ଏଥିସହିତ ଏହାର ପାଚେରୀ ସବୁ ଭାଙ୍ଗି ଯାଇଥିବାରୁ ପ୍ରତିବର୍ଷ ହାତୀମାନେ କାରଖାନା ଭିତରକୁ ପଶି ଏହା ପରିସରରେ ଥିବା ବିସ୍ତିର୍ଣ୍ଣ ଜଙ୍ଗଲିଆ ସ୍ଥାନରେ ଲୁଚି ରହୁଛନ୍ତି । ରାତି ହେଲେ ଆଖପାଖ ଚାଷଜମି ଏବଂ ଲୋକଙ୍କ ବାଡ଼ି ଘରରେ ପଶି ଫସଲ ନଷ୍ଟ କରୁଛନ୍ତି । କାଗଜକଳ ପରିସରରେ ଥିବା ହାତୀ ଗୁଡ଼ିକ ଯେପରି ସ୍ଥାନୀୟ ଅଞ୍ଚଳରେ କୌଣସି କ୍ଷତି ନ ଘଟାନ୍ତି ସେଥିପାଇଁ ଚୌଦ୍ୱାର ଫାଣ୍ଡୀ ଅଧିକାରୀ ରଞ୍ଜନ ନାୟକ,ପୋଲିସ ଦଳ ଓ ବନବିଭାଗ କର୍ମଚାରୀ ମାନେ ଉକ୍ତ ସ୍ଥାନକୁ ଜଗି ରହିଛନ୍ତି ।ବିଳମ୍ବିତ ରାତିରେ ଜନ ଗହଳି କମିଲେ ଏହି ହାତୀ ମାନଙ୍କୁ ଘଉଡ଼େଇ ଜଙ୍ଗଲ ମୁହାଁ କରାଯିବ ବୋଲି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ ଗତ ଫେବୃୟାରୀ ମାସରୁ ଚନ୍ଦକା ଜଙ୍ଗଲରୁ ଆସିଥିବା ଏକ ୨୩ ଘରିଆ ହାତୀପଲ ଖଣ୍ଟୁଣି ବନାଞ୍ଚଳ ଦେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ବହୁ ଲୋକଙ୍କ ଘରେ ପଶି ଧାନଚାଉଳ ନଷ୍ଟ କରିଥିଲେ । ଏପରିକି ଅନେକଙ୍କ ଚାଳଛପର ଘର ଭାଙ୍ଗିଦେଇ ପୁଣି ଚନ୍ଦକା ଜଙ୍ଗଲକୁ ଫେରିଯାଇ ଥିଲେ । ଏବେ ପୁଣି ହାତୀମାନେ ଜନବସତି ମୁହାଁ ହୋଇଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *