୪୫ ଦିନ ପରେ ତାରିଖ
ନମ୍ବର ପ୍ଲେଟ୍ ଅଡ଼ୁଆ ବଢ଼ୁଛି
ଭୁବନେଶ୍ୱର (ବୁ୍ୟରୋ): ହାଇ ସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି)କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ୨୦୧୯ ମସିହା ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହେଉଥିବ; ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ସମୟସୀମା ସେପ୍ଟେମ୍ୱର ୩୦ରେ ଶେଷ ହେବାକୁ ଯାଉଛି । ଏହି ଅବଧି ମଧ୍ୟରେ ନମ୍ବର ପ୍ଲେଟ ନଲଗାଇଲେ ଗାଡ଼ି ମାଲିକଙ୍କୁ ୫୦୦୦ରୁ ୧୦୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଗଣିବାକୁ ପଡ଼ିବ ବୋଲି ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଯଦି ଏହି ସ୍ଥିତିରେ କେହି ନମ୍ବର ପ୍ଲେଟ୍ ପାଇଁ ଆବେଦନ କରୁଛି, ତେବେ ତାକୁ ସର୍ବନିମ୍ନ ୪୫ ଦିନ ଅପେକ୍ଷା କରିବାକୁ ପଡ଼ୁଛି । ତେଣୁ ଏହି ସ୍ଥିତିରେ ଗାଡି ମାଲିକ କରିବେ କ’ଣ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମୁଖ୍ୟକଥା ହେଲା ଆବେଦନ ସମୟରେ ବହୁ ଅସୁବିଧା ଦେଖାଦେଉଛି । ବିଶେଷକରି କାହାର ରେଜିଷ୍ଟ୍ରେସନ ହୋଇପାରୁନି ତ କାହାକୁ ବହୁ ବିଳମ୍ବର ତାରିଖ ମିଳୁଛି । ଯାହାଫଳରେ ସାଧାରଣ ଲୋକେ ନମ୍ବର ପ୍ଲେଟକୁ ନେଇ ଚିନ୍ତାରେ ରହିଛନ୍ତି । ଏହାକୁ ନେଇ ରାଜ୍ୟବ୍ୟାପୀ ବଡ଼ ଧରଣର ଅସନ୍ତୋଷ ଦେଖା ଦେବାରେ ଲାଗିଛି । ତେଣୁ ନମ୍ବର ପ୍ଲେଟ ଲଗାଇବାର ଅବଧିକୁ ଆଉ କିଛିଦିନ ଘୁଞ୍ଚାଇବା ସହ ରେଜିଷ୍ଟ୍ରେସନ ବ୍ୟବସ୍ଥା ସରଳୀକରଣ କରିବାକୁ ଦାବି କରାଯାଇଛି ।