ମଧ୍ୟାହ୍ନ ଭୋଜନ ଅଣ୍ଡା, ଗ୍ୟାସ୍ ଦର ବୃଦ୍ଧି ଦାବି
ଅଙ୍ଗନୱାଡି ଆସୋସିଏସନ୍ର ବୈଠକ
କଙ୍କଡ଼ାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଠାରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଙ୍ଗନୱାଡି ଆସୋସିଏସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଯୋଗ ଦେଇ ସଂଘର ସଂଗଠନ ଉପରେ ଆଲୋକପାତ କରିଥିଲେ । ଜିଲ୍ଲାରେ କଙ୍କଡାହାଡ ଓ ପରଜଙ୍ଗ ବ୍ଲକରେ ଚାଲୁଥିବା ସୋପାନ କାର୍ଯ୍ୟକ୍ରମରେ ସରକାର ଟଙ୍କା ବୃଦ୍ଧି କରାଯିବା ପାଇଁ ସରକାରଙ୍କୁ ଏହି ବିଷୟରେ ଅବଗତ କରାଯିବ ବୋଲି କହିଥିଲେ । ଗର୍ଭବତୀ, ପ୍ରସୂତି ଏବଂ କିଶୋରୀ ମହିଳାମାନଙ୍କୁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୫ ଟଙ୍କା ରଖୁଥିବା ବେଳେ ବଜାର ମୂଲ୍ୟରେ ଏବେ ୬ଟଙ୍କା ରହିଛି । ତଦସହିତ ୧୫ଗ୍ରାମ ପରିବା, ୨୫ ଗ୍ରାମ ଡାଲି, ୯୦ ଗ୍ରାମ ଚାଉଳରେ ଖାଇବାକୁ ଦେବା କଷ୍ଟ ହୋଇପଡିଛି ।
ଏହାକୁ ନେଇ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଛି ବୋଲି ସଂଘର ସଭ୍ୟାମାନେ ପ୍ରକାଶ କରିଥିଲେ । ଗ୍ୟାସ ସିଲିଣ୍ଡର ଦର ୬ ହଜାର ୫୦୦ ଟଙ୍କା ଥିବାବେଳେ ସେମାନଙ୍କ ଖାତାକୁ ସରକାର ୪ ହଜାର ୩୦୦ ଟଙ୍କା ପ୍ରଦାନ କରୁଛନ୍ତି । ଗାଁ କଲ୍ୟାଣ ସମିତିରୁ ସେମାନଙ୍କୁ ବାଦ ଦିଆଯାଉ ଏ ସମସ୍ତ ଆଲୋଚନା ପରେ ଏକ ପ୍ରତିନିଧି ମଣ୍ଡଳ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ନିଷ୍ପତ୍ତି କରାଯାଇଛି । ଏହି ବୈଠକରେ ସଭାନେତ୍ରୀ ଭାବେ ମାନସୀ ମହାପାତ୍ର, ସମ୍ପାଦିକା ଶାନ୍ତିଲତା ଶତପଥୀ, କୋଷାଧ୍ୟକ୍ଷ କମଳା ସର୍ଦ୍ଦାର, ଦୀପାଞ୍ଜଳି ସିଂହ, ସୁଲୋଚନା ସିଂହ, ଅନ୍ନପୂର୍ଣ୍ଣା ସିଂହ, ଧରିତ୍ରୀବାଳା ସାମଲ, ଗୀତାଞ୍ଜଳି ମହନ୍ତ, ସୁଭଦ୍ରା ସିଂହ, ସ୍ନେହଲତା ପ୍ରଧାନ ଯୋଗଦେଇଥିଲେ ।