ଭୁବନରୁ ୨ ଠକଙ୍କୁ ଗିରଫ କଲା ଖଲ୍ଲିକୋଟ ପୁଲିସ୍

ଗୁଜରାଟରେ ବି ବ୍ୟାଙ୍କ ମ୍ୟାନେଜର୍ ପରିଚୟ ଦେଇ ଠକିଛନ୍ତି
ଖଲ୍ଲିକୋଟ (ଆପ୍ର): ନିଜକୁ ଆକ୍ସିସ୍ ବ୍ୟାଙ୍କ ମ୍ୟାନେଜର, କ୍ଷେତ୍ର କର୍ମଚାରୀ ଓ କେ.ଭିସି ନାମକ ଏକ ୟୁଟୁ୍ୟବ ଚାନେଲର ସାମ୍ବାଦିକ କହି ରାଜ୍ୟ ତଥା ରାଜ୍ୟ ବାହାରେ ଠକାମୀ କରିଥିବା ୨ ଆନ୍ତଃ ରାଜ୍ୟ ଠକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଖଲ୍ଲିକୋଟ ପୁଲିସ୍ । ସେମାନେ ହେଲେ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଗୌରୀ ରାଉତପାଟନାର ଅନିଲ କୁମାର ଦଳାଇ (୩୨) ଓ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ମଠ ସାହିର ସ୍ମୃତି ରଞ୍ଜନ ପାତ୍ର(୩୪) । ଉଭୟେ ନିଜ ପତ୍ନୀଙ୍କ ନାମରେ ବ୍ୟାଙ୍କ ଖୋଲି ନିରୀହ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ବେଳେ ଏମାନଙ୍କୁ ଢେଙ୍କାନାଳ ଜିଲ୍ଲା ଭୁବନରୁ ଗିରଫ କରିଛି ଖଲ୍ଲିକୋଟ ପୁଲିସ୍ ।
ସୂଚନାନୁସାରେ ସମ୍ପୃକ୍ତ ଦୁଇଜଣ ଖଲ୍ଲିକୋଟ କରଣ ସାହିରେ ଥିବା କଲଟେକ କମ୍ପୁ୍ୟଟର କେନ୍ଦ୍ରର ଡାଇରେକ୍ଟର ବିଶ୍ୱନାଥ ଦାଶଙ୍କୁ ଭେଟି ନିଜକୁ ଏକ ବ୍ୟାଙ୍କ ମ୍ୟାନେଜର ଓ କ୍ଷେତ୍ର ଅଧିକାରୀ କହି ତାଙ୍କୁ ସମସ୍ତ ପରିଚୟପତ୍ର ଆବେଦନ ଫର୍ମ ସମେତ ଆନୁସଙ୍ଗିକ କାଗଜପତ୍ର ଦେଖାଇ ବିଶ୍ୱାସ ଜନ୍ମାଇଥିଲେ । ତାଙ୍କ ପାସ୍ ୱାର୍ଡ଼ ଇମେଲ ଠିକଣା ମାଗି ତାଙ୍କୁ ଏକ ବ୍ୟାଙ୍କ ପରିଚୟ ପତ୍ର ପ୍ରଦାନ କରିବା ସହ ତାଙ୍କ କମ୍ପାନୀ ବ୍ଲକ୍ ସଂଯୋଜକ ଭାବେ ନିଯୁକ୍ତି ଦେଇଥିଲେ । ଏହାସହ ବିଶ୍ୱନାଥଙ୍କ ପରିଚୟ ଦେଇ ଖଲ୍ଲିକୋଟ ବ୍ଲକ୍ର ମୋହନପୁର, କେଶପୁର, ଭରସା, ବାରସର ଓ ରଘୁନାଥପୁରରୁ ପ୍ରାୟ ୯୦ଜଣ ମହିଳାଙ୍କୁ ଋଣ କରାଇଦେବା ନାମରେ ସେମାନଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଠକି ଫେରାର ହୋଇଯାଇଥିଲେ । ଦୀର୍ଘଦିନ ପରେ ଋଣ ନମିଳିବାରୁ ସମ୍ପୃକ୍ତ ମହିଳାମାନେ ବିଶ୍ୱନାଥଙ୍କ ଫଟୋ ଦେଖାଇ ଖଲ୍ଲିକୋଟ ଥାନା ଆଗରେ ହୋହାଲ୍ଲା କରିଥିଲେ । ପରେ ବିଶ୍ୱନାଥ ଗତ ୪ ଏପ୍ରିଲ ୨୦୨୨ରେ ଏ ସମ୍ପର୍କରେ ଏତଲା ଦେବା ପରେ ପୁଲିସ କେସ୍ ନମ୍ବର ୧୭୬/୨୨ ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ସମ୍ପୃକ୍ତ ଠକ ଦୁଇଜଣ ଗତକାଲି ଢେଙ୍କାନାଳ ଜିଲ୍ଲା ଭୁବନଠାରେ ଆଉ ଏକ ଠକାମୀ ପାଇଁ ବୈଠକ କରୁଥିବା ବେଳେ ଖଲ୍ଲିକୋଟ ପୁଲିସ୍ ସେଠାରେ ପହଞ୍ଚô ସେମାନଙ୍କୁ କାବୁ କରିଥିଲା । ଏମାନଙ୍କଠାରୁ ୩ଟି ମୋବାଇଲ, ରବର ଷ୍ଟାମ୍ପ, ହିତାଧିକାରୀମାନଙ୍କ ଫଟୋ ଲାଗିଥିବା ଜାଲ୍ ଆପେଡ଼ାନ ଫର୍ମ, ସାମ୍ବାଦିକ ପରିଚୟପତ୍ର ସମେତ ବ୍ୟାଙ୍କ ସମ୍ବନ୍ଧୀୟ ଭେଜାଲ କାଗଜପତ୍ର ଜବତ କରିଛି । ଏମାନଙ୍କ ଠକାମୀ ଗୁଜରାଟର ସୁରତ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଆଗରୁ ଦୁଇଟି ଠକାମୀରେ ଛନ୍ଦି ହୋଇ ଏମାନେ ଜେଲ ଯାଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଅନିଲ ଜଣେ ମହିଳାଙ୍କୁ ବିବାହ କରିଥିବା ବେଳେ ଆଉ ଚାରିଜଣ ମହିଳାଙ୍କୁ ଅଣ ଆନୁଷ୍ଠାନିକ ଭାବେ ବିବାହ କରିଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *