ଚକଦା ଏକ୍ସପ୍ରେସ୍ଙ୍କ ଯୁଗ ଶେଷ

ହରମନପ୍ରୀତ କାନ୍ଦିଲେ, ଇଂଲଣ୍ଡ ଟିମ୍ ଦେଲା ଗାର୍ଡ ଅଫ୍ ଅନର୍
ଲର୍ଡ୍ସ, ୨୪ା୯ (ଏଜେନ୍ସି): ଭାରତୀୟ ମହିଳା କି୍ରକେଟ୍ ଟିମ୍ର ପୁରୁଖା ଦ୍ରୁତ ବୋଲର୍ ଝୁଲଣ ଗୋସ୍ୱାମୀ ଶନିବାର ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଛନ୍ତି । ପୂର୍ବରୁ ସେ ଅବସର ସଂକ୍ରାନ୍ତ ଘୋଷଣା କରିଥିଲେ ।
ଶନିବାର ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚ୍ରେ କ୍ୟାରିଅରର ଶେଷ ମ୍ୟାଚ୍ ଖେଳିଥିଲେ ଚକଦା ଏକ୍ସପ୍ରେସ୍ । ଭାରତୀୟ ଟିମ୍ ଏହି ଶୃଙ୍ଖଳା ଜିତିଥିଲା । ଭାରତୀୟ ଟିମ୍ର ଅଧିନାୟିକା ହରମନପ୍ରୀତ କୌର, ଝୁଲଣଙ୍କୁ କୁଣ୍ଢେଇ କାନ୍ଦିଥିଲେ ।
ମ୍ୟାଚ୍ ପୂର୍ବରୁ ତାଙ୍କୁ ଉଲ୍ଲେଖନୀୟ କ୍ୟାରିଅର ପାଇଁ ଭାରତୀୟ ଟିମ୍ ପକ୍ଷରୁ ସ୍ମୃତି ଚିହ୍ନ ଭେଟି ଦିଆଯାଇଥିଲା । ଝୁଲଣଙ୍କ ବିଦାୟ ବେଳେ ପୂରା ଟିମ୍ ଭାବବିହ୍ୱଳ ହୋଇଯାଇଥିଲା । ସୋଶାଲ୍ ମିଡିଆରେ ଏହି ଭାବବିହ୍ୱଳ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ ଭାଇରାଲ୍ ହୋଇଥିଲା । ହରମନପ୍ରୀତ, ଝୁଲଣଙ୍କ ଅଧିନାୟକତ୍ୱରେହିଁ ଡେବୁ୍ୟ କରିଥିଲେ । ଏପରିସ୍ଥଳେ ଝୁଲଣ ବିଦାୟ ନେବା ପରେ ସେ ଭାବବିହ୍ୱଳ ହେବା ସ୍ୱାଭାବିକ ।
ମ୍ୟାଚ୍ ସମୟରେ ଝୁଲଣ ବ୍ୟାଟିଂ ପାଇଁ ଆସିବା ବେଳେ ଇଂଲଣ୍ଡ ଟିମ୍ର ଖେଳାଳି ତାଙ୍କୁ ଗାର୍ଡ ଅଫ୍ ଅନର୍ ଦେଇଥିଲେ । ତାଳି ମାରି ସ୍ୱାଗତ କରିଥିଲେ । ତେବେ ସେ ଖାତା ଖୋଲି ନ ପାରି ଫ୍ରେୟା କେମ୍ପ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । କିନ୍ତୁ ବୋଲିଂରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରି ୧୦ ଓଭର୍ରେ ୩୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ ।
ଝୁଲଣ ପୂର୍ବରୁ ଟେଷ୍ଟ ଓ ଟି-୨୦ ଆନ୍ତର୍ଜାତିକରୁ ଅବସର ନେଇଥିଲେ । ଭାରତ ପକ୍ଷରୁ ସେ ୨୦୧୮ରେ ଶେଷ ଟି-୨୦ ଓ ୨୦୨୧ ଅକ୍ଟୋବରରେ ଶେଷ ଟେଷ୍ଟ ଖେଳିଥିଲେ । ସେ ୨୦୦୨ ଜାନୁଆରୀ ୬ରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ । ସେ ନିଜ ୧୯ ବର୍ଷର କ୍ୟାରିଅରରେ ୨୮୩ ମ୍ୟାଚ୍ ଖେଳି ୩୫୩ ୱିକେଟ୍ ନେଇଥିଲେ । ସେ ବିଶ୍ୱକପ୍ରେ ସର୍ବାଧିକ ୪୩ ୱିକେଟ୍ ଅକ୍ତିଆର କରିଛନ୍ତି । ନିଜ ଆନ୍ତର୍ଜାତିକ କ୍ୟାରିଅରରେ ସେ ୧,୯୨୪ ରନ୍ ସଂଗ୍ରହ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *