ଜିନ୍ପିଙ୍ଗ୍ ଗୃହବନ୍ଦୀ!
ଚୀନ୍ରେ ବିଦ୍ରୋହ ଆଶଙ୍କା
ସେନାଧ୍ୟକ୍ଷ ଲି କିୟାଓମିଙ୍ଗ୍ଙ୍କ କବ୍ଜାରେ ବିଜିଂ
ବିଜିଂ, ୨୪ା୯: ଚୀନ୍ରେ ସାମରିକ ବିଦ୍ରୋହ ଘଟି ଶି ଜିନ୍ପିଙ୍ଗ୍ଙ୍କୁ ରାଷ୍ଟ୍ରପତି ଓ ସେନାଧ୍ୟକ୍ଷ ପଦରୁ ହଟାଇ ଦିଆଯିବା ସହ ଦେଶରେ ସାମରିକ ଶାସନ ଚାଲିଛି ଏବଂ ସେନାଧ୍ୟକ୍ଷ ଲି କିୟାଓମିଙ୍ଗ୍ ନୂଆ ରାଷ୍ଟ୍ରପତି ନିଯୁକ୍ତ ହୋଇଛନ୍ତି ବୋଲି ବହୁ ଅସମର୍ଥôତ ସୂତ୍ରରୁ ଜଣାଯାଇଛି । ସୋସାଲ୍ ମିଡିଆରେ ଏକଥା ଭାଇରାଲ୍ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଚୀନ୍ କମୁ୍ୟନିଷ୍ଟ ପାର୍ଟି କିମ୍ବା ସରକାରୀ ମିଡିଆ ଗ୍ଲୋବାଲ୍ ଟାଇମ୍ସ ପକ୍ଷରୁ ଏହାକୁ ସମର୍ଥନ କିମ୍ବା ଖଣ୍ଡନ କରାଯାଇନାହିଁ । ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ମଧ୍ୟ ଏହି ମର୍ମରେ ଟୁଇଟ୍ କରିଛନ୍ତି ।
ଇତିମଧ୍ୟରେ ଚୀନା ସରକାର ୬ ହଜାରରୁ ଅଧିକ ଡୋମେଷ୍ଟିକ୍ ଓ ଇଣ୍ଟରନ୍ୟାସ୍ନାଲ୍ ଫ୍ଲାଇଟ୍ ରଦ୍ଦ କରିଦେବା ସହ ହାଇସ୍ପିଡ୍ ଟ୍ରେନ୍ ପାଇଁ ବିକ୍ରି ହୋଇଥିବା ସବୁ ଟିକେଟ୍କୁ ସସ୍ପେଣ୍ଡ୍ କରିଛନ୍ତି । ଟ୍ରେନ୍ ଚଳାଚଳକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
ଶନିବାର ସକାଳୁ ସୋସାଲ୍ ମିଡିଆରେ ହାସ୍ଟ୍ୟାଗ୍ଚିଙ୍ଗ୍ପିଙ୍ଗ୍ରେ ପ୍ରସାରିତ ଖବର ଅନୁଯାୟୀ, ଜିନ୍ପିଙ୍ଗ୍ଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ କରି ରଖାଯାଇଛି । ଜିନ୍ପିଙ୍ଗ୍ ନିକଟରେ ଏସ୍ସିଓ ଶୀର୍ଷ ସମ୍ମିଳନୀରେ ଯୋଗ ଦେବା ଲାଗି ଉଜ୍ବେକିସ୍ତାନର ସମରକନ୍ଦ ଗସ୍ତରେ ଯାଇଥିବାବେଳେ ହିଁ ତାଙ୍କୁ ସେନାଧ୍ୟକ୍ଷ ପଦରୁ ବରଖାସ୍ତ କରାଯାଇଥିଲା । ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ସୋସାଲ୍ ମିଡିଆ ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି ଯେ ରାଜଧାନୀ ବିଜିଂ ଏବେ ସେନା କବ୍ଜାରେ ଅଛି ।
ନୁ୍ୟଜ୍ ହାଇଲାଣ୍ଡ୍ ଭିଜନ୍ ରିପୋର୍ଟରେ କୁହାଯାଇଛି ଯେ ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ୱେନ୍ ଜିୟାବାଓ ସେଣ୍ଟ୍ରାଲ୍ ଗାର୍ଡ ବୁ୍ୟରୋ (ସିଜିବି)ର ନିୟନ୍ତ୍ରଣ ହାତକୁ ନେଇଛନ୍ତି । କମୁ୍ୟନିଷ୍ଟ ପାର୍ଟିର ପୋଲିତ୍ ବୁ୍ୟରୋ ସ୍ଥାୟୀ ସମିତିର ସଦସ୍ୟ ଓ ଅନ୍ୟ ସିସିପି ନେତାମାନଙ୍କୁ ସିଜିବି ସୁରକ୍ଷା ଦେଇଥାଏ । ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ ମଧ୍ୟ ସିଜିବିର । ସିଜିବି ଉପରେ ରାଷ୍ଟ୍ରପତିଙ୍କ ଛଡା ଅନ୍ୟ କାହାର ନିୟନ୍ତ୍ରଣ ରହିଲେ ବୁଝିବାକୁ ହେବ ଯେ ସାମରିକ ବିଦ୍ରୋହ ଘଟିଲା ।
ଉଲ୍ଲେଖଯୋଗ୍ୟ ଯେ, କମୁ୍ୟନିଷ୍ଟ ପାର୍ଟିର ଭ୍ରଷ୍ଟାଚାର ବିରୋଧୀ ଅଭିଯାନ କ୍ରମେ ଚୀନ୍ରେ ଚଳିତ ସପ୍ତାହରେ ୨ଜଣ ପୂର୍ବତନ ମନ୍ତ୍ରୀଙ୍କୁ ମୃତୁ୍ୟ ଦଣ୍ଡ ଦିଆଯିବା ସହ ୪ଜଣ ତୁଙ୍ଗ ଅଧିକାରୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ମୃତୁ୍ୟ ଦଣ୍ଡାଦେଶ ପାଇଥିବା ଦୁଇ ପୂର୍ବତନ ମନ୍ତ୍ରୀ ୨ଟି ରାଜନୈତିକ ଗୋଷ୍ଠୀର ନେତା ତଥା ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ ବିରୋଧୀ ଥିଲେ ।