ଗୁଲାମ୍ଙ୍କ ନୂଆ ଦଳ ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି

ଶ୍ରୀନଗର(ଏଜେନ୍ସି): ଦେଶବ୍ୟାପୀ ନବରାତ୍ର ପାଳନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ୍ ନିଜ ନୂଆ ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି । ସେ ନିଜ ନୂଆ ଦଳକୁ ‘ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି’ ଭାବେ ନାମିତ କରିଛନ୍ତି । ସୋମବାର ନିଜ ଦଳର ନାମ ଘୋଷଣା କରିବା ସହ ସେ ଦଳର ଲୋଗୋ ଏବଂ ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି ।
ପ୍ରକାଶ, ମାସକ ତଳେ କଂଗ୍ରେସରୁ ଇସ୍ତଫା ଦେଇ ଜମ୍ମୁ-କାଶ୍ମୀରରୁ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି । ନିଜ ଦଳରେ ସେ କଂଗ୍ରେସର ଅନେକ ଅସନ୍ତୁଷ୍ଟ ନେତାଙ୍କୁ ସାମିଲ କରିଛନ୍ତି । କିଛି ଦିନ ଧରି ଗୁଲାମ୍ ନବୀ ଜମ୍ମୁ କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ରାଲି ତଥା ସଭାସମିତି ଆଦି କରି ଜମ୍ମୁ କାଶ୍ମୀରବାସୀଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଚଳାଇଛନ୍ତି । ତେବେ ରାଜନୈତିକ ଦଳ ଗଠନ କରିଥିଲେ ମଧ୍ୟ ସେ ଏହାର ନାମକରଣ ପାଇଁ ପ୍ରତ୍ୟେକ ଜମ୍ମୁ କାଶ୍ମୀର ନାଗରିକଙ୍କ ଠାରୁ ପ୍ରସ୍ତାବିତ ଆବେଦନ ଗ୍ରହଣ କରିଥିଲେ । ଆଜାଦ୍ ତାଙ୍କ ଦଳର ନାମ କ’ଣ ହେବା ଉଚିତ୍ ବୋଲି ଜମ୍ମୁ କାଶ୍ମୀରବାସୀଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ । ଏହିକ୍ରମେ ଜମ୍ମୁ କାଶ୍ମୀରର ବିଭିନ୍ନ ପ୍ରାନ୍ତରୁ ଦଳର ନାମକରଣ ସମ୍ପର୍କରେ ସଂସ୍କୃତ ତଥା ଊର୍ଦ୍ଧୁ ଭାଷାରେ ଲିଖିତ ପ୍ରାୟ ୧୫ଠଠ ଆବେଦନ ତାଙ୍କ ପାଖରେ ପହଞ୍ଚôଥିଲା । ଏଥିମଧ୍ୟରୁ ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି’ ନାମକୁ ଆଜାଦ୍ ଚୟନ କରିଥିଲେ ଏବଂ ନିଜ ଦଳର ନାମ ତଦନୁସାରେ ଘୋଷଣା ମଧ୍ୟ କରିଛନ୍ତି ।
ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ଆଜାଦ୍ କହିଛନ୍ତି, ତାଙ୍କ ପ୍ରତି ଜମ୍ମୁ କାଶ୍ମୀରବାସୀ ଯେଉଁ ବିଶ୍ୱାସ ଏବଂ ଆସ୍ଥା ଦର୍ଶାଇଛନ୍ତି ସେଥିପାଇଁ ସେ ଚିରକୃତଜ୍ଞ ରହିବେ । ତେବେ ସ୍ୱାଧିନ ବିଚାରଧାରା ଓ ଆଦର୍ଶବାନ ଗଣତାନ୍ତ୍ରିକ ଦଳ ଭାବେ ସେ ନିଜ ଦଳକୁ ଗଢ଼ିବେ । ତାଙ୍କ ଦଳ ଧର୍ମ କିମ୍ବା ଜାତି ନାମରେ ମଧ୍ୟ ପରିଚାଳିତ ହେବ ନାହିଁ ବରଂ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ଅନୁସରଣ କରିବ ବୋଲି ଆଜାଦ୍ କହିଛନ୍ତି । ଆଜାଦ୍ଙ୍କ କହିବାନୁସାରେ ନୂଆ ଦଳ ଗଠନ କରିବା ପାଇଁ ସେ କୌଣସି ରାଜନୈତିକ ଦଳର ପରାମର୍ଶ ନେଇନାହାନ୍ତି । କଂଗ୍ରେସ ଛାଡିବା ପରେ ତାଙ୍କ ଭଳି ବିଚାରଧାରା ରଖୁଥିବା ଲୋକମାନେ ତାଙ୍କ ସହ ଯୋଡିହୋଇଥିଲେ ଏବଂ ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି ଗଠନର ସୂତ୍ରପାତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆଜାଦ୍ ପୁଣିଥରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ମିଳିବା ସମ୍ପର୍କରେ କହିଛନ୍ତି । ଏହା ତାଙ୍କର ପ୍ରଥମ ଗୁରୁତ୍ୱ ହେବ ବୋଲି ସେ କହିଥିଲେ । ସେହିପରି ସେ କିମ୍ବା ତାଙ୍କ ଦଳର କୌଣସି ନେତା ‘ଧାରା ୩୭ଠ ଉଚ୍ଛେଦ’କୁ ରାଜନୈତିକ ପ୍ରସଙ୍ଗ କରିବେ ନାହିଁ ବୋଲି ଦୋହରାଇଛନ୍ତି । ତାଙ୍କ ଦଳରେ ଅନୁଭବୀ ରାଜନେତାଙ୍କ ସହ ଯୁବନେତାଙ୍କୁ ମଧ୍ୟ ସମାନ ଗୁରୁତ୍ୱ ରହିବ ବୋଲି ସେ କହିଛନ୍ତି । ଦଳୀୟ ପତାକାର ରଙ୍ଗ ନୀଳ, ଧଳା ଓ ହଳଦିଆ ରହିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଆଜାଦ୍ ଅଗଷ୍ଟ ୨୬ ତାରିଖରେ କଂଗ୍ରେସ ଛାଡ଼ିଥିଲେ । ଦଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଦଳରେ ରାହୁଲ କୌଣସି ନିଷ୍ପତ୍ତି ନେଉନାହାନ୍ତି ବରଂ ରାହୁଲଙ୍କ ପିଏ ଓ ଚାଟୁକାର ନେତାମାନେ ଦଳୀୟ ନିଷ୍ପତ୍ତି ନେଉଛନ୍ତି । ଏପ୍ରକାର କିଛି ଅଭିଯୋଗ ଉଠାଇବା ପୂର୍ବକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ଆଜାଦ୍ । ଏହାର କିଛି ଦିନ ମଧ୍ୟରେ ଅର୍ଥାତ୍ ୨୬ଅଗଷ୍ଟରେ ସେ ଦଳରୁ ଇସ୍ତଫା ଦେଇଥିଲେ । ସେବେଠାରୁ କଂଗ୍ରେସ ପକ୍ଷରୁ ତାଙ୍କୁ ବରାବର ସମାଲୋଚନା କରାଯାଉଥିବା ବେଳେ ଆଜାଦ୍ ମଧ୍ୟ ପ୍ରତି ଜବାବରେ କଂଗ୍ରେସ ପ୍ରତି କଟାକ୍ଷ କରିଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *