ଓଡ଼ିଶାର ୩ ଜଣଙ୍କୁ ଏନ୍ଏସ୍ଏସ୍ ପୁରସ୍କାର
ନୂଆଦିଲ୍ଲୀ, ୨୪ା୯: ଜାତୀୟ ଯୋଜନା (ଏନ୍ଏସ୍ଏସ୍) ଦିବସ ଦେଶବ୍ୟାପୀ ପାଳିତ ହୋଇଛି । ଏହି ଉପଲକ୍ଷେ ସାରା ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି । ଏଥିସହିତ ୨୦୨୦-୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ସେବା ନିମିତ୍ତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଓ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି । ତିନି ଓଡ଼ିଶାରୁ ତିନିଜଣ ବ୍ୟକ୍ତି ପୁରସ୍କୃତ ହୋଇଛନ୍ତି ।
ରାଷ୍ଟ୍ରପତି ଭବନରେ ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ/ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ଏନ୍ଏସ୍ଏସ୍ ୟୁନିଟ ଏବଂ ସ୍ୱେଚ୍ଛାସେବୀ ଭଳି ତିନି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ଥର ଓଡ଼ିଶାର କାର୍ଯ୍ୟକ୍ରମ ଅଧିକାରୀ / ଏନ୍ଏସ୍ଏସ୍ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆର୍ଡିଏସ୍ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ଜାତୀୟ ପୁରସ୍କାର ପାଇଛନ୍ତି । ସେହିପରି ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ବର୍ଗରେ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଡୁକେସନ ଏଣ୍ଡ ରିସର୍ଚ୍ଚର ପ୍ରତୀକ ଦାଶ ଏବଂ ସ୍କୁଲ୍ ଅଫ୍ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କୁ ବିଭିନ୍ନ ସ୍ତରରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।