ଛଳ ଛଳ ଆଖିରେ ବିଦାୟ ନେଲେ ଫେଡ଼ରର୍
ଲେଭର୍ କପ୍ରେ ଖେଳିଲେ ଶେଷ ପେସାଦାର ମ୍ୟାଚ୍
ଲଣ୍ଡନ, ୨୪ା୯ (ଏଜେନ୍ସି): ଟେନିସ୍ରେ ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ରୋଜର ଫେଡ଼ରର୍ ଶୁକ୍ରବାର ଛଳ ଛଳ ଆଖିରେ ପ୍ରତିଦ୍ୱନ୍ଦ୍ୱିକାମୂଳକ ଟେନିସ୍ରୁ ଅବସର ନେଇଛନ୍ତି । ପୂର୍ବ ଘୋଷଣା ଅନୁସାରେ ୪୧ବର୍ଷୀୟ ସ୍ୱିସ୍ ତାରକା ଲେଭର୍ କପ୍ରେ ନିଜର ଶେଷ ପେସାଦାର ମ୍ୟାଚ୍ ଖେଳିଥିଲେ । ତେବେ ଏଥିରେ ପରାଜୟ ସହ ତାଙ୍କ କ୍ୟାରିଅରର ପରିସମାପ୍ତି ଘଟିଥିଲା ।
ସେ ପୁରୁଷ ଯୁଗଳରେ ସ୍ପେନୀୟ ତାରକା ରାଫେଲ୍ ନାଡ଼ାଲ୍ଙ୍କ ସହ ମିଶି ଖେଳିଥିଲେ । ତେବେ ଏହି ପୁରୁଖା ଯୋଡ଼ିକୁ ଆମେରିକାର ଫ୍ରାନ୍ସେସ୍ ଟିଆଫୋ ଓ ଜ୍ୟାକ୍ ସକ୍ଙ୍କ ଠାରୁ ୬-୪, ୬-୭, ୯-୧୧ରେ ହାରି ଯାଇଥିଲେ ।
ଶେଷ ମ୍ୟାଚ୍ ହାରିବା ପରେ ସେ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ଛଳ ଛଳ ଆଖିରେ କହିଥିଲେ – “ମୁଁ ଦୁଃଖୀ ନାହିଁ… ଖୁସି ଅଛି ।”
ଫେଡ଼ରର୍ ଟେନିସ୍ କୋର୍ଟ ମଝିରେ ଛିଡ଼ା ହୋଇ ନିଜର ଦୁଇ ହାତ ଉପରକୁ ଉଠାଇଥିଲେ ଏବଂ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ନିଜ ଫେୟାର୍ୱେଲ୍ ସମୟରେ ସେ କେତେବେଳେ ହସୁଥିବାର ତ କେତେବେଳେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା ।
ଏହି ସମୟରେ ନାଡ଼ାଲ୍ ଓ ସେଠାରେ ଉପସ୍ଥିତ ଥିବା ଜୋକୋଭିକ୍ ମଧ୍ୟ ନିଜ ଲୁହକୁ ରୋକିପାରି ନ ଥିଲେ । ଏକ ଭାବବିହ୍ୱଳ ବାତାବରଣ ପରେ ଜୋକୋଭିଚ୍ଙ୍କ ସମେତ ଅନେକ ଖେଳାଳି ତାଙ୍କୁ କାନ୍ଧରେ ଧରି ବୁଲାଇଥିଲେ । କହିବା ବାହୁଲ୍ୟ ମାତ୍ର, ଫେଡ଼ରର୍ ଟେନିସ୍ର ଅନେକ ବଡ଼ ଖେଳାଳିଙ୍କ ପାଇଁ ମଧ୍ୟ ପ୍ରେରଣା ରହିଆସିଛନ୍ତି । ଫେଡ଼ରର୍ଙ୍କୁ ଅବସର ନେଇ ବିରାଟ କୋହଲି, ସାଇନା ନେହୱାଲ ସମେତ ଅନେକ ଭାରତୀୟ ଖେଳାଳି ଅଭିନନ୍ଦନ ଜଣାଇଥିଲେ ।
ସେପ୍ଟେମ୍ବର ୧୫ରେ ଦୁଇ ଦଶନ୍ଧି ଧରି ଟେନିସ୍ କୋର୍ଟରେ ଆଧିପତ୍ୟ ବିସ୍ତାର କରିଥିବା ଫେଡ଼ରର୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍ରୁ ଅବସର ଘୋଷଣା କରିଥିଲେ । ଗ୍ରାସ୍କୋର୍ଟର ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ପରିଗଣିତ ଫେଡ଼ରର୍ ସର୍ବାଧିକ ଆଠ ଥର ୱିମ୍ବଲଡନ୍ ପୁରୁଷ ଏକକ ମୁକୁଟ ଜିତିଛନ୍ତି । ତାଙ୍କ ନାମରେ ଛଅ ଅଷ୍ଟ୍ରେଲିଆନ୍ ଓପନ୍, ପାଞ୍ଚ ୟୁଏସ୍ ଓପନ୍ ଓ ଗୋଟିଏ ଫ୍ରେଞ୍ଚ୍ ଓପନ୍ ମୁକୁଟ ରହିଛି । ଏହାଛଡ଼ା ସେ ୧୦୩ ଏଟିପି ମୁକୁଟ ବି ହାସଲ କରିଛନ୍ତି ।
ଫେଡ଼ରର୍ ପୁରୁଷ ଏକକରେ ସର୍ବାଧିକ ଗ୍ରାଣ୍ଡ୍ସ୍ଲାମ୍ ଜିତିବା ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ନାଡ଼ାଲ୍ ସର୍ବାଧିକ ୨୨ ଓ ଜୋକୋଭିଚ୍ ୨୧ ମେଜର୍ ମୁକୁଟ ଜିତିଛନ୍ତି ।
ଫେଡ଼ରର୍ ୧୯୯୮ରେ ପେସାଦାର ଟେନିସ୍ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୮ରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ହେବାରେ ସର୍ବବରିଷ୍ଠ ଥିଲେ । ଜୋକୋଭିଚ୍ଙ୍କ ପୂର୍ବରୁ ତାଙ୍କ ନାମରେ ସର୍ବାଧିକ ସମୟ ଶୀର୍ଷ ମାନ୍ୟତାରେ ରହିବାର ରେକର୍ଡ ଥିଲା ।