ରାସ୍ତା ଜାମ୍, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ହସ୍ତସନ୍ତ
ଉଠାଦୋକାନ ଓ ଗାଡ଼ି ପାର୍କିଂରେ ବେଳାଭୂମି ରାସ୍ତା ଜବରଦଖଲ
ପୁରୀ (ବୁ୍ୟରୋ): ଆଗକୁ ଦଶହରା ଛୁଟି ଆସୁଥିବାରୁ ପୁରୀକୁ ସୁଅ ଛୁଟୁଛି ପର୍ଯ୍ୟଟକଙ୍କର । ତେଣୁ ସମସ୍ତଙ୍କ ନଜର ବେଳାଭୂମି ଉପରେ ରହିଥିଲା ବେଳ ବୋଳଭୂମି ରାସ୍ତା ଅବସ୍ଥା ନ କହିଲେ ଭଲ । ଫଳରେ ଯାହାର ଅବ୍ୟବସ୍ଥା ଦେଖିବାକୁ ମିଳିଛି ସୋମବାର । ଅନ୍ୟପକ୍ଷରେ ପୁରୀ ବେଳାଭୂମିକୁ ଅନ୍ତର୍ଜାତୀୟସ୍ତରରେ ବେଳାଭୂମି କରିବା ପାଇଁ ଯୋଜନା ଚାଲୁଥିଲା ବେଳେ ଆଜିର ଅବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରବିବାର ଓ ସୋମବାର ଦୁଇଦିନ ଧରି ସଞ୍ଜ ନଈଁଲା ପରେ ସମୁଦ୍ରକୂଳକୁ ଛୁଟିଥିଲା ଗାଡ଼ି । ଫଳରେ ପୁରୀ ହୋଟେଲ ସମ୍ମୁଖ ବେଳାଭୂମି ରାସ୍ତା ଜାମ୍ ହୋଇଥିଲା । ଏପରିକି ଦୁଇପଟୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଥିଲା । ଏପରିକି ଯେଉଁ ଗାଡ଼ି ଯେଉଁଠାରେ ସେହି ଗାଡ଼ି ସେହିଠାରେ ରହିଥିଲେ । ଆଉ ଆଗକୁ କେହି ଯାଇପାରିଲେ ନାହିଁ । ଫଳରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା । ଦୀର୍ଘ ସମୟ ପରେ ଟ୍ରାଫିକ୍ ପୁଲିସ ପହଞ୍ଚô ପରିସ୍ଥିତକୁ ଆୟତ୍ତ କରିବାକୁ ନାକେଦମ୍ ହୋଇଯାଇଥିଲା । ଆଜିଠୁ ବେଳାଭୂମି ରାସ୍ତା ଅବସ୍ଥା ଏପରି ହେଉଥିଲା ବେଳେ ପାର୍ବଣରେ କ’ଣ ହେବ ତାହା କହିହେବ ନାହିଁ ।
ସୂଚନାଥାଉକି, ବେଳାଭୂମିକୁ ଗୋଟିଏ ରାସ୍ତା ହୋଇଥିବାରୁ ଦିଗବାରେଣୀ ଛକ ଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ଏକପାଖିଆ ରାସ୍ତା । ହେଲେ ସେହି ରାସ୍ତା ଉପରେ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ଗାଡ଼ି ପାର୍କିଂ ହେବା ଓ ବେଳାଭୂମିରେ ପର୍ଯ୍ୟଟକଙ୍କ ଚାଲିବା ପାଇ ନିର୍ମାଣ ହୋଇଥିବା ରାସ୍ତା ଉପରେ ଉଠାବ୍ୟବସାୟୀ ତାଙ୍କର ବ୍ୟବସାୟ ଆସର ଧରି ବସିଛନ୍ତି । ଫଳରେ ସନ୍ଧ୍ୟା ହେଲେ ବେଳାଭୂମିକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଏହି ଜାମ୍ରେ ଭକ୍ତଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଫସି ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ଫଳରେ ସେମାନଙ୍କର ଆଜି ଦିନର ଅନୁଭବ ଆଗରୁ କେବେ ହୋଇନାହିଁ ବୋଲି କହିଛନ୍ତି ସ୍ଥାନୀୟ ଦୋକାନୀ ସୀତାରାମ ଦତ୍ତ ।
ସେ କହିଛନ୍ତି ଯେ, ହୋଟେଲ ଭିତରେ ଗାଡ଼ି ରହିବାକୁ ଜାଗା ନାହିଁ । ହେଲେ ସେମାନେ ମଧ୍ୟ ରାସ୍ତା ଉପରକୁ ହୋଟେଲ ପାଚେରି ମାଡ଼ି ଆସିଛି । ତତ୍ସହିତ ସେଠାରେ ରହୁଥିବା ଲୋକମାନେ ତାଙ୍କ ଗାଡ଼ିକୁ ରାସ୍ତା ଉପରେ ପାର୍କିଂ କରୁଛନ୍ତି । ଯାହା ଫଳରେ ରାସ୍ତା ଜାମ୍ ହେଉଛି । ଏସମ୍ପର୍କରେ ପୁଲିସ ଅଧିକାରୀ ଜାଣିଥିଲେ ସୁଦ୍ଧା ସେମାନେ ସେମାନଙ୍କଠାରୁ ମୋଟାଅଙ୍କର ଅର୍ଥ ନେଇ ଚୁପ୍ ବସି ରହୁଛନ୍ତି । ପୁଲିସ ବେଳେ ବେଳେ ବେଳାଭୂମି ରାସ୍ତାରେ ଚଢ଼ଉ କରି ବେଆଇନ ଗାଡ଼ି ପାର୍କିଂରୁ ଜରିମାନା ଆଦାୟ କରୁଥିବା ବେଳେ ତାହାକୁ ମଧ୍ୟ ଖାତିର କରୁନାହାନ୍ତି ହୋଟେଲ କର୍ତ୍ତୃପକ୍ଷ ।