ମାଉଣ୍ଟ୍ ଡୋମ୍ ଖାଙ୍ଗ୍ରେ ଉଡ଼ିଲା ତ୍ରିରଙ୍ଗା
ଇତିହାସ ରଚିଲେ ଆଇଟିବିପି ଯବାନ୍
ଗାଙ୍ଗଟକ୍(ଏଜେନ୍ସି): ଇଣ୍ଡୋ ତିବ୍ବତୀୟ ସୀମା ପୁଲିସ୍ର ପର୍ବତାରୋହୀ ଟିମ୍ ଏକ ବିରଳ କୃତୀତ୍ୱ ହାସଲ ସହ ଇତିହାସ ସୃଷ୍ଟି କରିଛନ୍ତି । ଆଇଟିବିପିର ପର୍ବତାରୋହୀ ଯବାନ ସଫଳତାପୂର୍ବକ ଉତ୍ତର ସିକିମ୍ରେ ଅବସ୍ଥିତ ମାଉଣ୍ଟ ଡୋମ୍ ଖାଙ୍ଗ୍ ପର୍ବତକୁ ଆରୋହଣ କରିଛନ୍ତି । ପର୍ବତର ଶିଖରରେ ପହଞ୍ଚôବା ପରେ ଯବାନମାନେ ସେଠାରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇବା ସହ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି ସମୟର କିଛି ଫଟୋକୁ ଆଇଟିବିପିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ରେ ଅପଲୋଡ୍ କରାଯାଇଛି । ପ୍ରକାଶ, ମାଉଣ୍ଟ ଡୋମ୍ ଖାଙ୍ଗ ପର୍ବତ ସମୁଦ୍ର ପତ୍ତନଠାରୁ ୭,୨୫ଠ ମିଟର ଅର୍ଥାତ୍ ୨୩,୭୮୬ ଫୁଟ ଉଚ୍ଚରେ ଅବସ୍ଥିତ । ମାଉଣ୍ଟ ଡୋମ୍ ଖାଙ୍ଗ୍ ଦେଶର ଅନ୍ୟତମ ସୁଉଚ୍ଚ ପର୍ବତମାଳା ଭାବେ ଜଣାଶୁଣା ।
ଆଇଟିବିପି ମୁଖପାତ୍ର ବିବେକ କୁମାର ପାଣ୍ଡେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଇଏମ୍ଏଫ୍ ରେକର୍ଡ ଅନୁଯାୟୀ, ମାଉଣ୍ଟ ଡୋମ୍ ଖାଙ୍ଗ୍ ପର୍ବତ ଶିଖରକୁ ଆଇଟିବି ଯବାନଙ୍କ ପର୍ବତାରୋହୀ ଟିମ୍ ସର୍ବପ୍ରଥମେ ଆରୋହଣ କରିଛନ୍ତି । ପର୍ବତାରୋହଣ ପାଇଁ ୨ଟି ଟିମ୍ରେ (ରୋପ୍ ୱାନ୍ ଏବଂ ରୋପ୍ ଟୁ) ବିଭକ୍ତ ହୋଇଥିବା ଯବାନ୍ଙ୍କ ମଧ୍ୟରୁ ଗତ ୨୨ ତାରିଖରେ ଗୋଟିଏ ଟିମ୍ ପର୍ବତ ଶିଖରରେ ପହଞ୍ଚôଥିବା ବେଳେ ୨୩ରେ ଅନ୍ୟ ଏକ ଦଳ ଶିଖର ଦେଶରେ ପାଦ ରଖିଥିଲେ । ରୋପ୍ ୱାନ୍ ଟିମ୍ର ନେତୃତ୍ୱ ଆଇଟିବିପି ଡେପୁଟି କମାଣ୍ଡାଣ୍ଟ୍ ଅନୁପ କୁମାର ନେଇଥିବା ବେଳେ ରୋପ୍-୨ର ନେତୃତ୍ୱ କମାଣ୍ଡାଣ୍ଟ ରତନ ସିଂ ସୋନାଲ ଗ୍ରହଣ କରିଥିଲେ । ଉଭୟ ଦଳରେ ଜଣେ ମହିଳାଙ୍କ ସମେତ ମୋଟ୍ ୧୩ ଯବାନ ସାମିଲ ହୋଇଥିଲେ ।