ପିକେଆର୍ଆଇଟି ଅଞ୍ଚଳରୁ କାର୍ଯ୍ୟ ଆରମ୍ଭ
ାା ସୁଭାଷବୋଷ ଛକରୁ ଭୂଦାନ ଛକ ରାସ୍ତା ପ୍ରଶସ୍ତୀକରଣ ।ା
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟନଗରୀ ଭାବେ ଗଢ଼ି ତୋଳିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱପ୍ନ ଦେଖିଛନ୍ତି । ସେଥିଲାଗି ଶ୍ରୀକ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଜରିଆରେ କାର୍ଯ୍ୟ ଜାରି ରହିଛି । ବିଶେଷ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଶ୍ରୀସେତୁ, ବହୁତଳ ପାର୍କିଂ ଯୋଜନା ଓ ପର୍ଯ୍ୟଟକମାନେ ସୁଲଭ ଦରରେ ରହିବା ଲାଗି ନିର୍ମାଣ ହେବ ଆଶ୍ରୟସ୍ଥଳ । ଏହା ସତ୍ତ୍ୱେ ଶ୍ରୀକ୍ଷେତ୍ରର ଚତୁର୍ପାଶ୍ୱର୍ ରାସ୍ତାଘାଟକୁ ବ୍ୟାପକ ଭାବେ ଉନ୍ନତୀକରଣ କରାଯାଉଛି । ସହରକୁ ପ୍ରବେଶ ଓ ପ୍ରସ୍ଥାନ କିଭଳି ସୁରୁଖୁରୁରେ ହେବ ସେ ନେଇ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚକ୍ରତୀର୍ଥ ରୋଡ୍ । ସୁଭାଷ ବୋଷ ଛକଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ଲମ୍ବିଥିବା ଚକ୍ରତୀର୍ଥ ରାସ୍ତାକୁ ଦୁଇଥାକିଆ ଓ ପେଣ୍ଠକଟା ଛକଠାରୁ ପିକେଆର୍ଆଇଟି ଛକ ପର୍ଯ୍ୟନ୍ତ ଚାରିଥାକିଆ କରାଯିବ । ସେହିପରି ପିକେଆର୍ଆଇଟି ଛକଠାରୁ ଭୂଦାନ ଛକ ପର୍ଯ୍ୟନ୍ତ ରାସ୍ତାକୁ ଚାରିଥାକିଆ ରାସ୍ତା ନିର୍ମାଣ କରାଯିବ । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର୍ଦାର ଆରମ୍ଭ ହୋଇଛି । ଏପରିକି ପ୍ରଥମେ ପ୍ରଶାସନ ପକ୍ଷରୁ ପିକେଆର୍ଆଇଟି ଛକଠାରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ସହ ରାସ୍ତାକୁ ଜେସିବି ସହାୟତାରେ ପ୍ରଶସ୍ତ କରାଯାଉଛି । ଫଳରେ ପ୍ରଶାସନର କାର୍ଯ୍ୟକୁ ଦେଖି ଚିନ୍ତାରେ ଏବେ ଚକ୍ରତୀର୍ଥ ରୋଡ୍ରେ ଥିବା ହୋଟେଲ ମାଲିକ ଓ ବ୍ୟବସାୟୀ । କାରଣ ଉକ୍ତ ରାସ୍ତାରେ ପ୍ରତ୍ୟେକ ସମୟରେ ଯିବାଆସିବା କଷ୍ଟଦାୟକ ହୋଇପଡ଼ିଥାଏ ।
ପର୍ଯ୍ୟଟକମାନେ କୋଣାର୍କ ଯିବା ଲାଗି ସୁଭାଷବୋଷ ଛକ ଦେଇ ଚକ୍ରତୀର୍ଥ ରାସ୍ତା, ପିକେଆର୍ଆଇଟି ବା ତାଳବଣିଆ ରାସ୍ତା ଦେଇ ଭୂଦାନଛକଠାରେ ବାହାରି କୋଣାର୍କ ରାସ୍ତାକୁ ସ୍ପର୍ଶ କରିଥାନ୍ତି । କିନ୍ତ ଉକ୍ତ ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ ହୋଇଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗିଥାନ୍ତି । ତତ୍ସହିତ ଅନେକ ବ୍ୟବସାୟୀ ମଧ୍ୟ ରାସ୍ତା ଉପରକୁ ଜବରଦଖଲ କରି ସେମାନଙ୍କ ବ୍ୟବସାୟ ଅନୁଷ୍ଠାନ ବୃଦ୍ଧି କରି ରାସ୍ତା ଉପରେ ବ୍ୟବସାୟ କରିଥାନ୍ତି । ଏହି ସମସ୍ୟାରୁ ଏବେ ସମସ୍ତଙ୍କୁ ମୁକ୍ତି ମିଳିବ । ସେଥିଲାଗି ପ୍ରଶାସନ ତରଫରୁ କାର୍ଯ୍ୟ ଆରମ୍ଭ ହୋଇଛି । ବିଶେଷ ଭାବେ ସୁଭାଷବୋଷ ଛକଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ହେବାକୁ ଥିବାବେଳେ ରାସ୍ତାର ଓସାର ପ୍ରାୟ ୭.୫ମିଟର ହେବ । ଉକ୍ତ ରାସ୍ତାର ମଝିରେ ମେଡିଆନ୍ ରହିବ ନାହିଁ । ରାସ୍ତାର ଦୁଇପାଶ୍ୱର୍ରେ ୪ମିଟର ମଧ୍ୟରେ ଫୁଟ୍ପାଥ ରାସ୍ତା ନିର୍ମାଣ କରାଯିବ । ଏହାପରେ ୧ମିଟର ମଧ୍ୟରେ ଡ୍ରେନେଜ୍ ମଧ୍ୟ ନିର୍ମାଣ କରାଯିବ । ଏଥିଲାଗି ବଜେଟ୍ ୧୩କୋଟି ୯୯ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ସେହିଭଳି ପେଣ୍ଠକଟା ଛକଠାରୁ ପିକେଆର୍ଆଇଟି ଛକ ପର୍ଯ୍ୟନ୍ତ ଚାରିଲେନ୍ ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ପିକେଆର୍ଟି ଛକରୁ ସେଣ୍ଟ୍ରାଲ୍ ବିଦ୍ୟାଳୟ ଦେଇ ଚାରିଥାକିଆ ଲେନ୍ ରାସ୍ତା ପୁରୀ-କୋଣାର୍କ ମେରାଇନ୍ ରାସ୍ତାର ଭୂଦାନଛକଠାରେ ସଂଯୋଗ ହେବ । ପ୍ରଶାସନର ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହେବା ସହ ଚକ୍ରତୀର୍ଥ ରୋଡ୍ ଲାଗି ଖୁବ୍ଶୀଘ୍ର ମାପଚୁପ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।