ଟ୍ରାଞ୍ଜିଟ୍ ରିମାଣ୍ଡ୍ରେ ୨ ଅଭିଯୁକ୍ତ

କଟକ, ୨୫ ।୯ (ବୁ୍ୟରୋ): ନକଲି ଔଷଧ କାରବାର ଘଟଣାରେ ବିହାର ପୁଲିସ ସହାୟତାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି ପୁରୀଘାଟ ଥାନା ପୁଲିସ । ଅଭିଯୁକ୍ତଦ୍ୱୟ ହେଲେ ଆଲୋକ ମିଶ୍ରା ଓ ହରିଶ କୁମାର । ଉଭୟ ଅଭିଯୁକ୍ତ ବିନା ଲାଇସେନ୍ସରେ ଓ ଫେକ୍ ବିଲ୍ରେ ବାଲାଜୀ ଏଜେନ୍ସି ଓ ବାଲାଜୀ ଡ୍ରଗ ପଏଣ୍ଟ ନାଁରେ ଦୁଇଟି ସଂସ୍ଥା ଚଳାଉଥିଲେ । ଉଭୟ ଅଭିଯୁକ୍ତକୁ ଗିରଫ କରିବା ପରେ ସେମାନେ ସ୍ୱୀକାର କରିଥିଲେ ଯେ ଉଭୟ ନକଲି ମେଡିସିନି ପ୍ରସ୍ତୁତ କରୁନଥିଲେ ବରଂ ସେମାନେ ମଧ୍ୟ ଅନ୍ୟ ରାଜ୍ୟରୁ ଆଣି ବିକ୍ରି କରୁଥିଲେ । ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡିସିପି ପିନାକ ମିଶ୍ର କହିଛନ୍ତି, ନକଲି ଔଷଧ କାରବାର ଘଟଣାରେ ପ୍ରଥମ ପର୍ଯ୍ୟାୟରେ ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସିର ମାଲିକ ରୋହିତ କୋଏଲ ଓ ପୂଜା ଏଣ୍ଟରପ୍ରାଇଜର୍ସର ମାଲିକ ସଞ୍ଜୟ କୁମାର ଜଲାନକୁ ଗିରଫ କରାଯାଇଥିଲା । ଏହାପରେ ଏହି ଘଟଣାରେ ଟଙ୍କା କାରବାରକୁ ନେଇ ତଦନ୍ତ କରାଯାଇଥିଲା । ଏହି ତଦନ୍ତ ବେଳେ ୪ଟି ଆକାଉଣ୍ଟରେ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା ।
ଟ୍ରାନ୍ସଫର ଏଜେନ୍ସିରୁ ୧୩୫୦ ଷ୍ଟ୍ରିପ୍ ଟେଲମା-୪୦ ଜବତ କରାଯାଇଥିଲା । ଏହା ପୂର୍ବରୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯାଇଥିଲା । ପଚରାଉଚରା ବେଳେ ଉଭୟ ସ୍ୱୀକାର କରିଥିଲେ ଯେ ବିହାରର ପାଟଣା, ଗୟାରୁ ବାଲାଜୀ ଏଜେନ୍ସି ଓ ବାଲାଜୀ ଡ୍ରଗ ପଏଣ୍ଟ ନାମକୁ ସଂସ୍ଥାରୁ ନକଲି ଔଷଧ ଆଣି ସ୍ୱଳ୍ପ ଦରରେ ବିକ୍ରି କରୁଥିଲେ । ଏହି ତଥ୍ୟକୁ ଆଧାର କରି ପୁରୀଘାଟ ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ବିହାର ଯାଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ବିହାର ପୁଲିସର ସହାୟତା ଲୋଡ଼ାଯାଇଥିଲା । ଏହି ତଦନ୍ତ ବେଳେ ଜଣାପଡ଼ିଥିଲା ପାଟଣାରେ ଏପରି କୌଣସି କମ୍ପାନୀ ନାହିଁ । ଉଭୟ ଅଭିଯୁକ୍ତ ଦ୍ୱୟ ଜାଲ ଡକୁ୍ୟମେଣ୍ଟ ପ୍ରସ୍ତୁତ କରି ନକଲି କମ୍ପାନୀ ଖୋଲିଛନ୍ତି । ଏହାପରେ ବିହାର ପୁଲିସ ସହଯୋଗରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା । ଉଭୟ ଅଭିଯୁକ୍ତ ଆଲୋକ କୁମାର ମିଶ୍ରା ଓ ହରିଶ କୁମାରଙ୍କୁ ବିହାରର ଗୟାର ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଅନୁମତିରେ ସେମାନଙ୍କୁ ୩ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇଛି । ନକଲି ମେଡିସିନ କେଉଁଠି ଆଣୁଥିଲେ, ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ଏଥିରେ କିଏ କିଏ ସାମିଲ ରହିଛନ୍ତି ସେନେଇ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *