ଖଣିରେ ମେସିନ୍ ନିୟୋଜନକୁ ବିରୋଧ
ଏଆଇଟିୟୁସିର ଜିଲ୍ଲା ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ
କେନ୍ଦୁଝର (ଆପ୍ର): ଅଖିଳ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ(ଏଆଇଟିୟୁସି) ର ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ସମ୍ମିଳନୀ କେନ୍ଦୁଝର ସହର ବୁଲାଦୁଆର ସାହି ଗୁଜୁରାଟୀ ସମାଜଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଶ୍ରମିକ ନେତା ଏବଂ ଶ୍ରମିକ ଯୋଗ ଦେଇଥିଲେ । କମ୍ରେଡ ଭଗବାନ ପଣ୍ଡାଙ୍କ ନାମରେ ନାମିତ ସମ୍ମିଳନୀ ଗୃହରେ ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହୋଇଥିଲା । କମ୍ରେଡ ମହେଶ୍ୱର ରାଉତ ରିପୋର୍ଟ ପଠନ ପରେ ସାଥିମାନେ ଏହା ଉପରେ ଆଲୋଚନା କରିଥିଲେ ।
ବିଭିନ୍ନ ଖଣି ଓ କଳକାରଖାନାରେ ସ୍ଥାନୀୟ ବେକାର ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ନ ଦେଇ ବାହାର ରାଜ୍ୟ ଏବଂ ଜିଲ୍ଲାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ତୀବ୍ର ବିରୋଧ କରାଯାଇଥିଲା । ମେସିନ ଯୋଗେ ଖଣିଜ ଉତ୍ତୋଳନ ଚାଲୁ ରହିଥିବାରୁ ଶ୍ରମିକମାନେ ଦୁର୍ଦ୍ଦଶାରେ ରହିଛନ୍ତି । ସରକାର ଏହାର ପ୍ରତିକାର ନ କଲେ ଶ୍ରମିକ ଆନେ୍ଦାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସ୍ଲରି ପାଇପ ଲାଇନରେ ଲୁହାପଥର ଗୁଣ୍ଡ ପରିବହନଗ୍ଦଭ ପ୍ରାଧାନ୍ୟ ଦିଆଯିବାରୁ ଟ୍ରକ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ପରିବାର ଜୀବିକା ହରାଇଛି ଏବଂ ଋଣ କରି ଟ୍ରକ କିଣିଥିବା ମାଲିକମାନେ ଆର୍ଥିକ ଅନଟନରେ ରହୁଛନ୍ତି । ପାଇପ ଯୋଗେ ଲୁହାପଥର ପରିବହନ ବନ୍ଦ ଓ ଟ୍ରକରେ ପରିବହନକୁ ଅଗ୍ରାଧିକାର ଦେବା ଉପରେ ପ୍ରସ୍ତାବ ପାରିତ ହୋଇଥିଲା । ପ୍ରସ୍ତାବିତ ଶ୍ରମ କୋର୍ଡ ବନ୍ଦ, ସର୍ବନିମ୍ନ ମଜୁରି ବୃଦ୍ଧି, ଦରଦାମ ବୃଦ୍ଧି ଉପରେ ଲଗାମ, ଡିଜେଲ-ପେଟ୍ରୋଲକୁ ଜିଏସ୍ଟିରେ ଅନ୍ତର୍ଭୁକ୍ତ କରିବା, ଶିକ୍ଷିତ ବେକାରଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି ଆଦି ଦାବି ଉପସ୍ଥାପନ କରାଯାଇ ଏ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଓ ଆନେ୍ଦାଳନ ଗଢି ତୋଳିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ଏହାପରେ ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଙ୍ଗଠନର ଜିଲ୍ଲା ସଭାପତି ଭାବେ ବିଦ୍ୟାଧର ମହାନ୍ତ, ସାଧାରଣ ସମ୍ପାଦକ ଭାବେ ମହେଶ୍ୱର ରାଉତ, ଉପସଭାପତି ଭାବେ କାହ୍ନୁଚରଣ ସାମଲ, ହୃଦାନନ୍ଦ ପାତ୍ର, ବିରଞ୍ଚି ଦେହୁରୀ, ଶ୍ରୀହରି ଘଣା ଓ ଦଶମା ମୁଣ୍ଡା, ସମ୍ପାଦକ ଭାବେ କପିଳ ମହାନ୍ତି, ଅର୍ଜୁନ ମହାନ୍ତ, ସହ ସମ୍ପାଦକ ଭାବେ ବଦ୍ରୁ ଜାମା, ବାଗ୍ରା ଚାତାର, ରେଗା ମାଝୀ, ଭୀମ ଲୋହାର, କୋଷାଧ୍ୟକ୍ଷ ଭାବେ ରାଜାରାମ ମୁଣ୍ଡା ନିର୍ବାଚିତ ହୋଇଥିଲେ । ଏହା ବ୍ୟତିତ ୨୯ ଜଣିଆ କାର୍ଯ୍ୟକାରୀ କମିଟି ଓ ୨୫ଜଣିଆ ଜିଲ୍ଲା ପରିଷଦ କମିଟି ଗଠନ କରାଯାଇଥିଲା । ନଭେମ୍ବର ୧୩ ରୁ ୧୫ ପର୍ଯ୍ୟନ୍ତ ରାଉଲକେଲାରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀ ପାଇଁ ୭୫ ଜଣ ଏବଂ ଆଲେପିରେ ଡିସେମ୍ବର ୧୭ ରୁ ୨୦ ଯାଏ ହେବାକୁ ଥିବା ସର୍ବଭାରତୀୟ ସମ୍ମିଳନୀରେ ଜିଲ୍ଲାରୁ ୬ଜଣ ପ୍ରତିନିଧି ନିର୍ବାଚିତ ହୋଇଥିଲେ । ଜିଲ୍ଲାର ୨୫ ଖଣି ଓ ୮ କଳକାରଖାନାର ଶ୍ରମିକ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗ ଦେଇ ଆଲୋଚନା କରିଥିଲେ ।