ଭାଷା ସମୃଦ୍ଧ ହେଲେ ଜାତି ସମୃଦ୍ଧ ହେବ
ଓଡ଼ିଆ ଭାଷା ଓ ଗଣମାଧ୍ୟମ ସମ୍ପର୍କିତ ସେମିନାର୍
ଭୁବନେଶ୍ୱର (ବୁ୍ୟରୋ): ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଆମ ଓଡିଆ ଭାଷା ଦେଶରେ ୬ଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ଓଡିଆ ଭାଷାର ସମୃଦ୍ଧିରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ଦୈନିକ ଓଡିଆ ଖବରକାଗଜ ‘ସକାଳ ସାଥୀ’ର ୬ଷ୍ଠ ସ୍ୱନକ୍ଷତ୍ର ଦିବସରେ ଯୋଗଦେଇ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ଓଡିଶା ଅର୍ଥ ସେବା ବିଭାଗର ବରିଷ୍ଠ ଅଧିକାରୀ ସଂଗ୍ରାମକେଶରୀ ସାମନ୍ତରାୟ ଯୋଗ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ, ବିଶିଷ୍ଟ ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ ଯୋଗ ଦେଇଥିଲେ । ମୁଖ୍ୟ ଉପଦେଷ୍ଟା ଡକ୍ଟର ଶ୍ରୀବତ୍ସ ଦଳାଇଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।