ସ୍ମାର୍ଟ ହେବ ରେଡକ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟ

କମ୍ପୁ୍ୟଟର ବ୍ରେଲରେ ପାଠପଢ଼ା
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ସହରର ଆମ୍ବପୁଆଠାରେ ଥିବା ରେଡକ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟ ଏବେ ସ୍ମାର୍ଟ ହେବାକୁ ଯାଉଛି । ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନରେ ବିଦ୍ୟାଳୟକୁ ସାମିଲ କରାଯିବ । ଏଠାରେ ଛାତ୍ରଛାତ୍ରୀ ଏଣିକି କମ୍ପୁ୍ୟଟର୍ ବ୍ରେଲରେ ପାଠ ପଢ଼ିବେ । ଏହାଦ୍ୱାରା ଶହେରୁ ଊଦ୍ଧ୍ୱର୍ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ୍ ସହାୟକ ହେବ ବୋଲି ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସ୍ଏସ୍ଓ) କଲ୍ୟାଣୀ ଦେବୀ ସୂଚନା ଦେଇଛନ୍ତି ।
ରେଡକ୍ରସ ଦ୍ୱାରା ପରିଚାଳିତ ଏହି ଦୃଷ୍ଟିହୀନ ବିଦ୍ୟାଳୟକୁ ୧୯୭୪ ମସିହାରେ ତକ୍ରାଳୀନ ରାଷ୍ଟ୍ରପତି ତଥା ବ୍ରହ୍ମପୁର ବାସିନ୍ଦା ଭି.ଭି.ଗିରି ଉଦ୍ଘାଟନ କରିଥିଲେ । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଦୃଷ୍ଟିହୀନ ପିଲାଙ୍କ ପାଠପଢ଼ା ସହିତ ରହିବା ବ୍ୟବସ୍ଥା ମଧ୍ୟ ଅଛି । ସଂପ୍ରତି ପିଲାମାନେ କେବଳ ବ୍ରେଲ୍ ବହିରେ ପାଠ ପଢ଼ୁଛନ୍ତି । ଶିକ୍ଷା ବ୍ୟବସ୍ଥାରେ ଆହୁରି ଉନ୍ନତି ଆଣିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ଅଭିଯାନରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ପ୍ରସ୍ତାବ ପଠାଯାଇଥିଲା । ପ୍ରସ୍ତାବକୁ ଶିକ୍ଷା ବିଭାଗ ତରଫରୁ ଅନୁମୋଦନ ମିଳିଛି । ଯେଉଁ ହାଇସ୍କୁଲଗୁଡ଼ିକ ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନରେ ସାମିଲ ହୋଇଛନ୍ତି, ସେଠାରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍ରୋଟାରୀ ସହ ଅନ୍ୟାନ୍ୟ ପାଠ୍ୟ ସୁବିଧା ରହିଛି । ହେଲେ ଦୃଷ୍ଟିହୀନ ବିଦ୍ୟାଳୟର ରୂପାନ୍ତରୀକରଣ ଭିନ୍ନ ରହିବ । ବର୍ତ୍ତମାନ କେବଳ ବ୍ରେଲ୍ ବହି ବ୍ୟବହାର ହେଉଛି । ରୂପାନ୍ତରୀକରଣ ହେଲେ ବ୍ରେଲ୍ ଆଧାରିତ କମ୍ପୁ୍ୟଟର ଲ୍ୟାବ୍, ପ୍ରତ୍ୟେକ ଟେବୁଲରେ ଅଡିଓ ସିଷ୍ଟମ୍ ସହ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢ଼ାଯିବ ବୋଲି ଡିଏସ୍ଏସ୍ଓ କଲ୍ୟାଣୀ ଦେବୀ ପ୍ରକାଶ କରିଛନ୍ତି । ୨୦୧୯ରେ ବିହାରର ବେଗୁସରାଇ ସ୍ଥିତ ଏକ ଦୃଷ୍ଟିହୀନ ବିଦ୍ୟାଳୟକୁ ଏକ ଘରୋଇ ସଂସ୍ଥା ଦ୍ୱାରା ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଥିବା ମୋଟ ୬୨୮ ହାଇସ୍କୁଲ ମଧ୍ୟରୁ ପ୍ରଥମ ପର୍ଯ୍ୟୟୟୟରେ ୧୩୩ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୩୩ ବିଦ୍ୟାଳୟକୁ ରୂପାନ୍ତରୀକରଣ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ୧୦୭ଟି ହାଇସ୍କୁଲର ରୂପାନ୍ତରୀକରଣ ହେବ । ଏଥିରେ ରହିଛି ବ୍ରହ୍ମପୁର ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *