‘ଗୁରୁ’ ନାମରେ ପୁଣି କଳଙ୍କ

ଲକ୍ଷ୍ନୌ(ଏଜେନ୍ସି): ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶର ଏକ ସ୍କୁଲରେ ମଧ୍ୟ ଜାତିଗତ ଭେଦଭାବ ଦେଖିବାକୁ ମିଳିଛି । ରାଜ୍ୟର ଔରୈୟା ଜିଲ୍ଲା ଅଚ୍ଛଲଦା ଥାନା ଅନ୍ତର୍ଗତ ବୈଶାଳୀ ଗ୍ରାମରେ ଜଣେ ୧ଠମ ଶ୍ରେଣୀର ଦଳିତ ଛାତ୍ରଙ୍କୁ ସାମାନ୍ୟ ଭୁଲ୍ ପାଇଁ ଜଣେ ସ୍କୁଲ ଶିକ୍ଷକ ପଶୁତୁଲ୍ୟ ମାଡ଼ମାରିବା ଏବଂ ଏଥିରେ ପିଲାଟିର ମୃତୁ୍ୟ ହୋଇଥିବା ଭଳି ଅତ୍ୟନ୍ତ ଅମାନବୀୟ ଘଟଣା ଘଟିଯାଇଛି । ତେବେ ପିଲାଟି ଦଳିତ ବର୍ଗର ହୋଇଥିବାରୁ ଶିକ୍ଷକଜଣକ ରାଗରେ ଏପ୍ରକାର ମାଡ ମାରିଥିବା ଭଳି ସଂଗୀନ ଅଭିଯୋଗ ହୋଇଛି ।
ସ୍କୁଲର ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ଅଭିଯୁକ୍ତ ସାମାଜିକ ବିଜ୍ଞାନ ଶିକ୍ଷକ ଅଶ୍ୱିନୀ ସିଂହ, କ୍ଲାସରେ ପିଲାମାନଙ୍କ ଟେଷ୍ଟ କରାଇଥିଲେ । ତେବେ ନିଖିତ୍ କୁମାର ନାମକ ପୀଡ଼ିତ ଛାତ୍ର ନିଜ ଉତ୍ତରଖାତା (ଓଏମ୍ଆର୍ ସିଟ୍)ରେ ଗୋଟିଏ ବୃତ୍ତକୁ ଡାର୍କେନ୍ (କଳାରଙ୍ଗ) କରିବା ବଦଳରେ ଦୁୂଇଟି ବୃତ୍ତକୁ ଡାର୍କେନ୍ କରିଦେଇଥିଲେ । ଏତଦ୍ବ୍ୟତୀତ ‘ସାମାଜିକ ବିଜ୍ଞାନ’ ବଦଳରେ ‘ସମାଜକ ବିଜ୍ଞାନ’ ଲେଖିଦେଇଥିଲେ । ଏଥିରେ ଶିକ୍ଷକଜଣକ ବେଶ୍ ଉତ୍କ୍ଷିପ୍ତ ହୋଇପଡିଥିଲେ ଏବଂ ନିଖିତ୍ଙ୍କୁ ପ୍ରବଳ ମାଡ଼ ମାରିଥିଲେ । ପ୍ରବଳ ମାଡ଼ ଫଳରେ ନିଖିତ୍ ସେହିଠାରେ ହିଁ ବେହୋସ୍ ହୋଇପଡିଥିଲେ । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଦୀର୍ଘ ୧୮ଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ୧୫ ବର୍ଷୀୟ ଏହି ଛାତ୍ରଜଣକ ଆଖି ବୁଜିଛନ୍ତି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ବେଶ୍ ଉତ୍ତ୍ୟକ୍ତ ହୋଇପଡିଥିବା ବେଳେ ସ୍କୁଲ ପରିସରରେ ହଙ୍ଗାମା କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ଦିନ ସ୍କୁଲ ବନ୍ଦ କରିଦିଆଯାଇଛି । ପିଲାମାନେ ମଧ୍ୟ ଏବେ ବେଶ୍ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଘଟଣା ପିଲାମାନଙ୍କୁ ମାନସିକ ଭାବେ ବେଶ୍ ପ୍ରଭାବିତ କରିଛି । ଘଟଣାସମ୍ପର୍କରେ ସୂଚନା ପାଇ ଭୀମ୍ ଆର୍ମିି ସେନାର କିଛି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚô ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ପୀଡ଼ିତଙ୍କ ପରିବାରକୁ ଆର୍ଥିକ ସହାୟତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ଏବଂ ସର୍ବୋପରି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଏସ୍ପି ଚାରୁ ନିଗମ୍ କହିଛନ୍ତି, ଗତ ୭ତାରିଖରେ ଏହି ଅଘଟଣ ଘଟିଥିଲା । କିନ୍ତୁ ପୁଲିସ୍କୁ କୌଣସି ସୂଚନା ଦିଆଯାଇନଥିଲା । ପିଲାର ମୃତୁ୍ୟ ପରେ ମାମଲା ପୁଲିସ୍ ନିକଟକୁ ଆସିଛି । ତେବେ ବର୍ତ୍ତମାନ ସମୟରେ ଅଭିଯୁକ୍ତ ଶିକ୍ଷକଜଣକ ଫେରାର ହୋଇଯାଇଛନ୍ତି । ପୁଲିସ୍ ଅଭିଯୁକ୍ତ ଶିକ୍ଷକଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରିବା ପୂର୍ବକ ଚାରିଆଡେ ଚଢ଼ଉ ପ୍ରକ୍ର୍ରିୟା ଆରମ୍ଭ କରିଦେଇଛି । ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ । ସେ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ୍ କରିବା ସହ ସ୍କୁଲର ପ୍ରଧାନଶିକ୍ଷକ, ସ୍କୁଲର ଅନ୍ୟ ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ସହ ଆଲୋଚନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *