ଭଦ୍ରକ ପୁରୁଣା ବଜାରରେ ୧୪୪

ଭଦ୍ରକ,୨୬ା୯ (ଆପ୍ର): ସଦ୍ୟ ବିଜେଡିରେ ଯୋଗଦେଇଥିବା ଜଣେ କାଉନ୍ସିଲରଙ୍କୁ ନେଇ ଆୟୋଜିତ ଶୋଭାଯାତ୍ରା ସମୟରେ ପୁରୁଣା ବଜାର ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ସୋମବାର ସନ୍ଧ୍ୟା ୭ରୁ ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବା ଘୋଷଣା କରାଯାଇଛି । ଗଣ୍ଡଗୋଳରେ ଦୁଇ ପୁଲିସଙ୍କ ସମେତ ଏକାଧିକ ଆହତ ହୋଇଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୁରୁଣା ବଜାର ଅଞ୍ଚଳ ପୁଲିସ ଛାଉଣିରେ ପରିଣତ ହୋଇଛି ।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ୧୪ ନମ୍ବର ୱାର୍ଡର ସ୍ୱାଧୀନ କାଉନସିଲର ଯାଜପୁର ଜିଲ୍ଲା ଧର୍ମଶାଳାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରେ ମିଶିବା ଖବର ପ୍ର·ରିତ ହେବା ପରେ ପୁରୁଣାବଜାର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସଂପୃକ୍ତ କାଉନସିଲରଙ୍କୁ ଧରି ପୁଲିସ ସୁରକ୍ଷାରେ ସୋମବାର ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସମୟରେ ସ୍ଥିତି ବିଗିଡ଼ି ଯାଇଥିଲା । ଶୋଭାଯାତ୍ରା ଆୟୋଜନକାରୀ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଥିଲା ଓ ପୁଲିସର ହସ୍ତକ୍ଷେପ ସତ୍ତ୍ୱେ ସ୍ଥିତି ନ ସୁଧୁରିବାରୁ ଉପଜିଲ୍ଲାପାଳ ମନୋଜ ପାତ୍ର ପୁରୁଣାବଜାର ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ ।
ଗଣ୍ଡଗୋଳ ପରେ ସହରର ଦୋକାନ ବଜାର ବନ୍ଦ ହୋଇଯାଇଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ୭ ପ୍ଲାଟୁନ୍ ପୁଲିସ ଫୋର୍ସ, ୨୦ ଅଫିସରଙ୍କ ସହ ଏଏସ୍ପି ପୁରୁଣାବଜାର ଅଞ୍ଚଳରେ ଉପସ୍ଥିତ ରହିଛନ୍ତି । ସହରର ଛକଗୁଡ଼ିକରେ ପୁଲିସ ପଇଁତରା ମାରିବା ସହିତ ପରିସ୍ଥିତି ଉପରେ ନଜର ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *