୮୨ ବିଧାୟକ ଦେଲେ ଇସ୍ତଫା
ପାଇଲଟଙ୍କ ବିରୋଧରେ ବିଦ୍ରୋହ
ଜୟପୁର, ୨୫ା୯: ରାଜସ୍ଥାନ ରାଜନୀତିରେ ଆସିଛି ନାଟକୀୟ ମୋଡ । ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥôପତ୍ର ଦାଖଲ କରିବା ପୂର୍ବରୁ ତାଙ୍କ ସ୍ଥାନରେ ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁଛନ୍ତି । କିନ୍ତୁ ଗହଲୋତ ଶିବିର ପାଇଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି । ରବିବାର ବିଧାୟକ ଦଳ ବୈଠକ ପୂର୍ବରୁ ଗହଲୋତ ଗୋଷ୍ଠୀର ୮୨ ବିଧାୟକ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ଘରେ ପହଞ୍ଚô ଇସ୍ତଫା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକକୁ ବାତିଲ କରିଦିଆଯାଇଛି । ତେଣେ ହାଇକମାଣ୍ଡ ଅଶୋକ ଗହଲୋତ, ସଚିନ ପାଇଲଟ୍, ପ୍ରଦେଶ ପ୍ରଭାରୀ ଅଜୟ ମାକନ୍ ଓ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଦିଲ୍ଲୀ ଡକାଇଛନ୍ତି ।
ମନ୍ତ୍ରୀ ପ୍ରତାପ ସିଂହ ଖାଚରିଆୱାସ କହିଛନ୍ତି, ଆମ ପାଖରେ ଅଛନ୍ତି ୯୨ ବିଧାୟକ । ଆମେ ଚାହୁଁ ବିଦ୍ରୋହ କରିଥିବା ନେତାମାନଙ୍କ ମଧ୍ୟରୁ କାହାରିକୁ ମୁଖ୍ୟମନ୍ତ୍ରୀ କରାନଯାଉ । ମନ୍ତ୍ରୀ ଶାନ୍ତି ଧାରିୱାଲ, ମହେଶ ଯୋଶୀ ଓ ନିର୍ଦ୍ଦଳୀୟ ବିଧାୟକ ସଂଜମ ଲୋହାଙ୍କ ସହ ଖାଚରିଆୱାସ ରାତି ସାଢେ ୧୦ଟାବେଳେ ମୁଖ୍ୟମନ୍ତ୍ରୀ ଗହଲୋତଙ୍କ ବାସଭବନରେ ପହଞ୍ଚôଥିବା ଖବର ମିଳିଛି ।
ଅପରପକ୍ଷେ ସଚିନ ପାଇଲଟ, ତାଙ୍କ ସମର୍ଥକ ଓ ଅନ୍ୟ କେତେକ ବିଧାୟକ ବିଧାୟକ ଦଳ ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚôଥିଲେ । ସେମାନେ ରାତି ୧୦ଟା ୨୦ରେ ସେଠାରୁ ବାହାରିଆସିଥିବା ଦେଖାଯାଇଛି । ପୂର୍ବରୁ ଗହଲୋତ ମାକନ୍ ଓ ଖଡ୍ଗେଙ୍କୁ ଭେଟିଥିଲେ । ବୈଠକ ଅଳ୍ପ ସମୟ ବସିଥିଲା । ପରେ ତିନିହେଁ ବିଧାୟକ ଦଳ ବୈଠକ ଉଦେ୍ଦଶ୍ୟରେ ଫେରିଥିଲେ । କିନ୍ତୁ ଅନେକ ବିଧାୟକ ନ ଆସିବାରୁ ବୈଠକ ବାତିଲ ହୋଇଥିଲା ।
ମନ୍ତ୍ରୀ ଶାନ୍ତି ଧାରିୱାଲଙ୍କ ଘରେ ଗହଲୋତ ଗୋଷ୍ଠୀର ବିଧାୟକମାନେ ଏକାଠି ହୋଇ ସମୂହ ଇସ୍ତଫା ନିଷ୍ପତ୍ତି ନେଇଥିଲେ । ସେଠାରେ ୭୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେ । ସୋନିଆ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ନିଷ୍ପତ୍ତି ଅଧିକାର ଦିଆଯିବା ବିରୋଧରେ ବିଦ୍ରୋହ କରିଛନ୍ତି ।