ମହଙ୍ଗା ବେକାବୁ

କ୍ରମାଗତ ଚତୁର୍ଥ ଥର ବଢ଼ିବ ରେପୋ ରେଟ୍
ମୁମ୍ବାଇ/ନୂଆଦିଲ୍ଲୀ, ୨୫ ।୯: ଦିନକୁ ଦିନ ମହଙ୍ଗା ସ୍ଥିତି ବେକାବୁ ହେଉଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) କ୍ରମାଗତ ତିନିଥର ରେପୋ ରେଟ୍ ବଢ଼ାଇଲେଣି, କିନ୍ତୁ ଆଶାନୁରୂପ ସଫଳତା ମିଳିନାହିଁ । ଏହି କାରଣରୁ ଆର୍ବିଆଇ ପୁଣି ଥରେ ରେପୋ ରେଟ୍ ବଢ଼ାଇବା ସଙ୍କେତ ମିଳୁଛି । ତେବେ ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ଫେଡେରାଲ୍ ରିଜର୍ଭ) ସମେତ ଅନ୍ୟାନ୍ୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ମତ ଲୋଡ଼ାଯାଇପାରେ ।
ଆର୍ବିଆଇ ମେ’ ପରଠାରୁ ରେପୋ ରେଟ୍ରେ ୧୪୦ ବେସିକ୍ ପଏଣ୍ଟ (ବିପିଏସ୍) ବଢ଼ାଇଛି । ମେ’ରେ ୪୦ ଏବଂ ଜୁନ୍ ଓ ଅଗଷ୍ଟରେ ୫୦ ବିପିଏସ୍ ବଢ଼ାଯାଇଥିଲା । ବର୍ତ୍ତମାନ ରେପୋ ରେଟ୍ ୫.୪ ପ୍ରତିଶତ ରହିଛି । ବିଶେଷଜ୍ଞମାନଙ୍କ ମତରେ ଏବେ ଆଉ ୫୦ ବିପିଏସ୍ ବଢ଼ାଇ ରେପୋ ରେଟ୍କୁ ୫.୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।
ଉପଭୋକ୍ତା ମୂଲ୍ୟ ଆଧାରିତ (ସିପିଆଇ) ଖୁଚୁରା ମହଙ୍ଗା ହାର ମେ’ରେ କମିବା ସଙ୍କେତ ମିଳିଥିଲା । କିନ୍ତୁ ଅଗଷ୍ଟରେ ଏହା ପୁଣି ବଢ଼ି ୭ ପ୍ରତିଶତ ହେଲା । ରିଜର୍ଭ ବ୍ୟାଙ୍କ ଦ୍ୱିମାସିକ ମୁଦ୍ରା ନୀତି ପ୍ରସ୍ତୁତ କରିବା ସମୟରେ ଖୁଚୁରା ମହଙ୍ଗା ହାର ପ୍ରତି ଧ୍ୟାନ ଦେଇଥାଏ । ରିଭର୍ଜ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧୀନ ମୁଦ୍ରା ନୀତି କମିଟି (ଏସ୍ସିପି) ବୈଠକ ବୁଧବାର ଠାରୁ ଆରମ୍ଭ ହୋଇ ତିନିଦିନ ଧରି ଚାଲିବ । ବୈଠକର ନିଷ୍ପତ୍ତି ଆସନ୍ତା ୩୦ ତାରିଖ ଶୁକ୍ରବାର ଜଣାପଡ଼ିବ ।
ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ମହଙ୍ଗା ଉପରେ ନିୟନ୍ତ୍ରଣ ପାଇଁ ସୁଧ ହାରରେ ୦.୭୫ ପ୍ରତିଶତ ବଢ଼ାଇବା ଘୋଷଣା କରିଥିଲା । କ୍ରମାଗତ ତିନିଥର ବୃଦ୍ଧି ପରେ ବ୍ୟାଙ୍କର ବେଞ୍ଚ୍ମାର୍କ ଫଣ୍ଡ୍ ହାର ୩ ପ୍ରତିଶରୁ ବଢ଼ି ୩.୨୫ ପ୍ରତିଶତ ହୋଇଛି । ବ୍ରିଟେନ୍ ଓ ୟୁରୋପୀୟ ସଂଘର କେନ୍ଦ୍ରୀୟ ବ୍ୟାଙ୍କମାନେ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛନ୍ତି । ଫଳତଃ ଭାରତୀୟ ମୁଦ୍ରା ଉପରେ ଚାପ ବଢ଼ିଛି । ତା’ସହିତ ବିଦେଶୀ ପୁଞ୍ଜି ନିବେଶ କମିବାରେ ଲାଗିଛି ।
ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନବିସ କହିଛନ୍ତି, ଭାରତରେ ମହଙ୍ଗା ହାର ପ୍ରାୟ ୭ ପ୍ରତିଶତ ଉଚ୍ଚସ୍ତରରେ ରହିଛି । ଏହା ନିକଟ ଭବିଷ୍ୟତରେ କମିବା ସମ୍ଭାବନା ନାହିଁ । ମହଙ୍ଗା ହାରକୁ ୪ ପ୍ରତିଶତ (୨ ପ୍ରତିଶତ କମ୍/ବେଶି)ରେ ସୀମିତ ରଖିବା ପାଇଁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ ଏହି ଦାୟିତ୍ୱ ଦେଇଛନ୍ତି । ତେଣୁ ମହଙ୍ଗା ହାର ଉପରେ ଲଗାମ ଲଗାଇବା ପାଇଁ ରିଜର୍ଭ ବ୍ୟାଙ୍କ ପାଇଁ ବର୍ତ୍ତମାନ ସବୁଠାରୁ ଚାଲେଞ୍ଜ ହୋଇଛି ।
ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୧.୦୯ର ରେକର୍ଡ ନିମ୍ନସ୍ତରକୁ ଯିବାଫଳରେ ଅଶୋଧିତ ତୈଳ ଓ ଅନ୍ୟ ଅନେକ ସାମଗ୍ରୀର ଆମଦାନୀ ମହଙ୍ଗା ହେବାକୁ ଯାଉଛି । ଦେଶରେ ଆବଶ୍ୟକ ହେଉଥିବା ପେଟ୍ରୋଲ୍, ଡିଜେଲ୍ର ୫୦ ପ୍ରତିଶତ ଏବଂ ଗ୍ୟାସ୍ର ୫୦ ପ୍ରତିଶତ ଆମଦାନୀ କରାଯାଉଛି । ଟଙ୍କାର ବିନିମୟ ମୂଲ୍ୟ କମିବାର ପ୍ରଭାବ ଏହି ତିନି ଇନ୍ଧନକୁ ପ୍ରଭାବିତ କରିବ । ଅଗଷ୍ଟରେ ବନଷ୍ପତି ତୈଳର ଆମଦାନୀ ଗତବର୍ଷ ତୁଳନାରେ ୪୧.୫୫ ପ୍ରତିଶତ ବଢ଼ି ୧.୮୯ ବିଲିୟନ୍ ଡଲାର ହୋଇଛି । ଅଶୋଧିତ ତୈଳ ଆମଦାନୀ ବୃଦ୍ଧି ଯୋଗୁ ଅଗଷ୍ଟରେ ଦେଶର ବ୍ୟବସାୟିକ କ୍ଷତି ଦୁଇଗୁଣରୁ ଅଧିକ (୨୭.୯୮ ବିଲିୟନ୍ ଡଲାର) ହୋଇଛି । ଇକ୍ରା ରେଟିଂସ୍ର ପ୍ରଧାନ ଅର୍ଥନୀତିଜ୍ଞ ଅଦିତି ନାୟରଙ୍କ ମତରେ ସାମଗ୍ରୀଗୁଡ଼ିକର ମୂଲ୍ୟ କମିବା ଯୋଗୁ ମୁଦ୍ରାସ୍ଫୀତି କମିବା ସମ୍ଭାବନା ଥିଲା, କିନ୍ତୁ ଟଙ୍କାର ବିନିମୟ ମୂଲ୍ୟ ବଢ଼ିବା କାରଣରୁ ତାହା ସମ୍ଭବ ହେଉନାହିଁ ।
ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି)ର ତାଜା ରିପୋର୍ଟରେ ଆକଳନ କରାଯାଇଛି ଯେ ଭାରତର ଆର୍ଥିକ ଗତିବିଧି ଏବେବି ମହାମାରୀ ପୂର୍ବସ୍ଥ ପର୍ଯ୍ୟନ୍ତ ପହଞ୍ଚôପାରିନାହିଁ । ଏହି କାରଣରୁ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧିକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଧିମା କରିପାରେ । ଏଡିବି ରିପୋର୍ଟରେ କୁହାଯାଇଛି ଯେ ଭାରତର ମୁଦ୍ରାସ୍ଫୀତି ଆସନ୍ତା ବର୍ଷ ମଧ୍ୟ ଉଚ୍ଚସ୍ତରରେ ରହିବ । ଚଳିତ ବର୍ଷ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବ, ଆସନ୍ତା ବର୍ଷ ତାହା ୫.୮ ପ୍ରତିଶତକୁ କମିପାରେ । ତଥାପି ତାହା ରିଜର୍ଭ ବ୍ୟାଙ୍କ ପାଇଁ ସନ୍ତୋଷଜନକ ସ୍ତର ନୁହେଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *