ଦାନା ବାନ୍ଧୁଛି ଲଘୁଚାପ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ୨୪ା୯ (ବୁ୍ୟରୋ): ଗତ କିଛି ସପ୍ତାହ ହେଲା ବଙ୍ଗୋପସାଗରରେ ନିୟମିତ ଭାବେ ଲଘୁଚାପ ସୃଷ୍ଟି ହେଉଥିବା ନଜରକୁ ଆସୁଛି । ଏସବୁ ଲଘୁଚାପ ବିଶେଷ ଶକ୍ତିଶାଳୀ ହୋଇନଥିଲେ ବି ତାହା ମୌସୁମୀକୁ ସକ୍ରିୟ ରଖୁଛି ଓ ବର୍ଷା କରାଉଛି । ଗତ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକରୁ ଅଧିକ ଘନିଭୂତ ହେବା ସହ ବର୍ତ୍ତମାନ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଅଞ୍ଚଳରେ ବର୍ଷା କରାଉଛି । ଯାହାଫଳରେ ମୌସୁମୀ ଅପସାରଣ ପ୍ରକ୍ରିୟା ବିଳମ୍ବ ହେଉଛି । ଏହି ସ୍ଥିତିରେ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମକେନ୍ଦ୍ରୀ ତଥା ତତ୍ସଲଂଗ୍ନ ଆନ୍ଧ ଉପକୂଳରେ ଘନିଭୂତ ହେଉଥିବାବେଳେ ବାୟୁମଣ୍ଡଳର ୧.୫ କିମି ଯାଏ ବ୍ୟାପିଛି । ଏହା ଆଗାମୀ ଦିନରେ ଆହୁରି ଘନିଭୂତ ହେବା ସହ ଏକ ଲଘୁଚାପ ରୂପ ନେବ । ଫଳରେ ଆସନ୍ତା ୨୭ରୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅନୁଭୂତ ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟରେ ଦିନ ତାପମାତ୍ରା ବଢ଼ିଥିବାରୁୂ ଉପରବେଳା ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଦେଖିବାକୁ ମିଳିଛି । ବଙ୍ଗୋପସାଗରରୁ ଏକ ନିମ୍ନଚାପରେଖା ରାଜସ୍ଥାନ ଯାଏ ଲମ୍ବିଛି । ଯାହା ରାଜ୍ୟରେ ବର୍ଷା କରାଉଛି । ସେପଟେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ସେପ୍ଟେମ୍ବର ୨୫ ଅର୍ଥାତ୍ ଆସନ୍ତାକାଲି ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହେବ । ଯାହା ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୨୬ରେ ଏକ ଘୂର୍ଣ୍ଣିବଳୟ ଓ ପରେ ଏକ ଲଘୁଚାପ ରୂପ ନେବ । ଏହି ସମୟ ବେଳକୁ ଏହା ଉପକୂଳର ନିକଟତର ହୋଇଥିବ । ୨୮ରେ ଏହାର କିଛି ଅଂଶ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଥିବ ଓ ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ଥିବ । ଯାହାଫଳରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓ କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଜିଲ୍ଲାରେ ଲଘୁଚାପର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
କେବଳ ଏତିକି ନୁହେଁ, ଏହି ଲଘୁଚାପ ପଛକୁ ପଛ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ଏକ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ଏସିଆ ଅତିକ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିସାରିଥିବ । ଫଳରେ ରାଜ୍ୟରେ ପୁଣି ବର୍ଷା ବଢ଼ିବ । ଯାହା ଦୁର୍ଗା ପୂଜା ଓ ପରେ ଲକ୍ଷ୍ମୀ ପୂଜା ଉପରେ ପ୍ରଭାବ ପକାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଆସନ୍ତାକାଲି ଓ ୨୬ ତାରିଖରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ୨୭ ତାରିଖରୁ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ସେପ୍ଟେମ୍ବର ୨୪ତାରିଖ ମଧ୍ୟରେ ୧୧୬୮.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବୃଷ୍ଟିପାତ ୧୧୨୦.୩ ମିମି ଠାରୁ ୪% ଅଧିକ । ୫ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାବେଳେ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *