ମହାପ୍ରଭୁଙ୍କ ଜମିର ହେବ ଡିଜିଟାଇଜେସନ୍
ଶ୍ରୀମନ୍ଦିର ପରିଚାଳନା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କ ଜମିର ଡିଜିଟାଇଜେସନ୍ କରାଯିବ । ଏହାକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ଓରସାକର ସହାୟତା ନିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେବାୟତ ପିଲମାନଙ୍କ ଲାଗି ଆଦର୍ଶ ଗୁରୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମି ଲିଜ୍ରେ ଦିଆଯାଇଛି । ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟରେ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଛି । ଆସନ୍ତା ପରିଚାଳନା କମିଟି ବୈଠକରେ ବିର୍ଲା ଫାଉଣ୍ଡେସନ ସହ ମାଷ୍ଟରପ୍ଲାନ୍ ନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ । ସେହିପରି ଗରିବ ସେବାୟତଙ୍କ ଲାଗି ବାସଗୃହ ଯୋଜନାକୁ ତ୍ୱରାନ୍ୱିତ କରାଯାଉଛି । ଅକ୍ଟୋବର ୬ରେ ଟେଣ୍ଡର ଖୋଲାଯିବା ପରେ ହରଚଣ୍ଡୀ ସାହି ମୌଜାରେ ଚିହ୍ନଟ ହୋଇଥିବା ୩ ଏକର ଜମି ସ୍ଥାନରେ ପାଚେରି ନିର୍ମାଣ ଆରମ୍ଭ ହେବ । ସେହିଭଳି ମହାକାର୍ତ୍ତିକ ମାସ ପାଇଁ ଗତ ୨୨ରେ ବସିଥିବା ନୀତି ସବ୍କମିଟି ଓ ଛତିଶା ନିଯୋଗ ବୈଠକରେ ଠାକୁରଙ୍କ ନୀତିକାନ୍ତି ଉପରେ ହୋଇଥିବା ନିଷ୍ପତ୍ତିରେ ମୋହର୍ ଲଗାଇଛନ୍ତି । ବିଶେଷ ଭାବେ କାର୍ତ୍ତିକ ମାସରେ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦର୍ଶନ ବ୍ୟବସ୍ଥା, ସୁବିଧାରେ ମହାପ୍ରସାଦ କିଭଳି ଭକ୍ତ ଓ ହବିଷ୍ୟାଳୀମାନେ ପାଇବେ ସେ ନେଇ ଆଲୋଚନା କରାଯାଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳାଦି୍ର ଭକ୍ତନିବାସରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଏଏସ୍ଆଇର ବରିଷ୍ଠ ଅଧିକାରୀଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
ଭିତର ରତ୍ନଭଣ୍ଡାର ଦୁର୍ବଳ
ମଙ୍ଗଳବାର ସ୍ଥାନୀୟ ନୀଳାଦି୍ର ଭକ୍ତନିବାସରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରତ୍ନଭଣ୍ଡାର ସର୍ମ୍ପକରେ ଅବଗତ କରାଇଥିଲେ ଏଏସ୍ଆଇ କର୍ତ୍ତୃପକ୍ଷ । ଏଏସ୍ଆଇ ପକ୍ଷରୁ କୁହାଯାଇଥିଲା ଯେ, ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଦୁର୍ବଳ ଓ ଖରାପ ରହିଥିବା ନେଇ ସ୍ପଷ୍ଟ କରିଥିଲେ । ଏହାର ତୁରନ୍ତ ମରାମତି ଆବଶ୍ୟକ ବୋଲି ଏଏସ୍ଆଇ ସ୍ପଷ୍ଟ କରିଥିଲା । ଉକ୍ତ ଘଟଣାରେ ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି ହସ୍ତକ୍ଷେପ କରି କହିଥିଲେ ତୁରନ୍ତ ରତ୍ନଭଣ୍ଡାରର ମରାମତି କରାଯାଉ ।
ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ, ହେଲାନି ଆଲୋଚନା
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ତାହାକୁ ଏଡ଼ାଇ ଦେଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ମୋଟାମୋଟି ଭାବେ ଆଜିର ବୈଠକରେ ରତ୍ନଭଣ୍ଡାରକୁ ନେଇ କୌଣସି ଏଜେଣ୍ଡା ନ ଥିବାରୁ ଆଲୋଚନା ହୋଇନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଥିଲେ । ସୁଦର୍ଶନଙ୍କ ଉପସ୍ଥାପନକୁ ନେଇ ବୈଠକରେ କିଛି ସମୟ ଲାଗି ହଟଚମଟ ହୋଇଥିବା ନେଇ ଆଲୋଚନା ଜୋର୍ ଧରିଛି ।