ଏକଜୁଟ ହୋଇପାରୁନାହାନ୍ତି ବିରୋଧୀ
ମୋଦିଙ୍କ ବିରୋଧରେ କେମିତି ଲଢ଼ିବେ?
ଫତେହାବାଦ୍/ ହରିଆଣା (ଏଜେନ୍ସି): ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଦିବଂଗତ ଚୌଧୁରୀ ଦେବୀଲାଲ୍ଙ୍କ ୧ଠ୯ତମ ଜୟନ୍ତୀ ପାଳନ ଅବସରରେ ଇନେଲୋ (ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ) ପକ୍ଷରୁ ହରିଆଣାର ଫତେହାବାଦ୍ରେ ସମ୍ମାନ ଦିବସ ରାଲି ଆୟୋଜିତ ହୋଇଯାଇଛି । ତେବେ ରାଲି ପାଇଁ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ ପ୍ରମୁଖ ଓମ୍ ପ୍ରକାଶ ଚୌଟାଲା ପ୍ରାୟ ସମସ୍ତ ବିଜେପି ବିପକ୍ଷ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରିଥିବା ବେଳେ ମାତ୍ର ୫ଜଣ ନେତାଙ୍କୁ ଦେଖିବାକୁ ମିଳିଛି ।
ପ୍ରାପ୍ତ ସୂଚନାନୁସାରେ ଚୌଟାଲା ୧ଠ ରାଜ୍ୟର ୧୭ ବିରୋଧୀ ଦଳ ନେତାଙ୍କୁ ଏହି ରାଲିରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିଲେ । ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ, ଟିଏମ୍ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜେଡିୟୁ ପ୍ରମୁଖ ଏଚ୍ହି ଦେବେଗୌଡା, ଗୁଲାମନବୀ ଆଜାଦ୍, ଏନ୍ସି ନେତା ଫାରୁକ୍ ଅବଦ୍ଦୁଲ୍ଲା, ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ, ସମାଜବାଦୀ ପାର୍ଟି ନେତା ମୁଲାୟମ୍ ସିଂହ ଯାଦବ, ତାଙ୍କ ପୁଅ ଅଖିଳେଶ ଯାଦବ, ଜୟନ୍ତ ଚୌଧୁରୀ, ରାଜସ୍ଥାନର ସାଂସଦ ହନୁମାନ ବେନିୱାଲ୍ ପ୍ରମୁଖଙ୍କୁ ମଧ୍ୟ ଏହି ରାଲି ପାଇଁ ଚୌତାଲା ନିମନ୍ତ୍ରଣ କରିଥିଲେ । ମାତ୍ର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରମୁଖ ନୀତୀଶ କୁମାର, ଆରଜେଡି ନେତା ତେଜସ୍ୱୀ ଯାଦବ, ଏନ୍ସିପି ମୁଖ୍ୟ ଶରଦ ପାୱାର, ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ଏବଂ ସିପିଆଇ (ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ଦଳର ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ।
ପ୍ରକାଶ, ୨ଠ୨୪ ନିର୍ବାଚନରେ ବିଜେପି (ଭାରତୀୟ ଜନତା ଦଳ)କୁ ପରାସ୍ତ କରିବା ପାଇଁ ଏବେ ସବୁ ବିରୋଧୀ ଏକଜୁଟ୍ ହେବାରେ ଲାଗିଛନ୍ତି । ବିଜେପି ବିରୋଧୀ ଏହି ଅଭିଯାନର ପ୍ରତ୍ୟକ୍ଷ ନେତୃତ୍ୱ ନୀତୀଶ କୁମାର ଗ୍ରହଣ କରିଛନ୍ତି । ଦେଶର ସମସ୍ତ ଅଣବିଜେପି ଦଳର ମୁଖ୍ୟମାନଙ୍କ ସହ ଆଲୋଚନା ପୂର୍ବକ ବିରୋଧୀ ଏକତା ମଞ୍ଚରେ ସାମିଲ ହେବାକୁ ନୀତୀଶ ସମସ୍ତଙ୍କୁ ପ୍ରେରିତ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଭିନ୍ନ ଭିନ୍ନ ରାଜ୍ୟ ଗସ୍ତ କରିବା ସହ ଅଣବିଜେପି ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି ଏବଂ ସେମାନଙ୍କ ସମର୍ଥନ ହାସଲ କରିବାରେ ଲାଗିଛନ୍ତି । ରବିବାର ଆୟୋଜିତ ଏହି ସମ୍ମାନ ଦିବସ ରାଲିରେ ଯୋଗଦେବା ଅବସରରେ ମଧ୍ୟ ନୀତୀଶ, କଂଗ୍ରେସ ସମେତ ସମସ୍ତ ଅଣବିଜେପି ସମର୍ଥôତ ରାଜନୈତିକ ଦଳଙ୍କୁ ଏକତ୍ର ଆସିବାକୁ ଅପିଲ୍ କରିଛନ୍ତି । ନୀତୀଶ କହିଛନ୍ତି ଯଦି ଏପରି ହୁଏ ତେବେ ବିଜେପିକୁ ୨ଠ୨୪ ଲୋକସଭା ନିର୍ବାଚନରେ ଜୋରଦାର ଝଟ୍କା ମିଳିବ । ବିଜେପି ବିରୋଧରେ ପ୍ରଥମ ଥର ପାଇଁ କୌଣସି ସାମ୍ମୁଖ୍ୟ ଗଠନ କରାଯାଉଛି । ସମସ୍ତେ ଏକାଠି ରହିଲେ ହିଁ ବିଜୟ ସମ୍ଭବ ହୋଇପାରିବ । ନୀତୀଶ ଏହି ଅବସରରେ ପୁଣିଥରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡରେ ନଥିବା ସ୍ପଷ୍ଟ କରିଛନ୍ତି ।
ସେହିପରି ଏନ୍ସିପି ସୁପ୍ରିମୋ ଶରଦ ପାୱାର, ଆରଜେଡି ନେତା ତେଜସ୍ୱୀ ଯାଦବ, ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ଏବଂ ଇନେଲୋ ସୁପ୍ରିମୋ ଓମ୍ ପ୍ରକାଶ ଚୌଟାଲା ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉଠାଇ ୨ଠ୨୪ରେ ବିଜେପିକୁ କ୍ଷମତାଚୁ୍ୟତ କରିବା ଉପରେ ଜୋର ଦେଇଥିଲେ । ୨ଠ୨୪ରେ ସରକାର ପରିବର୍ତ୍ତନକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ସମ୍ମାନ ଦିବସ ରାଲିରେ ଯୋଗଦେଇଥିବା ନେତାମାନେ ମତବ୍ୟକ୍ତ କରିଛନ୍ତି ।