ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ଭିଜିବ ପାର୍ବଣ

ଭୁବନେଶ୍ୱର, ୨୫ା୯ (ବୁ୍ୟରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ଆସନ୍ତା ୨୭ରୁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ (ସାଇକ୍ଲୋନିକ୍ ସର୍କୁଲେସନ୍) ପ୍ରଭାବରେ ବର୍ଷାର ପରିମାଣ ଆହୁରି ବଢିବ । ୨୮ ତାରିଖରେ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଘୂର୍ଣ୍ଣିବଳୟଟି କେତେ ଘନୀଭୁତ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଯଦି ଘୂର୍ଣ୍ଣିବଳୟଟି ଅଧିକ ଘନୀଭୁତ ହୁଏ ତେବେ ଦଶହରା ପୂର୍ବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
ଅନ୍ୟପଟେ ଆସନ୍ତା ୨ ତାରିଖକୁ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ହେବା ନେଇ ଆନ୍ତର୍ଜାତୀକ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ ପୂର୍ବାନୁମାନ କରିଛନ୍ତି । ଏନେଇ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି, ଆସନ୍ତା ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ ଲଗାଣ ବର୍ଷା ସହ ଲଘୁଚାପ ଜାରି ରହିବ । ଓଡ଼ିଶା ସାରା ପାଗ ମେଘୁଆ ରହିବା ସହ ଭଲ ବର୍ଷା ହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ପ୍ରତିଦିନ ଲଗାଣ ବର୍ଷା ଜାରି ରହିଥିବାବେଳେ ଚଳିତ ମୌସୁମୀରେ ସ୍ୱାଭାବିକ୍ ବର୍ଷା ନିର୍ଦ୍ଧାରିତ ସମୟ ପୂର୍ବରୁ ରେକର୍ଡ ହୋଇଛି । ଆସନ୍ତା ୩୦ ତାରିଖରେ ମୌସୁମୀ ସୀମା ଶେଷ ହେଉଥିବାବେଳେ ଅକ୍ଟୋବର ଓ ନଭେମ୍ବର ମାସରେ ମଧ୍ୟ ରାଜରେ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ବଙ୍ଗୋପସାଗରରୁ ସ୍ଥଳ ଭାଗ ଆଡ଼କୁ ପୂର୍ବାଳୁ ବାୟୁ ପ୍ରବାହ ଜାରି ଥିବାବେଳେ ପଶ୍ଚିମ ପଟୁ ମୌସୁମୀ ଅପସାରଣ ଜାରି ରହିଛି ଯାହା ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟ ସୃଷ୍ଟି କରାଉଛି । ଆସନ୍ତା ଅକ୍ଟୋବର ମାସ ସାରା ଲଗାତାର ବଳୟ ସୃଷ୍ଟି ହେବା ସହ ସେସବୁ ଲଘୂଚାପ ରୂପ ନେବ ବୋଲି ଆକଳନ କରାଯାଇଛି ।
ମୌସୁମୀ ଅପସାରଣ ସମୟରେ ସୃଷ୍ଟ ବଳୟ ତଥା ଲଘୁଚାପ ଅଧିକ ବଳଶାଳୀ ହୋଇଥାଏ । ଏହା ଅଧିକ ବର୍ଷା ଆଣୁଥିବାବେଳେ ସମୟସମୟରେ ବାତ୍ୟା ରୂପ ମଧ୍ୟ ନେଇଥାଏ । ଅକ୍ଟୋବର ଓ ନଭେମ୍ବର ମାସରେ ଓଡ଼ିଶା ଉପକୂଳକୁ ବାତ୍ୟା ଆସିବାର ପୂର୍ବ ନଜିର ରହିଛି, ତେଣୁ ଚଳିତବର୍ଷ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି । ଏହି ମଧ୍ୟରେ ଆସନ୍ତାକାଲି ଉପକୂଳ ତଥା ଆଭ୍ୟନ୍ତରୀଣ ଏକାଧିକ ଜିଲ୍ଲାକୁ କାଳବୈଶାଖୀ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସାଧାରଣତଃ ଦିନ ତାପମାତ୍ରା ଅଧିକ ରହିବା ସହ ଉପରବେଳା କାଳବୈଶାଖୀ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ୨୭ରୁ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି ।
ଜିଲ୍ଳାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ପୁରୀୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ରହିଛି । ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *