ମୋବାଇଲ୍ ଯାଞ୍ଚ କରିବ ଫରେନ୍ସିକ୍ ଟିମ୍
ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ମୃତୁ୍ୟ ଘଟଣା
ଭୁବନେଶ୍ୱର (ବୁ୍ୟରୋ): ପୁରୀ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତୁ୍ୟର ଖୋଳତାଡ଼ ଚାଲିଥିବାବେଳେ ଜବତ ୨ ମୋବାଇଲ୍କୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍କୁ ପଠାଇଛି ପୁଲିସ । ଏସବୁ ଭିତରେ ଧର୍ମେନ୍ଦ୍ରଙ୍କ ରୋଷେୟା ଏବଂ ତାଙ୍କ ପରିବାରକୁ ପୁଲିସ୍ ସ୍କାନର୍ରେ ରଖିଛି । ଧର୍ମେନ୍ଦ୍ରଙ୍କ ରୋଷେୟା ଘର ଉପର ଫ୍ଲୋର୍ରେ ରହୁଥିଲେ । ଧର୍ମେନ୍ଦ୍ରଙ୍କ ରହସ୍ୟଜନକ ମୃତୁ୍ୟ ପଛର କାରଣ କ’ଣ? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ ତା’ର କାରଣ କ’ଣ? ତାକୁ ନେଇ ସସ୍୍ପେନ୍ସ ଲାଗିରହିଛି ।
ସେପଟେ ୨ଟି ମୋବାଇଲ ସହ ଘଟଣା ସ୍ଥଳର ସିସିଟିଭି ଡିଭାଇସ ମଧ୍ୟ ସିଜ୍ ହୋଇଛି । ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ ପରେ ଫରେନସିକ୍ ଲ୍ୟାବ୍କୁ ପଠାଯାଇଛି । ୟୁଡି କେସ୍ ନେଇ ତଦନ୍ତ ଜାରି ରହିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ି ନାହିଁ । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ।
ସେପଟେ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟାର ସତ୍ୟାସତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଦେଶ କଂଗ୍ରେସର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି, ନିମାପଡ଼ାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ ଡିସିପି ଶ୍ରୀ ସିଂକୁ କହିଥିଲେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ତାଙ୍କ ମୋବାଇଲର ଫେସବୁକ ପେଜରେ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣା ପୋଷ୍ଟ କରିଥିଲେ । କିନ୍ତୁ ମୃତୁ୍ୟର ଅଳ୍ପ ସମୟ ଭିତରେ ତାଙ୍କ ଫେସବୁକ ପେଜରୁ ତାହା ଡିଲିଟ୍ ହୋଇଯାଇଛି । ତେଣୁ ଏହି ସମୟ ଭିତରେ ମୋବାଇଲରୁ କିଏ ଓ କାହିଁକି ତାଙ୍କ ପୋଷ୍ଟକୁ ଡିଲିଟ୍ କଲା? ତାଙ୍କ ମୋବାଇଲ ଏହି ସମୟ ମଧ୍ୟରେ କାହା ପାଖରେ ଥିଲା? ତା’ର ତଦନ୍ତ କରିବା ସହ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ଦାବି କରିଛି ।