ଦୀଘାରେ ଶ୍ରୀମନ୍ଦିର ଭଳି ମନ୍ଦିର

ଜଗନ୍ନାଥ ମନ୍ଦିର କରିଡର୍ ପାଇଁ ମମତା ସରକାରଙ୍କ ୧୨୮ କୋଟି ବ୍ୟୟ ବରାଦ
କୋଲକତା, ୨୪ା୯ : ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ସମୁଦ୍ରତଟବର୍ତ୍ତୀ ଦୀଘାଠାରେ ମମତା ବାନାର୍ଜୀ ସରକାର ୧୨୮ କୋଟି ଟଙ୍କା ବ୍ୟୟରେ ଏକ ପ୍ରକାଣ୍ଡ ଜଗନ୍ନାଥ ମନ୍ଦିର ତୋଳାଉଛନ୍ତି । ସରକାରୀ ସୂତ୍ର ଅନୁଯାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ହୋଇଯିବ ।
୮ କୋଟି ଟଙ୍କାରେ କିଣାଯାଇଥିବା ୨୦ ଏକର ଜମିରେ ନିର୍ମାଣାଧୀନ ଦୀଘା ଜଗନ୍ନାଥ ମନ୍ଦିରର ଉଚ୍ଚତା ହେବ ୬୫ ମିଟର । ଏହା ପୁରୀ ଶ୍ରୀମନ୍ଦିରର ଅନୁରୂପ ହେବ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ କଳିଙ୍ଗ ସ୍ଥାପତ୍ୟ କଳାରେ ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶୀୟ ରାଜା ଅନଙ୍ଗ ବର୍ମ ଚୋଡଗଙ୍ଗଦେବଙ୍କ ଶାସନ କାଳରେ ନିର୍ମିତ ତଥା ୧୯୭୫ ମସିହାରେ ଜାତୀୟ କୀର୍ତ୍ତି ଘୋଷିତ ପୁରୀ ଶ୍ରୀମନ୍ଦିରର ଉଚ୍ଚତା ମଧ୍ୟ ୬୫ ମିଟର (ପ୍ରାୟ ୨୧୪ ଫୁଟ୍) ।
ଦୀଘାରେ ୨୦୦ରୁ ଅଧିକ ପଥର କାରିଗର ଦିବାରାତ୍ରି ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ପଶ୍ଚିମବଙ୍ଗ ହାଉସିଂ ଇନ୍ଫ୍ରାଷ୍ଟ୍ରକ୍ଚର୍ ଡେଭଲପ୍ମେଣ୍ଟ କର୍ପୋରେସନ୍କୁ ମନ୍ଦିର ନିର୍ମାଣ ଦାୟିତ୍ୱ ଦିଆଯାଇଛି । କର୍ପୋରେସନ୍ର ମୁଖ୍ୟଯନ୍ତ୍ରୀ ସୁମନ ନିୟୋଗୀ କହିଛନ୍ତି, ଅବିକଳ ପୁରୀ ଶ୍ରୀମନ୍ଦିର ଭଳି ଏକ ମନ୍ଦିର ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱପ୍ନ ସାକାର କରିବାକୁ ଯାଇ ନିର୍ମାଣ କାର୍ଯ୍ୟ ଜୋର୍ସୋରରେ ଆଗେଇ ଚାଲିଛି । ପୁରୀ ଶ୍ରୀମନ୍ଦିର ପାଇଁ କେଉଁଠାରୁ ପଥର (ସ୍ୟାଣ୍ଡଷ୍ଟୋନ୍) ଅଣାଯାଇଥିଲା ଆମକୁ ଜଣାନାହିଁ । ତେବେ ଆମେ ରାଜସ୍ଥାନରୁ ଲାଲ୍ ମୁଗୁନି ପଥର ମଗାଇ ମେ ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଛୁ । ଏହାକୁ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ତୋଳିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଉଛି । ମନ୍ଦିର ନିର୍ମାଣ ଶେଷ ହେବା ପରେ ଏହାର ଦେଖାରେଖା ଦାୟିତ୍ୱ ଦୀଘା ଶଙ୍କରପୁର ବିକାଶ ପ୍ରାଧିକରଣ (ଡିଏସ୍ଡିଏ) ବହନ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *