ଶୃଙ୍ଖଳା ଜିତିଲା ଟିମ୍ ଇଣ୍ଡିଆ
ଶେଷ ଟି-୨୦ ହାରିଲା ଅଷ୍ଟ୍ରେଲିଆ
ହାଇଦରାବାଦ, ୨୫ା୯ (ଏଜେନ୍ସି): ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ଟିମ୍ ଇଣ୍ଡିଆ ରବିବାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ଗୋଟିଏ ବଲ୍ ବାକି ଥାଇ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି । ଏଥି ସହିତ ଭାରତ ୨-୧ରେ ଶୃଙ୍ଖଳା ଜିତିଛି । ଏସିଆ କପ୍ ବିଫଳତା ପରେ ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ରୋହିତ ସେନାର ମନୋବଳ ବଢ଼ାଇଛି ।
ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଟିମ୍ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ଦୁଇଟି ମ୍ୟାଚ୍ ଜିତିଥିଲା । ଟିମ୍ ଇଣ୍ଡିଆ ନଅ ବର୍ଷ ପରେ ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଶୃଙ୍ଖଳା ଜିତିଛି । ଏହାଛଡ଼ା ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମ୍ରେ ଟିମ୍ର ଏହା ତିନିଟିରୁ ଦ୍ୱିତୀୟ ବିଜୟ । ସୂର୍ଯ୍ୟକୁମାର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ଅକ୍ଷର ପଟେଲ୍ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି ।
୧୮୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ର ଦୁଇ ଓପନର୍ ବିଫଳ ହୋଇଥିଲେ । ମାତ୍ର ୫ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଲୋକେଶ ରାହୁଲ (୧) ଡାନିଏଲ୍ ସାମ୍ସଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଧିନାୟକ ରୋହିତ ଶର୍ମା ୧୭ ରନ୍ର ଇନିଂସ୍ ଖେଳିଥିଲେ । ପାଟ୍ କମିନ୍ସ ତାଙ୍କ ୱିକେଟ୍ ନେଇଥିଲେ । ଏହାପରେ ବିରାଟ କୋହଲି ନୂଆ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ ।
୧୦ ଓଭର୍ରେ ସ୍କୋର୍ ହୋଇଥିଲା ୯୧/୨ । ବିଶେଷକରି ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୨୯ ବଲ୍ରୁ ଅର୍ଦ୍ଧଶତକ ଲଗାଇଥିଲେ । ତୃତୀୟ ୱିକେଟ୍ ପାଇଁ ୧୦୪ (୬୨ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା ।
ସୂର୍ଯ୍ୟକୁମାର (୩୬ ବଲ୍ରୁ ୬୯ ରନ୍)ଙ୍କୁ ଆଉଟ୍ କରି ଜୋଶ୍ ହାଜଲଉଡ୍ ଏହି ଯୋଡ଼ି ଭାଙ୍ଗିଥିଲେ । ସୂର୍ଯ୍ୟଙ୍କ ଇନିଂସ୍ରେ ୫ ଚୌକା ଓ ୫ ଛକା ଥିଲା । ଏହାପରେ କୋହଲିଙ୍କ ସହ କିଜ୍ରେ ଯୋଗ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଇତ୍ୟବସରେ କୋହଲି ୩୭ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଶେଷ ଓଭର୍ରେ ହାଜଲ୍ଉଡ୍ଙ୍କ ବଲ୍ରେ କୋହଲି (୪୮ ବଲ୍ରୁ ୬୩) ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୩ ଚୌକା ଓ ୪ ଛକା ରହିଥିଲା । ପାଣ୍ଡ୍ୟା ଏକ ଚୌକା ମାରି ମ୍ୟାଚ୍ ଫିନିଶ୍ କରିଥିଲେ । ଭାରତୀୟ ଟିମ୍ ୧୯.୫ ଓଭର୍ରେ ୪ ୱିକେଟ୍ ହରାଇ ୧୮୭ ରନ୍ କରି ବିଜୟୀ ହୋଇଥିଲେ । ପାଣ୍ଡ୍ୟା ୧୬ ବଲ୍ରୁ ୨୫ ଓ ଦିନେଶ କାର୍ତ୍ତିକ ୧ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ଅଧିନାୟକଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ରିଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ସୁଯୋଗ ଦିଆଯାଇଥିଲା । ଅଷ୍ଟ୍ରେଲୀୟ ଟିମ୍ରେ ବି ଗୋଟିଏ ପରିବର୍ତ୍ତନ ହୋଇଥିଲା । ସିନ୍ ଆବୋଟ୍ଙ୍କ ସ୍ଥାନରେ ଜୋଶ୍ ଇଙ୍ଗ୍ଲିଶ୍ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ।
ଅଷ୍ଟ୍ରେଲୀୟ ଟିମ୍ ଦ୍ରୁତ ଆରମ୍ଭ କରିଥିଲା । ପ୍ରଥମ ତିନି ଓଭର୍ରେ ସ୍କୋର୍ ହୋଇଥିଲା ୪୦ ରନ୍ । ବିଶେଷକରି କାମେରନ୍ ଗ୍ରୀନ୍ ଧୂଆଁଦାର ବ୍ୟାଟିଂ କରିଥିଲେ । ତେବେ ତାଙ୍କ ଯୋଡ଼ିଦାର ଅଧିନାୟକ ଆରୋନ୍ ଫିଞ୍ଚ୍ (୭) ବିଫଳ ହୋଇଥିଲେ । ଫିଞ୍ଚ୍ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଅକ୍ଷର ପଟେଲ୍ ଏହି ଯୋଡ଼ି ଭାଙ୍ଗିଥିଲେ ।
ଗ୍ରୀନ୍ ୧୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ଏହାପରେ ସେ ଆଉ ବେଶୀ ବାଟ ଯାଇପାରି ନ ଥିଲେ ଏବଂ ବ୍ୟକ୍ତିଗତ ୫୨ (୨୧ ବଲ୍ରୁ) ରନ୍ରେ ଭୁବନେଶ୍ୱର କୁମାରଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ପରବର୍ତ୍ତୀ ବ୍ୟାଟର୍ ଗ୍ଲେନ୍ ମ୍ୟାକ୍ସୱେଲ୍ (୬) ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ଷ୍ଟିଭ୍ ସ୍ମିଥ୍ (୯) ପୁଣି ଥରେ ନିରାଶ କରିଥିଲେ । ସେ ଯୁଜବେନ୍ଦ୍ର ଚହଲଙ୍କ ବଲ୍ରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ୮୪ ରନ୍ରେ ୪ ୱିକେଟ୍ ହରାଇଥିଲା ଟିମ୍ ।
୧୨ତମ ଓଭର୍ରେ ଟିମ୍ର ସ୍କୋର୍ ୧୦୦ ଛୁଇଁଥିଲା । ୧୪ତମ ଓଭର୍୍ରେ ଅକ୍ଷର ପଟେଲ୍ ଦୁଇ ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ଚାପଗ୍ରସ୍ତ କରିଥିଲେ । ଜୋଶ୍ ଇଙ୍ଗ୍ଲିଶ୍ ୨୪ ଓ ମାଥୁ୍ୟ ୱେଡ୍ ୧ ରନ୍ କରି ପାଭିଲିଅନ୍ ଫେରିଥିଲେ । ୧୧୭ ରନ୍ ମଧ୍ୟରେ ୬ ୱିକେଟ୍ ପଡ଼ିଥିଲା । ଇନିଂସ୍ ଆଉ ବେଶୀ ବାଟ ଯିବା ଭଳି ଲାଗୁ ନ ଥିଲା, ହେଲେ ଟିମ୍ ଡେଭିଡ୍ ଓ ଡେଭିଡ୍ ସାମ୍ସଙ୍କ ଯୋଡ଼ି ଇନିଂସ୍କୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ଉଭୟଙ୍କ ମଧ୍ୟରେ ୬୮ (୩୪ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ଡେଭିଡ୍ ୨୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷ ଓଭର୍ରେ ଡେଭିଡ୍ (୨୭ ବଲ୍ରୁ ୫୪ ରନ୍) ହର୍ଷଲ ପଟେଲ୍ଙ୍କ ଶିକାର ହୋଇଥିଲେ ।
ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ପୁଣି ଥରେ ଡେଥ୍ ଓଭର୍ଗୁଡ଼ିକରେ ଭାରତୀୟ ବୋଲର୍ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ଅକ୍ଷର ୩ଟି ଏବଂ ଭୁବି, ଚହଲ ଓ ହର୍ଷଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।