ଦମ୍ପତି ଗିରଫ, ଜାଲ୍ କାଗଜପତ୍ର ଜବତ
ଏସ୍ସିବିରୁ ନବଜାତକ ଚୋରି ଘଟଣା
କଟକ (ବୁ୍ୟରୋ): ଏସ୍ସିବି ଏସଏନସିୟୁରେ ନବଜାତ ଶିଶୁକନ୍ୟାକୁ ଉଦେ୍ଦଶ୍ୟମୂଳକ ଭାବେ ଅପହରଣ କରିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ ଦମ୍ପତିକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଦ୍ୱୟ ହେଲେ ପ୍ରତାପନଗରୀ ଅଞ୍ଚଳର ସ୍ୱିଟି ରାଉତ (୨୧) ଓ ବାବୁଲା ବେହେରା (୨୬) । ତାଙ୍କ ନିକଟରୁ ୩ଟି ଡିସ୍ଚାର୍ଜ ପେପର, ଏସସିବି ମେଡିକାଲ ଓପିଡିର ରେଜିଷ୍ଟେସନ, ଓପିଡ଼ି ଟିକେଟ, ଡାକ୍ତର ପ୍ରମୋଦିନୀ ଗୁପ୍ତାଙ୍କ ମେଡ଼ିକାଲ ପ୍ରେସକ୍ରିପସନ ଆଦି ଜବତ କରାଯାଇଛି । ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ତିଳୋତ୍ତମା ବିଶ୍ୱାଳ ଯାଆଁଳା ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଦୁଇଟି ଶିଶୁ କନ୍ୟା ମଧ୍ୟରୁ ଜଣେ ଜଣ୍ଡିସରେ ଆକ୍ରାନ୍ତ ହେଇଥିବାରୁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ୨୬ ତାରିଖ ଅପରାହ୍ନରେ ନର୍ସିଂ ପ୍ରାଚୀପ୍ରଭା ଦାସ ଏସ୍ଏନ୍ସିୟୁ ବେଡ଼ରେ ଉକ୍ତ ଶିଶୁ ନଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଶିଶୁର ମା’ ଓ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କର୍ତ୍ତୃପକ୍ଷ ମେଡ଼ିକାଲ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଜଣେ ମହିଳା ଶିଶୁକୁ କପଡ଼ାରେ ନେଇଯାଉଥିବା ଜଣାପଡ଼ିଥିଲା । ଏନେଇ ଶିଶୁବିଭାଗର ପ୍ରଫେସର ଡାକ୍ତର ଦୀପକ କୁମାର ବେହେରା ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ।
ପୁଲିସ ଏତଲା ପରେ ମେଡିକାଲ ପରିସରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା ପୁଲିସ । ଯାଞ୍ଚବେଳେ ଜଣେ ୨୫ ବର୍ଷୀୟ ମହିଳା ଉକ୍ତ ଶିଶୁ କନ୍ୟାକୁ ଧରି ନେଇ ଯାଉଥିବା ଫୁଟେଜରୁ ଜଣାପଡ଼ିଥିଲା ।ଏହାପରେ ପୁଲିସ ତଦନ୍ତ କରି ଉକ୍ତ ମହିଳା ଜଣକ ପ୍ରତାପ ନଗରୀ ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲା । ପୁଲିସ ସମ୍ପୃକ୍ତ ମହିଳାକୁ ଯୋଗଯୋଗ କରି ତୁରନ୍ତ ନବଜାତ ଶିଶୁକନ୍ୟାକୁ ମେଡିକାଲକୁ ଆଣିବା ପାଇ କହିଥିଲେ । ପରେ ମହିଳା ଜଣକ ରାତି୧୦ଟା ପରେ ନିଜ ସ୍ୱାମୀ ଓ ଶାଶୂଙ୍କ ସହ ଏସସିବିରେ ପହଞ୍ଚି ଥିଲେ । ତାଙ୍କ ଠାରୁ ଶିଶୁକୁ ଉଦ୍ଧାର କରିବା ପରେ ଉଭୟ ଦମ୍ପତିକୁ ପଚରାଉଚରା କରାଯାଇଥିଲା । ମହିଳା ଜଣକ ଏସସିବିରେ ଆଡମିଟ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ବୋଲି ପୁଲିସ ସମ୍ମୁଖରେ କହିଥିଲେ । ଏନେଇ ପୁଲିସକୁ କିଛି ଡକୁ୍ୟମେଣ୍ଟ ବି ଦେଖାଇଥିଲେ । ମାତ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗର ରେକର୍ଡ ସହ ମେଳ କରାଇବାରୁ ଉକ୍ତ ମହିଳା କେବେବି ଆଡମିଟ ହୋଇନଥିବା ଜଣାପଡ଼ିଥିଲା । ପରେ ସମସ୍ତ ଡକୁ୍ୟମେଣ୍ଟ ଯାଞ୍ଚ କରିବାକୁ ତାହା ଜାଲ ବୋଲି ଜଣାପଡ଼ିଥିଲା । ତେଣୁ ପିଲା ଅପହରଣ ଉଦେ୍ଦଶ୍ୟରେ ସେ ମେଡିକାଲ ଆସିଥିବା ସ୍ପଷ୍ଟ ହେବାପରେ ପୁଲିସ ଉଭୟ ସ୍ୱୀମୀ ଓ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ମେଡିକାଲରୁ ପିଲା ଚୋରି ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀ କହିଛନ୍ତି, ପିଲା ଅଦଳବଦଳ ବାହାନା କରୁଥିବା ଦମ୍ପତି ପୂର୍ବରୁ ଲଗାତର ୮ ଦିନ ଧରି ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ଆସୁଥିଲେ । ହେଲେ ସେ କେବେ ଆଡମିଟ୍ ହୋଇନାହାନ୍ତି କି ସେଠାରେ ତାଙ୍କର ପୁତ୍ର ସନ୍ତାନ ହୋଇନାହିଁ । ଏହି ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି । ଏଥିରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥାଇପାରେ । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସ୍ସିବି କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ କରିଥିବା ବେଳେ ପୁଲିସ ତଦନ୍ତ କରୁଛି ।
