ପିଏଫ୍ଆଇ ଟାର୍ଗେଟ୍ରେ ଥିଲେ ମୋଦି
ଏନ୍ଆଇଏ ଓ ଇଡି ରିପୋର୍ଟ
ନୂଆଦିଲ୍ଲୀ (ଏଜେନ୍ସି): ଦୁଇ ଦିନ ପୂର୍ବେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଏବଂ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡ଼ି) ପକ୍ଷରୁ ଦେଶରେ ଆତଙ୍କବାଦ ଗତିବିଧିକୁ ପ୍ରୋତ୍ସାହନ କରୁଥିବା ଅଭିଯୋଗରେ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ୧୫ଟି ରାଜ୍ୟରେ ଥିବା ପ୍ରାୟ ୯୬ଟି ଆଡ୍ଡା ଉପରେ ସାମୂହିକ ଚଢ଼ଉ କରାଯିବା ସହ ୧ଠ୬ ପିଏଫ୍ଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫ ପିଏଫ୍ଆଇ ସଦସ୍ୟଙ୍କୁ ଜେରା ସମୟରେ କିଛି ଚାଞ୍ଚଲ୍ୟକର ସୂଚନା ଏବେ ସାମ୍ନାକୁ ଆସିଛି ।
ଏନ୍ଆଇଏ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ଗିରଫ ପିଏଫଆଇର କିଛି ସଦସ୍ୟ ଜେରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ଟାର୍ଗେଟ୍ରେ ଥିବା ସ୍ୱୀକାର କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧୨ରେ ବିହାରର ରାଜଧାନୀ ପାଟନା ଠାରେ ଆୟୋଜିତ ହୋଇଥିବା ମୋଦିଙ୍କ ରାଲିରେ ବଡଧରଣର ହିଂସାକାଣ୍ଡ ଘଟାଇବା ପାଇଁ ସେମାନେ କେରଳରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏବଂ ତଦନୁସାରେ ସବୁକିଛି ଯୋଜନା କରାଯାଇଥିଲା । ଏମାନେ ମୋଦିଙ୍କୁ ଆକ୍ରମଣ କରିବା ପାଇଁ ସବୁକିଛି ବ୍ୟବସ୍ଥା କରିସାରିଥିଲେ । ମୋଦିଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ଏମାନେ ନଜର ରଖିଥିଲେ । ଆକ୍ରମଣ ପାଇଁ ପିଏଫ୍ଆଇ ସଂଗଠନ ପାଟନାରେ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରିଥିଲା । ଏଥିରେ ଅନେକ ସଦସ୍ୟଙ୍କୁ ତାଲିମ ଦିଆଯାଇଥିଲା । ବ୍ୟାନର ଓ ପୋଷ୍ଟର ଧରି ବିକ୍ଷୋଭ କରିବାକୁ ଯୋଜନା କରାଯାଇଥିଲା ।
ତେବେ କେବଳ ମୋଦି ନୁହଁନ୍ତି ଦେଶର ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଏମାନଙ୍କ ଟାର୍ଗେଟ୍ରେ ରହିଥିଲେ ଏବଂ ଏଥିପାଇଁ ସେମାନେ ଆତଙ୍କୀ ମଡୁ୍ୟଲ ପ୍ରସ୍ତୁତ କରିସାରିଥିଲେ ବୋଲି ଏମାନେ ଜେରା କାଳରେ ସ୍ୱୀକାର କରିଛନ୍ତି । ତେବେ ଏମାନଙ୍କୁ ବିଦେଶରୁ ଆର୍ଥିକ ସହାୟତା ମିଳୁଥିବା ଏମାନେ ଜେରା ସମୟରେ କହିଛନ୍ତି ବୋଲି ଏନ୍ଆଇଏ ଦର୍ଶାଇଛି । କେବଳ ମୋଦିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ଦେଶ ତଥା ଦେଶ ବାହାରୁ ପ୍ରାୟ ୧୨ଠ କୋଟି ଟଙ୍କା ପିଏଫଆଇ ସଂଗଠନକୁ ଚାନ୍ଦା ଆକାରରେ ମିଳିଥିବା ଇଡି ଜାଣିବାକୁ ପାଇଛି । ତେବେ ଶନିବାର ଏନ୍ଆଇଏ ପକ୍ଷରୁ କେରଳରୁ ଗିରଫ ହୋଇଥିବା ପିଏଫ୍ଆଇ ସଦସ୍ୟ ଶଫିଫ୍ ପାୟେଥ୍କୁ ଜେରା ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିବା ଏନ୍ଆଇଏ ଦର୍ଶାଇଛି ।
ଏସବୁ ମଧ୍ୟରେ ଭାରତରେ ଏପ୍ରକାର ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ପିଏଫ୍ଆଇକୁ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସ୍ଆଇ ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ଭଳି ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ଇସଲାମିକ୍ ସଙ୍ଗଠନ ପିଏଫ୍ଆଇ ଭାରତୀୟ ମୁସଲମାନ ଯୁବକମାନଙ୍କୁ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପ୍ରଥମେ ଉସକାଉଥିଲା । ପରେ ପ୍ରଶିକ୍ଷଣ ଦେବା ସହ ନିଯୁକ୍ତ କରୁଥିଲା । ତେବେ ଏସବୁ କିଛି ପିଏଫ୍ଆଇ ଆଇଏସ୍ଆଇ ଇସାରାରେ କରୁଥିବା ଜଣାପଡିଛି । ଅନ୍ୟପକ୍ଷେ ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦିଆଯାଇଥିବା ସୂଚନା ଆଧାରରେ ପିଏଫ୍ଆଇ ସଙ୍ଗଠନ ବିରୋଧରେ ସର୍ଚ୍ଚ ଅପରେଶନକୁ ବ୍ୟାପକ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିଦେ୍ର୍ଦଶ ଦେଇଛନ୍ତି । ତେବେ ପିଏଫ୍ଆଇକୁ ନିଷେଧ ଘୋଷିତ କରାଯାଇଥିଲେ ମଧ୍ୟ ଗତ ୧୫ବର୍ଷ ମଧ୍ୟରେ ସଂଗଠନ କେରଳ, କର୍ଣ୍ଣାଟକା ସମେତ ଦେଶର ପ୍ରାୟ ୨ଠରାଜ୍ୟରେ ନିଜ ନେଟୱାର୍କକୁ ସୁଦୃଢ଼ କରିପାରିଛି ।